କିନ୍ତୁ ଓଡ଼ିଆଙ୍କ ସାମ୍ନାରେ ଥିଲା ଦୁଇ ଦୁଇଟି ଆହ୍ବାନ। ଦେଶମାତୃକାକୁ ଫିରିଙ୍ଗି ଶାସନ କବଳରୁ ମୁକ୍ତି କରିବା ଏବଂ ଓଡ଼ିଆ ଭାଷାର ସୁରକ୍ଷା କରିବା । ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକ ତତ୍ତକାଳୀନ ମାଡ୍ରାସ, କଲିକତା ଓ ବିହାର ପ୍ରେସିଡେନ୍ସୀ ଅଧିନରେ ମିଶିକରିରହିଥିଲା । ତେଣୁ ଓଡ଼ିଆ ଭାଷା ଦକ୍ଷିଣରେ ତେଲୁଗୁ, ପଶ୍ଚିମରେ ହିନ୍ଦୀ ଏବଂ ଉତ୍ତରରେ ବଙ୍ଗଳା ଭାଷାର ପ୍ରଭାବରେ ଅସ୍ବିତ୍ବ ରକ୍ଷା ପାଇଁ ଲଢେଇ କରୁଥିଲା। ବ୍ରିଟିଶ୍ ସରକାର ଦ୍ବାରା ପ୍ରତିଷ୍ଠା କରାଯାଇଥିବା ବିଦ୍ୟାଳୟଗୁଡ଼ିକରେ ଓଡ଼ିଆ ଭାଷା ବଦଳରେ ଓଡ଼ିଆଙ୍କୁ ବଙ୍ଗଳା ପଢ଼ାଯାଉଥିଲା। ଓଡ଼ିଆ ଭାଷା ବିରୋଧରେ ଏହି ଚକ୍ରାନ୍ତ ଅଧିକ ଘାତକ ହେବା ପୂର୍ବରୁ ଭାଷାର ସୁରକ୍ଷା ପାଇଁ ଆଗକୁ ଆସିଥିଲେ କେତେକ ସ୍ବାଧୀନ ଚେତା ଓଡ଼ିଆ। ସେମାନଙ୍କ ମଧ୍ୟରେ ଅଗ୍ରଣୀ ଭୂମିକାରେ ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ। ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକର ଏକତ୍ରିକରଣ ନିମନ୍ତେ ମଧୁ ବାବୁ ଯେଉଁ ପ୍ରଚେଷ୍ଟା ଜାରି ରଖିଥିଲେ ଉତ୍କଳ ସମ୍ମିଳନୀର ପ୍ରତିଷ୍ଠା ଦ୍ବାରା ତାହା ଆନୁଷ୍ଠାନିକ ରୂପ ନେଇଥିଲା। ଉତ୍କଳ ଗୌରବଙ୍କ ଉଦ୍ୟମରେ 1882 ମସିହା ଅଗଷ୍ଟ 16 ତାରିଖରେ କଟକଠାରେ ଗଠନ ହେଲା ଉତ୍କଳ ସଭା। ଏହା ଥିଲା ଓଡ଼ିଶାର ସର୍ବପ୍ରଥମ ସୁସଂଗଠିତ ରାଜନୈତିକ ଅନୁଷ୍ଠାନ। ଉତ୍କଳ ସମ୍ମିଳନୀର ମହା ସିନ୍ଧୁରେ ନିଜର ପ୍ରାଣ ବିନ୍ଦୁ ମିଶାଇ ଦେବା ପାଇଁ ସବୁ ଓଡ଼ିଆଙ୍କୁ ଉତ୍କଳ ଗୌରବ ମଧୁସୂଦନ ଆହ୍ବାନ ଦେଇଥିଲେ। ପରବର୍ତ୍ତି ସମୟରେ ଉତ୍କଳ ସମ୍ମିଳନୀ ହିଁ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମୁଖ୍ୟ କର୍ଣ୍ଣଧାର ସାଜିଥିଲା। ଖୁବ୍ ସଂଘର୍ଷ ମୟ ଥିଲା ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଇତିହାସ। ଉତ୍କଳ ଗୌରବ ମଧୁସୂଦନଙ୍କ ଆହ୍ବାନରେ ଏହି ମହା ଯଜ୍ଞରେ ସାମିଲ ହୌଇଥିଲେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ମୟୂରଭଞ୍ଜ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ, ଉତ୍କଳମଣୀ ଗୋପବନ୍ଧୁ ଦାସ, ବ୍ୟାସକବି ଫକୀର ମୋହନ ସେନାପତି, ସ୍ବଭାବ କବି ଗଙ୍ଗାଧର ମେହେର ଓ କବିବର ରାଧାନାଥ ରାୟ ପ୍ରମୁଖ। ଏମାନଙ୍କ ସହ ଆହୁରି ଶହ ଶହ ମନିଷୀଙ୍କର ନିରନ୍ତର ପ୍ରଚେଷ୍ଟା ଯେଗୁଁ ଶେଷରେ 1 ଏପ୍ରିଲ 1936ରେ ଭାରତର ପ୍ରଥମ ଭାଷ ଭିତ୍ତିକ ରାଜ୍ୟ ଭାବେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନକୁ ସ୍ବୀକୃତି ଦେଇଥିଲେ ବ୍ରିଟିଶ୍ ସରକାର।
ତେବେ ଏହି ସଫଳତା ଦେଖିବା ପୂର୍ବରୁ କୁଳବୃଦ୍ଧ ମଧୁସୂଦନ ଦାସଙ୍କ ପରଲୋକ ହୋଇସାରିଥିଲା। କଟକ, ପୁରୀ, ବାଲେଶ୍ବର, ସମ୍ବଲପୁର, ଗଞ୍ଜାମ ଓ କୋରାପୁଟ ଏହି 6ଟି ଜିଲ୍ଲାକୁ ନେଇ ଗଠନ ହୋଇଥିଲା ସ୍ବତନ୍ତ୍ର ଉତ୍କଳ ପ୍ରଦେଶ । ନୂଆ ରାଜ୍ୟର ରାଜଧାନୀ ହେଲା କଟକ । କେନ୍ଦ୍ରୀୟ ପ୍ରଦେଶରୁ ଖରିଆର, ପଦ୍ମପୁର, ବିଶଖାପାଟଣା ଏଜେନ୍ସୀରୁ ଜୟପୁର ଜମିଦାରୀ ଓ ପଟ୍ଟାଙ୍ଗି। ମାନ୍ଦ୍ରାଜ ପ୍ରେସିଡେନ୍ସ୍ରିରୁ ଘୁମୁସର, ଆସ୍କା, ସୋରଡ଼ା, କୋଦଳା ଓ ଛତ୍ରପୁରକୁ ଅଣାଯାଇ ଓଡ଼ିଶାରେ ସାମିଲ କରାଯାଇଥିଲା। ରେଭେନ୍ସା କଲେଜ ହଲରେ ମହାଆଡମ୍ବରପୂର୍ଣ୍ଣ ଉତ୍ସବ 1936 ଏପ୍ରିଲ 1ରେ ପାଳନ କାରଯାଇଥିଲା । ରାଜ୍ୟର ଶାସନ ମୁଖ୍ୟ ହୋଇଥିଲେ ରାଜ୍ୟପାଳ। ଓଡ଼ିଶାର ପ୍ରଥମ ରାଜ୍ୟପାଳ ଭାବେ ସାର ଜନ୍ ଅଷ୍ଟିନ୍ ହାୱାକ୍ ଶପଥ ପାଠ କରିଥିଲେ। ଯଦି ଠିକ୍ ସମୟରେ ଉତ୍କଳ ପ୍ରଦେଶ ଗଠନର ମହାନାୟକମାନେ ଉଦ୍ୟମ କରିନଥାନ୍ତେ । ଦେଶ ସ୍ବାଧୀନ ହୋଇଥିଲେ ବି ଓଡ଼ିଶା ଏବଂ ଓଡ଼ିଶା ଭାଷା ହୁଏତ ତାର ଅସ୍ତିତ୍ବ ରକ୍ଷା କରିବାରେ କେବେହେଲେ ସଫଳ ହୋଇପାରିନଥାନ୍ତା।
ଅଧିକ ପଢନ୍ତୁ ଓଡିଶା ଖବର