ପିତାମାତା, ଯାହାଙ୍କଠାରୁ ଆମେ ଜୀବନର ମାନେ ଶିଖୁ। ବଞ୍ଚିବାର ରାହା ପାଉ। ତା ପରେ ଆସନ୍ତି ଶିକ୍ଷାଗୁରୁ। ଜୀବନରେ ଅଜ୍ଞାନ ଅନ୍ଧକାରରୁ ଜ୍ଞାନର ଆଲୋକ ପଥକୁ ସିଏ ହିଁ ନେଇ ଯାଆନ୍ତି ଆମକୁ।
ବୈଦିକ ଯୁଗରେ ମନୁଷ୍ୟ ଜୀବନକୁ ୪ ଆଶ୍ରମରେ ବାଣ୍ଟି ଦିଆଯାଇଥିଲା । ବ୍ରହ୍ମଚାର୍ୟ୍ୟ, ଗାର୍ହ୍ୟସ୍ଥ, ବାନପ୍ରସ୍ଥ ଓ ସନ୍ନ୍ୟାସ । ବାନପ୍ରସ୍ଥ ଆଶ୍ରମରେ ପିଲାମାନେ ଗୁରୁଗୃହରେ ରହି ଶିକ୍ଷାଗ୍ରହଣ କରୁଥିଲେ । ଯାହା ସମ୍ପ୍ରତି ପରିବର୍ତ୍ତିତ ହୋଇଛି। ଆମେ ସ୍କୁଲ, କଲେଜ ଯାଇ ପାଠ ଶାଠ ପଢୁଛେ। କିନ୍ତୁ ଗୁରୁମାନଙ୍କ ଗୁରୁତ୍ବ କେବେ ବି କମିନାହିଁ କି କମିବ ନାହିଁ।
ପୁରାଣରେ ଗୁରୁ ପରଶୁରାମ, ଦ୍ରୋଣ, ବିଶ୍ୱାମିତ୍ର, ବଶିଷ୍ଠ, ଶୁକ୍ରାଚାର୍ୟ୍ୟ, ସାନ୍ଦୀପନି, ଦୁର୍ବାସା ଭଳି ଗୁରୁଙ୍କ ବର୍ଣ୍ଣନା ରହିଛି। ଯାହାଙ୍କ ପାଇଁ ଆରୁଣୀ, ଏକଲବ୍ୟ, ଭୃଗୁ , ନଚିକେତା, ଉପମନ୍ୟୁ, କର୍ଣ୍ଣ, ଅର୍ଜୁନଙ୍କ ଭଳି ଅନେକ ଉତ୍ତମ ଶିଷ୍ୟ ସୃଷ୍ଟି ହୋଇଛନ୍ତି।
ଏଣୁ ଗୁରୁଙ୍କୁ ସମ୍ମାନ ଜଣାଇ ଆମ ଦେଶରେ ପ୍ରତିବର୍ଷ ଆଷାଢ ପୂର୍ଣ୍ଣିମାକୁ ଗୁରୁ ପୁର୍ଣ୍ଣିମା ରୂପେ ପାଳନ କରାଯାଉଛି । କିନ୍ତୁ ଆଧୁନିକ ଭାରତର ଦ୍ବିତୀୟ ରାଷ୍ଟ୍ରପତି ତଥା ପ୍ରଥମ ଉପରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସକୁ ଗୁରୁ ଦିବସ ରୂପେ ପାଳନ କରାଯାଏ ।
ସେ ୧୮୮୮ ମସିହା ସେପ୍ଟେମ୍ବର ମାସ ୫ ତାରିଖରେ ମାନ୍ଦ୍ରାଜର ତିରୁତାଣୀ ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ । ଛାତ୍ରମାନଙ୍କ ସହ ସେ ଆତ୍ମୀୟ ଭାବରେ ମିଶୁଥିଲେ । ବିଶ୍ୱର ସର୍ବଶ୍ରେଷ୍ଠ ଦାର୍ଶନିକ ରାଧାକ୍ରିଷ୍ଣନ୍ ଛାତ୍ରଛାତ୍ରୀଙ୍କ ପାଇଁ ଓ ସମସ୍ତ ଗୁରୁଙ୍କ ପାଇଁ ପ୍ରେରଣା ଥିଲେ । ସମସ୍ତଙ୍କ ଆଦର୍ଶ ଭାବରେ ସେ ପରିଗଣିତ ହେଉଥିବାରୁ ଗୁରୁ ଦିବସଟି ତାଙ୍କୁ ହିଁ ସମର୍ପିତ।
କିନ୍ତୁ ଦୁଃଖର ବିଷୟ ଆଜିକାଲି ଶିକ୍ଷାର ବ୍ୟବସାୟୀକରଣ ଯୋଗୁ ଗୁରୁଙ୍କ ମାର୍ୟ୍ୟାଦା ମଧ୍ୟ କିଛିକାଂଶରେ ହ୍ରାସ ହେଉଛି। ଯାହାକି ଏକ ବିରାଟ ସମସ୍ୟା । ଗୁରୁ ଓ ଶିଷ୍ୟ ମଧ୍ୟରେ ସମନ୍ୱୟର ଅଭାବ କ୍ରମଶଃ ଶିକ୍ଷାକୁ ଅଧୋପତିତ କରୁଛି । ଏଣୁ ଏହି ଗୁରୁଦିବସରେ ଏହି ସମସ୍ୟାକୁ ଦୂର କରିବାକୁ ଚେଷ୍ଟିତ ହେବାକୁ ଆଶା କରିବା।