ଆଜି ସାରା ବିଶ୍ୱ ପାଳୁଛି ଜଳ ଦିବସ । ସ୍ଵଛ ଓ ସୁରକ୍ଷିତ ଜଳ ଉପଲବ୍ଧି ସହିତ ଜଳ ସଂରକ୍ଷଣର ଆବଶ୍ୟକତା ଦିଗରେ ସଚେତନତା କରିବା ହେଉଛି ଏଭଳି ଏକ ଦିବସ ପାଳନର ବିଶେଷତ୍ୱ । ଏହା ପାଇଁ ସରକାର ପାଣି ପରି ଖର୍ଚ୍ଚ କରୁଛନ୍ତି ଟଙ୍କା । କିନ୍ତୁ ଯୋଜନାରୁ ସୁଫଳ ମିଳୁନଥିବାରୁ ମେଣ୍ଟାଇ ହେଉନି ଲୋକଙ୍କ ଶୋଷ । ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ଲୋକଙ୍କୁ ମୁନ୍ଦାଏ ପାଣି ଯୋଗାଡ଼ ପାଇଁ କେଉଁଠି ପାହାଡ଼ ପାର ହେବାକୁ ପଡୁଛି ତ କେଉଁଠି ଚୁଆ ପାଣିରେ ଶୋଷ ମରୁଛି ।
ପ୍ରଦୂଷିତ ଜଳ ଜହର ପାଲଟି କେଉଁଠି ଲୋକଙ୍କ ମୁଣ୍ଡ ନେଉଛିତ କେଉଁଠି ଜଳ ପାଇଁ ସୃଷ୍ଟି ହେଉଛି ସାହି ବିବାଦ । ମୁନ୍ଦାଏ ସ୍ଵଛ ଜଳ ଯୋଗାଇବା ପାଇଁ ସରକାରୀ ପ୍ରତିଶ୍ରୁତି ପାଣିରେ ଗାର ପାଲଟିଛି । କଳାହାଣ୍ଡି କନ୍ଧମାଳ ଠାରୁ କୋରାପୁଟ ଆଉ ରାୟଗଡା ସୁନ୍ଦରଗଡ଼ ମାଲକାନଗିରି ଠାରୁ ମୟୁରଭଞ୍ଜ ଯାଏଁ ଅନେକ ଜିଲ୍ଲାରେ ଲୋକେ ଭୋଗୁଛନ୍ତି ଜଳ ଯନ୍ତ୍ରଣା ।
ଜଳ ମୁନ୍ଦାଏ ଯୋଗାଡ଼ ପାଇଁ ଦହଗଞ୍ଜ ହେଉଛି ମଣିଷ । ପାଣି ପାଇଁ ପାର ହେବାକୁ ପଡୁଛି ପାହାଡ଼ ଆଉ ଜଙ୍ଗଲ । ଗାଁ ଠାରୁ ଦୂରରେ ଥିବା ଖୋଳା କୂଅରୁ ଜଳ ଯୋଗାଡ଼ କଲେ ମେଣ୍ଟୁଛି ଶୋଷ । କୂଅ ନିକଟରେ ତାଟିଆ ତାଟିଆ କରି ମାଠିଆରେ ଜଳ ଭରୁଥିବାର ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି କନ୍ଧମାଳ ଜିଲ୍ଲାର ବାଲିଗୁଡା
ଉପଖଣ୍ଡ ଅଞ୍ଚଳରେ ସେପଟେ ଜଳ ଯନ୍ତ୍ରଣାର ସମାନ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ । ନଈ ପଠାରେ ବାଲିକୁ ଆଡେଇ ଚାଲିଛି ଜଳ ସଂଗ୍ରହ । ଜଳ ମୁନ୍ଦାଏ ପାଇଁ ଦୈନିକ ଗାଁର ମହିଳା ମାନଙ୍କୁ ଘରଠୁ ଦୂର ନଈକୁଳକୁ ଆସିବାକୁ ହେଉଛି ।
ରାୟଗଡା ପୌରପାଳିକା ଅଞ୍ଚଳରେ ଜଳଯୋଗାଣ ପାଇଁ ଟଙ୍କା ଖର୍ଚ୍ଚ ହୋଇଛି । ଦ୍ୱାର ମୁହଁକୁ ପାଣି ଆସିବ ବୋଲି ପାଇପ ବିଛା ଯାଇଛି କିନ୍ତୁ ପାଣି ନାହିଁ । ମହିଳା ମାନେ ପାଣି ସଂଗ୍ରହ ପାଇଁ ଘର ଠାରୁ ଦୁରକୁ ଆଉ ଏକ ଷ୍ଟାଣ୍ଡପୋଷ୍ଟ ନିକଟକୁ ଯାଇ ଅପେକ୍ଷା କରିଛନ୍ତି । ଜଣେ ସଂଗ୍ରହକାରୀ କହନ୍ତି ଏଠି ଗୋଟେ ଦିନ ପାଣି ମିଳିଲେ ଗୋଟେ ଦିନ ନାହିଁ । ପାଣି ସଂଗ୍ରହ ପାଇଁ ଆମେ କାମ କରିବାକୁ ବି ଯାଇପାରୁନୁ । ।
ଖରାଦିନ ଆରମ୍ଭରୁ ଅସହ୍ୟ ହେଲାଣି ତାତି । କେତେକ ଅଞ୍ଚଳରେ ତାତିଠୁ ବଳି ଯାଇଛି ଜଳ କଷ୍ଟ । ଉପକୂଳରୁ ଉପାନ୍ତ ଯାଏଁ ଅନେକ ଗାଁରେ ଆରମ୍ଭ ହୋଇଯାଇଛି ଜଳ ଯନ୍ତ୍ରଣା । କେଉଁଠି ନଈର ଗୋଳିଆ ପ୍ରଦୂଷିତ ପାଣିକୁ ବ୍ୟବହାର କରାଯାଉଛି ତ କେଉଁଠି ନଳକୂପ ନିକଟରେ ଦେଖିବାକୁ ମିଳିଲାଣି ଭିଡ଼ । କେଉଁଠି ସରକାରୀ ଜଳ ଯୋଗାଣ ବ୍ୟବସ୍ଥା ଫେଲ ହୋଇଛି ତ କେଉଁଠି ଗାଁ ପୋଖରୀର ନେଳି ପାଣିରେ ହେଉଛି ସବୁ ପ୍ରକାର ସାରବାର ।
ଗଂଜାମ ,ଗଜପତି ,ରାୟଗଡା, କଳାହାଣ୍ଡି ଚାରିଆଡେ ଏଭଳି ଜଳ ସଙ୍କଟର ନିଛକ ବାସ୍ତବତା ସରକାରୀ ଜଳ ଯୋଗାଣର ଗୁମର ଖୋଲିଦେଇଛି । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକରେ ଜଳ ପାଲଟିଛି ବିଷ । ନଳକୂଅ ପାଣିରେ ମାତ୍ରାଧିକ ଫ୍ଲୋରାଇଡ ଥିବାରୁ ଗଲାଣି ୧୨ ଜଣଙ୍କ ଜୀବନ । ପ୍ରଦୂଷଣ କବଳରେ ଏବେ ବି ଗାଁର ୬ଜଣ ଛଟପଟ ହେଉଥିବା ବେଳେ ମଂଜୁର ହୋଇଥିବା ୩୬୮ କୋଟି ଟଙ୍କାର ସ୍ଵଜଳଧାରା ଯୋଜନା ଅଟକି ରହିଛି । ଦ୍ୱାର ମୁହଁରେ ପାନୀୟ ଜଳ ଯୋଗାଣର ସରକାରୀ ପ୍ରତିଶ୍ରୁତି ଏବେ ବି ପାଣିରେ ଗାର ପାଲଟିଛି । ପ୍ରଦୂଷିତ ଜଳ ଦୂରରୁ ସଂଗ୍ରହ କରି ଶୋଷ ମେଣ୍ଟୁଥିବା ବେଳେ ଯୋଜନ ଦୂରରେ ଅଟକିଛି ବହୁ ଜଳ ଯୋଗାଣ ଯୋଜନା ।