କବିବର ରାଧାନାଥ ରାୟ । ଆଧୁନିକ ଓଡ଼ିଆ ସାହିତ୍ୟର ଜଣେ ଅନନ୍ୟ ପ୍ରତିଭା। ଓଡ଼ିଆ ଭାଷା ସାହିତ୍ୟର ଅଭିବୃଦ୍ଧି ଓ ପ୍ରସାର କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ସମଗ୍ର ଓଡ଼ିଆ ଜାତି ତାଙ୍କ ପ୍ରତି କୃତଜ୍ଞ ରହିଥିବ। ଓଡ଼ିଆ ପାଠ୍ୟ ପୁସ୍ତକ ପ୍ରଣୟନ କ୍ଷେତ୍ରରେ ତାଙ୍କର ଅବଦାନ ମଧ୍ୟ ଅବିସ୍ମରଣୀୟ। ମଧ୍ୟୟୁଗୀୟ କାବ୍ୟ ପରମ୍ପରାକୁ ଅତିକ୍ରମ କରି ଓଡ଼ିଆ କାବ୍ୟ ରଚନା କ୍ଷେତ୍ରରେ ଆଧୁନିକତାର ସ୍ପର୍ଶ ଦେଇ କବିବର ରାଧାନାଥ ଏକ ବିପ୍ଳବର ସୂତ୍ରପାତ କରିଥିଲେ । ଆଧୁନିକ ଓଡ଼ିଆ ସାହିତ୍ୟର ଏହି ବିଶ୍ବକର୍ମାଙ୍କର ଆଜି ଜନ୍ମଦିନ।
କବିବର ରାଧାନାଥ ରାୟଙ୍କର ଚରିତ କବିତା ଆଜିବି ପାଠକଙ୍କ ମନରେ ଆଲୋଡ଼ନ ସୃଷ୍ଟି କରେ । । ଆଧୁନିକ ଓଡ଼ିଆ ସାହିତ୍ୟର ଏହି ବିଶ୍ବକର୍ମାଙ୍କର ଆଜି ଜନ୍ମଦିନ । 28 ସେପ୍ଟେମ୍ବର 1848 ରେ ବାଲେଶ୍ବର ଜିଲ୍ଲା ସୋର ଅନ୍ତର୍ଗତ କେଦାରପୁର ଗାଁରେ କବିବରଙ୍କ ଜନ୍ମ ହୋଇଥିଲା । ସୁନ୍ଦର ନାରାୟଣ ରାୟ ଓ ତାରିଣୀ ଦାସୀଙ୍କର ଜ୍ୟେଷ୍ଠ ସନ୍ତାନ ଥିଲେ ରାଧାନାଥ । ପିଲାଦିନରୁ ସେ ମାଆଙ୍କୁ ହରାଇଥିଲେ । ଶୈଶବରୁ ଅତ୍ୟନ୍ତ ରୋଗପ୍ରବଣ ଥିଲେ ରାଧାନାଥ । ସେଥିପାଇଁ ତାଙ୍କ ପାଠପଢ଼ାରେ ବାରମ୍ବାର ବ୍ୟାଘାତ ସୃଷ୍ଟି ହୋଇଥିଲା । ରାଧାନାଥ ବାଲେଶ୍ୱର ଜିଲ୍ଲାସ୍କୁଲରୁ ଏଣ୍ଟ୍ରାନ୍ସ ପାସ କରି କଲିକତାକୁ ଏଫ୍.ଏ ପଢ଼ିବାକୁ ଯାଇଥିଲେ । ତେବେ ସେଠାରେ ସ୍ୱାସ୍ଥ୍ୟହାନି ଘଟିବାରୁ ପାଠପଢ଼ା ଅଧାରୁ ଛାଡ଼ି ବାଲେଶ୍ବର ଫେରିଆସିଲେ । କିଛିଦିନ ପରେ ସେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ମାସିକ ୩ ଟଙ୍କା ବେତନରେ ଶିକ୍ଷକତା ଆରମ୍ଭ କରିଥଲେ । ହେଲେ ପାଠପଢ଼ାର ମୋହ ତାଙ୍କର ତୁଟିନଥିଲା । ସେ ଘରେ ପାଠ ପଢ଼ି ଏଫ୍.ଏ ପାସ୍ କରିଥିଲେ ।
ବି.ଏ. ପରୀକ୍ଷାର ସମସ୍ତ ପାଠ ମଧ୍ୟ ନିଜ ଉଦ୍ୟମରେ ଘରେ ପଢ଼ିଥିଲେ । ବାଲେଶ୍ୱର ଜିଲ୍ଲା ସ୍କୁଲରେ ରାଧାନାଥ ୫ ବର୍ଷକାଳ ଶିକ୍ଷକତା କରିଥିଲେ । ଏହି ସମୟ ମଧ୍ୟରେ ରେମୁଣାର ଚନ୍ଦ୍ରମୋହନ ଆଦିତ୍ୟଙ୍କ କନ୍ୟା ପରଶମଣିଙ୍କ ସହ ରାଧାନାଥଙ୍କ ବିବାହ ସମ୍ପନ୍ନ ହୋଇଥିଲା । ପରେ ପୁରୀ ଜିଲ୍ଲା ସ୍କୁଲକୁ ତାଙ୍କର ବଦଳି ହୋଇଥିଲା । ୧୮୭୬ରେ ସ୍କୁଲ ବିଭାଗୀୟ ଡ଼େପୁଟି ଇନ୍ସପେକ୍ଟର୍ ପଦରେ ବାଲେଶ୍ୱର ଜିଲ୍ଲାକୁ ସେ ପୁଣି ଫେରି ଆସିଲେ । ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ଅବଦାନ ପାଇଁ ରାଧାନାଥଙ୍କୁ ବ୍ରିଟିଶ୍ ସରକାର ରାୟ ବାହାଦୁର ଉପାଧି ପ୍ରଦାନ କରିଥିଲେ ।
ରାଧାନାଥଙ୍କ ସମୟରେ ଓଡ଼ିଆ ଭାଷା ଆନ୍ଦୋଳନ ସକ୍ରିୟ ରୂପ ନେଇଥିଲା । କିଛି ବଙ୍ଗଳା ଶିକ୍ଷାବିତ ଓଡ଼ିଆ ଭାଷାକୁ ବିଲୁପ୍ତ କରିବାକୁ ଏବଂ ଓଡ଼ିଶାର ସ୍କୁଲଗୁଡ଼ିକରେ ଶିକ୍ଷାର ମାଧ୍ୟମ ବଙ୍ଗଳା କରିବାକୁ ଚକ୍ରାନ୍ତ କଲେ । ରାଧାନାଥ ରାୟ ସେତେବେଳେ ଓଡ଼ିଶା ସ୍କୁଲ ଅସୋସିଏସନର ଇନସ୍ପେକ୍ଟର ଭାବେ ଯୋଗଦେଲେ । ରାଧାନାଥ ବଙ୍ଗୀୟ ହେଲେ ମଧ୍ୟ ଓଡ଼ିଶା ଏବଂ ଓଡ଼ିଆ ଭାଷା ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ଥିଲା । ସେ ଓଡ଼ିଆ ଭାଷାର ଶାସ୍ତ୍ରୀୟତା ଓ ମହନିୟତାକୁ ହୃଦୟଙ୍ଗମ କରିପାରିଥିଲେ । ସେତେବେଳେ ବିଦ୍ୟାଳୟରେ ବଙ୍ଗଳା ପାଠ୍ୟ ପୁସ୍ତକ ପ୍ରଚଳନକୁ ବିରୋଧ କରି ଓଡ଼ିଆ ବହି ବ୍ୟବହାର ପାଇଁ ଚାପ ପକାଇଥିଲେ ରାଧାନାଥ । ଭାଷା ମାଫିଆଙ୍କ ବିରୋଧରେ ଲଢେଇ କରି ଓଡ଼ିଶାରେ କୁଚକ୍ରାନ୍ତ ରଚୁଥିବା ଗୋଷ୍ଠୀକୁ ଉଚିତ ଜବାବ ଦେଇଥିଲେ ।
କବିବର ରାଧାନାଥ ପ୍ରାଚୀନ କାବ୍ୟ ସାହିତ୍ୟ ପରମ୍ପରାକୁ ବିଦାୟ ଦେଇ ନବ ସାହିତ୍ୟର ମୂଳଦୁଆ ପକାଇଥିଲେ । ସେ ପାଶ୍ଚାତ୍ୟ ସାହିତ୍ୟ ଦ୍ବାରା ଅନୁପ୍ରାଣିତ ହୋଇଥିଲେ । ଇଂରାଜୀ, ସଂସ୍କୃତ, ବଙ୍ଗଳା ଏବଂ ଓଡ଼ିଆ ଭାଷାରେ ତାଙ୍କର ଅସାଧାରଣ ପାଣ୍ଡିତ୍ୟ ଥିଲା । ରାଧାନାଥଙ୍କର ପ୍ରଥମ ଗଦ୍ୟ ‘’ବିବେକୀ ୧୮୭୩ରେ ଏବଂ ୧୮୮୫ରେ ପ୍ରଥମ କାବ୍ୟ ‘’କେଦାରଗୌରୀ’’ ପ୍ରକାଶ ପାଇଥିଲେ । ତାଙ୍କ ରଚିତ ମହକାବ୍ୟ ‘’ମହାଯାତ୍ରା’’ ସହିତ ‘’ଚିଲିକା’’, ‘’ଦରବାର’’, ‘’ଉର୍ବଶୀ’’, ‘’ନନ୍ଦିକେଶ୍ଵରୀ’’, ‘’କେଦାରଗୌରୀ’’, ‘’ଯଯାତି କେଶରୀ’’ ଏବଂ ଏକାଧିକ କାବ୍ୟାବଳୀରେ ଓଡ଼ିଆ ସାହିତ୍ୟ ଭଣ୍ଡାର ସମୃଦ୍ଧ ହୋଇଥିଲା । ସଂସ୍କୃତରେ ଜାତୀୟ କବିତା ‘’ସର୍ବେଷାଂ ନୋ ଜନନୀ…’’(?), ‘’କଳକୀ ସ୍ତୋତ୍ରମ’’, ‘’ଧବଳେଶ୍ଵର ମଣ୍ଡିତମ’’, ‘’ହଂସଧ୍ବଜ ରଚନା’’, ଓ ‘’ମେଘଦୂତ’’ ଭଳି ଅନେକ ମହାକାବ୍ୟ ରଚନା କରିଛନ୍ତି ।
ତାଙ୍କ ରଚନାର ମାଧୁର୍ଯ୍ୟ, ପଦଲାଳିତ୍ୟ, ସାରଳତା ଓ ସୁରୁଚି ପାଠକଙ୍କୁ ମୁଗ୍ଧ କରିଥାଏ । ଓଡ଼ିଆ ସାହିତ୍ୟରେ ପ୍ରବେଶ ପରେ ଜଣେ ଜାତୀୟ ସ୍ତରୀୟ ଓଡ଼ିଆ କବି ଭାବେ ସମଗ୍ର ଭାରତ ବର୍ଷରେ ସେ ପରିଚିତ ହୋଇଥିଲେ । ୧୯୦୮ ମସିହା ଏପ୍ରିଲ ୭ ତାରିଖରେ ଓଡ଼ିଆ ଆଧୁନିକ ସାହିତ୍ୟର ଏହି ଆଦ୍ୟ ସ୍ରଷ୍ଟାଙ୍କର ପରଲୋକ ହୋଇଥିଲା । ତେବେ ତାଙ୍କ ରଚିତ କାଳଜୟୀ ସାହିତ୍ୟ ଯୋଗୁଁ କବିବର ରାଧାନାଥ ରାୟ ପ୍ରତିଟି ଓଡ଼ିଆଙ୍କ ପାଇଁ ଚିରକାଳ ପ୍ରେରଣାଦାୟୀ ହୋଇ ରହିବେ । ଜନ୍ମଦିନ ଅବସରରେ ଓଡ଼ିଶା ମାଟିର ଏହି ମହାନ ବରପୁତ୍ରଙ୍କୁ ଅର୍ଗସ ନ୍ୟୁଜର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।
ଅଧିକ ପଢନ୍ତୁ ଓଡ଼ିଶା ଖବର