ହଇଲୋ ତୁ କାହିଁକି ଯିବୁ ?
ବିରକ୍ତ ହେଇ କହିଲେ ରାଗିଣୀର ମା’ ମଧୁମିତା।
ବିଲରେ ଗେଣ୍ଡା, କୋଚିଆ ଭର୍ତ୍ତି ହେଇଥିବେ। ତୁ ଗଲେ ପଙ୍କ କାଦୁଅରେ ତୋ ଗୋଡକୁ କାମୁଡି ପକେଇବେ। ରାଗିଣୀ କିନ୍ତୁ ଯୁକ୍ତି କଲା, ଯଦି ଜେଜେ ଯାଉଛନ୍ତି, ଡରୁ ନାହାନ୍ତି, ମୁଁ କ’ଣ ପାଇଁ ଯିବିନି !
ଶେଷରେ ତା କଥା ରହିଲା ସେ ବିଲକୁ ଗଲା।
ଜେଜେ ବିଲର ଗୋଟିଏ କୋଣରେ ଚିତଉ ପିଠାଟିଏ ଥୋଇଦେଇ କହିଲେ, ‘ଗେଣ୍ଡେଇଶୁଣି ଲୋ, ଗେଣ୍ଡେଇଶୁଣି, ମୋ ବାପା, ଭାଈଙ୍କ ଗୋଡ କାଟିବୁ ନାହିଁ’।
ହିଡ ଉପରେ ଛିଡା ହୋଇ ରାଣିଗୀ ସବୁ ଦେଖୁଥିଲା। ଜେଜେ କୌଣସି ସଂସ୍କୃତ ମନ୍ତ୍ର ପଢିଲେନି କି ଦିଅଁ ଦେବତାଙ୍କ ନାଁ ନେଲେନି। ହେଲେ ଶୂନ୍ୟକୁ ଚାହିଁ ମୁଣ୍ଡିଆଟାଏ ମାରିଲେ ଆଉ ଚିତଉ ପିଠାଟା ଥୋଇ ଚାଲିଆସିଲେ।
ଏଥର ପ୍ରଶ୍ନ କଲା ରାଗିଣୀ।
ଜେଜେ ଏ ଗେଣ୍ଡେଇଶୁଣି କିଏ କି ?
ଏଥର ଜେଜେ କହିଲେ, ‘ଆଲୋ ମା’। ଆମେ ହେଉଛେ କୃଷି ପ୍ରଧାନ ଦେଶର ଛୁଆ। ଯେତେ କମ୍ପ୍ୟୁଟର ଚଲେଇଲେ କ’ଣ ହେବ। ଆମ କମ୍ପ୍ୟୁଟର ଚଲେଇବାକୁ ଯୋଉ ବୁଦ୍ଧି ଦରକାର ସିଏ ଏଇ ମାଟିରୁ ମିଳେ। ଚାଷୀଟିଏ ଏଇ ମାଟିରେ ନିଜ ଦେହକୁ ମାଟି କଲା ପରେ ଆମେ ଧାନ, ଚାଉଳ, ଗହମ ଆଦି ପାଉ। ଆଉ ଖାସ୍ ଏଇ ଭୂଇଁ, ଏଇ ମାଟି ଆଉ ଏଇ କୃଷି ପାଇଁ ଆମର ପରିଚୟ। ଆମ ଠାକୁର ଜଗା ବଳିଆ। କାଳିଆ ସିନା ବଇଂଶୀ ବଜାଏ, ବଡ ଭାଇ ବଡ଼ ଠାକୁର ହଳ ଧରନ୍ତି। ଏଇଥିପାଇଁ କି ସେ ବି ଏଇ କୃଷି ପ୍ରଧାନ ରାଇଜର ମୁଖିଆ।
ଚତୁରୁମାସିଆ ବା ଏଇ ବର୍ଷା ସମୟରେ ଗେଣ୍ଡମାନେ ଗୋଳି ପାଣିରେ ପ୍ରଜନନ କରନ୍ତି। ସେଥିପାଇଁ ବିଲରେ ହୋଇଥିବା ଧାନ ଗଛକୁ କ୍ଷତି ପହଞ୍ଚାଇଥାଆନ୍ତି। ଏବେ ସିନା ଔଷଧ ମଉଷଧୀ ଆସିଲାଣି। ସେତେବେଳେ ଏ ସବୁ ନ ଥିଲା। ସେଇଥିପାଇଁ ଗେଣ୍ଡାକୁ ଠାକୁର ମନେକରି ତାକୁ ଚଷା ପୁଅ ଗେଣ୍ଡେଇଶୁଣି ଠାକୁରାଣୀ ମନେକରେ। ଆଉ କାଳିଆ ଠାକୁରଙ୍କ ଚିତା ଭଳି ପିଠାଟିଏ ଥୋଇ ଖାଇବାକୁ ଦିଏ। କୁହେ ଏଇ ପିଠା ଖାଇ ତୁ ସୁଖରେ ରହ। ଆଉ ଆମ ଧାନ ଫସଲକୁ କ୍ଷତି ପହଞ୍ଚାନି।’
ଏକା ଲୟରେ ଜେଜେଙ୍କ କଥା ଶୁଣୁଥିବା ରାଗିଣୀ ନିଜ ଥେସିସ୍ ପାଇଁ ନୂଆ ଗୋଟିଏ ସୁନ୍ଦର ଗପ ପାଇଗଲା। ପ୍ରକୃତିକୁ ପୂଜା କରୁଥିବା ଗୋଟିଏ ମହାନ ଜାତିର ଦାୟାଦ ବୋଲି ତା ଯୋଉ ଗର୍ବ ଥିଲା ତାହା ପୁଣି ଦ୍ୱିଗୁଣିତ ହେଲା।
ଏହାକୁ କିଛି ଲୋକ ଅନ୍ଧବିଶ୍ୱାସ ବୋଲି କହିପାରନ୍ତି । କିନ୍ତୁ ଓଡ଼ିଆ ମାନସିକତାରେ ଏହି ବିଶ୍ୱାସକୁ ସବୋର୍ତ୍ତମ ବୋଲି କହିଲେ ଭୁଲ ହେବନି । କାରଣ ଏଠି ପ୍ରକୃତି ଯେମିତି ପୂଜନୀୟା, ତା ସମସ୍ତ ସୃଷ୍ଟି ମଧ୍ୟ ସେମିତି ପୂଜନୀୟା । ଏହା କେବଳ ବିଶ୍ୱାସର କଥା, ପରମ୍ପରାର କଥା ।
ଏଥର ଗୋଡରେ ଲାଗିଥିବା ମାଟିକୁ ରାଗିଣୀ ମଥାରେ ଚିତା ଆଙ୍କିଲା ଭଳି ଲଗେଇଦେଲା । ଆଉ ଜେଜେଙ୍କୁ କହିଲା, ଜୟ ଜଗନ୍ନାଥ, ଜୟ ଗେଣ୍ଡେଇଶୁଣି ।
ଜେଜେ ତା କଥା ହସି ହସି ବେମଦ୍ । କହିଲେ, ଏଇଟା ପାଗିଳିଟା…।