ହଠାତ୍ ଏଇ ଡାକରେ ଚମକି ପଡି ସେମାନେ ପଛକୁ ଚାହାନ୍ତି। ହେଲେ ପଛଟା ବିଲକୁଲ୍ ଶୂନଶାନ୍। କେହି କୁଆଡେ ନ ଥାନ୍ତି। ଆଉ ତା ପରେ ଅବଶିଷ୍ଟ ଥିବା ଲୁହଗୁଡାକ ନିଗିଡି ପଡନ୍ତି ଆଖିରୁ। କୋହ ଭରା ମନ କୁହେ, ସତରେ ବୋଉ ବୋଲି ଆଉଥରେ ସିଏ ଡାକି ଦିଅନ୍ତାନି କି ?
ଆଜି ମଦର୍ସ ଡେ'ରେ ସେଇ ମା’ମାନଙ୍କ କଥା। ପରୀର ମା..., ପିହୁର ମା..., ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମା ସମସ୍ତଙ୍କର ଗୋଟିଏ ଅବସ୍ଥା।
କାରଣ ସେମାନେ କୋଳ ଆଜି ଫାଙ୍କା। ଆରପାରିରେ ଛୁଆମାନେ। ଆଉ ନିଜ ପିଲାଙ୍କୁ ନ୍ୟାୟ ଦେବା ପାଇଁ ଏଇ ମା’ମାନେ ଲଢୁଛନ୍ତି ନ୍ୟାୟର ଲଢେଇ।
ନୟାଗଡ଼ ପରୀର ମା’
ନୟାଗଡ଼ ଯଦୁପୁରର ବହୁ ଚର୍ଚ୍ଚିତ କୁନି ଝିଅ ପରୀ ଅପହରଣ ଓ ହତ୍ୟା ମାମଲାକୁ ବିତିଲାଣି 10 ମାସ। ହେଲେ ଏବେ ବି ନ୍ୟାୟ ପାଇଁ ଲଢେଇ କରୁଛନ୍ତି ପରୀର ମା ସୌଦାମିନୀ ସାହୁ। ଘଟଣାର ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ବି ହୋଇଛନ୍ତି। ଏଇ ଘଟଣାରେ ମନ୍ତ୍ରୀ ଅରୁଣ ସାହୁ ମୁଖ୍ୟ ଅଭିଯୁକ୍ତ ବାବୁଲି ନାୟକକୁ ଘଣ୍ଟ ଘୋଡାଉଥିବା ଅଭିଯୋଗ କରିଛନ୍ତି ପରୀର ବାପା ମା। କିନ୍ତୁ ଏମାନଙ୍କୁ କ୍ଲିନଚିଟ ଦେଇଛି ଏସଆଇଟି। କୁନି ଝିଅକୁ ନ୍ୟାୟ ଦେବା ପାଇଁ ଲଢେଇ କରୁଛନ୍ତି ସୌଦାମିନୀ ସାହୁ।
ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମା’
ମାବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ସସପେନସରୁ ହଟିନି ପର୍ଦ୍ଦା । ଆତ୍ମହତ୍ୟା ନା ହତ୍ୟା । ମାନବପ୍ରେମୀଙ୍କ ବାପା ମା ଲଢୁଛନ୍ତି ନ୍ୟାୟର ଲଢେଇ। ରେଳବାଇ ପୋଲିସ ଓ କ୍ରାଇମବ୍ରାଞ୍ଚ ଉପରେ ସେମାନଙ୍କ ନାହିଁ ଭରସା। ସିବିଆଇ ତଦନ୍ତ ଦାବିରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଆଦିତ୍ୟଙ୍କ ମା।
ବିଞ୍ଛାରପୁର ପିହୁର ମା’
ଅଗଷ୍ଟ ମାସରୁ ପିହୁ ନିଖୋଜ। ଗାଁ ଦାଣ୍ଡରେ କୁନି ଝିଅଟି ଖେଳୁଥିଲା କିଏ ଉଠାଇନେଲା। ମଦର୍ସ ଡେରେ ମାର ଆଖି ଖୋଜୁଛି ପିହୁକୁ। ଝିଅ ପାଇଁ ସମସ୍ତଙ୍କ ପାଖକୁ ଦୌଡି ଦୌଡି ନୟାନ୍ତ ହୋଇଛନ୍ତି ପିହୁର ମା ମୋନାଲିସା। ପୋଲିସ ବି ଦେଇଛି ମାନସିକ ନିର୍ଯାତନା। କେହି ଶୁଣୁନାହାନ୍ତି ଗୋଟେ ମା’ର ଗୁହାରି।
ପଙ୍କପାଳ ଉଲ୍ଲାସ ଜେନାଙ୍କ ମା’
2016ରେ ପଙ୍କପାଳ ଉଲ୍ଲାସ ଜେନା ହତ୍ୟା ମାମଲାକୁ ବିତିଲାଣି 5 ବର୍ଷ । ହେଲେ ହତ୍ୟାକାରୀଙ୍କୁ ଧରିପାରୁନି ପୋଲିସ । ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଓ ତାଙ୍କ ପୁଅ ତଥା ପାରାଦୀପ ବିଜେଡି ବିଧାୟକ ସମ୍ବିତ ରାଉତରାୟଙ୍କ ଚାପରେ କ୍ରାଇମବ୍ରାଞ୍ଚ ଆକସନ୍ ନେଉ ନ ଥିବାରୁ ଆସିଛି ସାଂଘାତିକ ଅଭିଯୋଗ । କେହି ଶୁଣିଲେନି ବୋଲି ଉଲ୍ଲାସଙ୍କ ମା ବିଧାନସଭା ଆଗରେ ଆତ୍ମହୂତି ଉଦ୍ୟମ କଲେ। ହେଲେ ତାଙ୍କୁ ଜେଲରେ ପୁରାଇଦେଲା ପୋଲିସ କିନ୍ତୁ ତଦନ୍ତ ତଥାପି ସରିନି।
କୁଜଙ୍ଗର ଅମୃତ ଦାଶଙ୍କ ମା’
ସେମିତି ଆଉଜଣେ ଦୁଖିନୀ ମା’ ହେଉଛନ୍ତି, କୁଜଙ୍ଗର ସୁଲୋଚନା ଦାସ । ପୁଅ ଅମୃତ ଦାସର ମୃତ୍ୟୁ ଦୁର୍ଘଟଣା ନୁହେଁ ହତ୍ୟା । ହେଲେ ତାଙ୍କ କଥା ନା ଜଗତସିଂହପୁର ପୋଲିସ ଶୁଣିଲା ନା କ୍ରାଇମବ୍ରାଞ୍ଚ । ଆତ୍ମହୂତି ଉଦ୍ୟମ ବି କରିଥିଲେ ସୁଲୋଚନା । ହେଲେ କେହି ଶୁଣିଲେନି । ବିଧାୟକ ଅତନୁ ସବ୍ୟସାଚୀ ନାୟକ ଅପରାଧୀଙ୍କୁ ଘଣ୍ଟ ଘୋଡାଉଛନ୍ତି ବୋଲି ସେ ନ୍ୟାୟ ପାଉ ନ ଥିବା ଅଭିଯୋଗ କରନ୍ତି।
ଉଦଳାର ଅକ୍ଷୟ ପୋଥାଳଙ୍କ ମା’
ପୁଅର ହତ୍ୟାକାରୀଙ୍କୁ ଧରିବା ପାଇଁ ଲଢେଇ କରୁଛନ୍ତି ସୁବାସିନୀ ବେହେରା । 20୧୬ ଜୁଲାଇ ୧୬ ତାରିଖରେ ଭୁବନେଶ୍ୱରର ଡେଲଟା ଛକ ସାଇ ରେସିଡେନସି ଗେଷ୍ଟ ହାଉସରୁ ସନ୍ଦେହଜନକ ଭାବେ ମିଳିଥିଲା ଇଂଜନିୟର ଅକ୍ଷୟ ପୋଥାଳଙ୍କ ମୃତଦେହ । ଖଟରୁ ପଡି ଅକ୍ଷୟଙ୍କ ମୃତ ହୋଇଥିବା ପୋଲିସ କହିଥିଲେ ବି ମା ସୁବାସିନୀ ଆଣିଥିଲେ ହତ୍ୟାର ସାଂଘାତିକ ଅଭିଯୋଗ । କିନ୍ତୁ ନାଲିଫିତା ତଳେ ଚାପି ହୋଇଯାଇଛି ତଦନ୍ତ । ଏଇ ମା ଲଢୁଛି ନ୍ୟାୟର ଲଢେଇ ।
ଅର୍ଗସ୍ ବ୍ୟୁରୋ ସ୍ଵତନ୍ତ୍ର