ଆଜି ବୈଦିକ ରୀତିନୀତି ଅନୁଯାୟୀ ମଙ୍ଗଳପାଗ ନୀତି ଅନୁଷ୍ଠିତ ହେଉଅଛି। ବରପିତା ଓ କନ୍ୟାପିତାଙ୍କ ପକ୍ଷରୁ ଏକ ସୁସଜ୍ଜିତ ବିମାନରେ ମନ୍ଦିରରୁ ବାବାଙ୍କ ଚଳନ୍ତି ପ୍ରତିମା ହର , ମାତା ପାର୍ବତୀଙ୍କ ଚଳନ୍ତି ପ୍ରତିମା ଗୌରୀଙ୍କୁ ନିଜ ଘରକୁ ନେଇ ଲୋକାଚାରରେ ମଙ୍ଗଳପାଗ ନୀତି ଅନୁଷ୍ଠିତ ହୋଇଛି। ତାହାସହ ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ସହ ପୂଜା ଚାଲିଛି। ବାବା ହର ଓ ମାତା ପାର୍ବତୀଙ୍କୁ ସ୍ଥାନୀୟ 7 ଜଣ ମହିଳା ସେବାୟତ ମାନେ ହଳଦୀ, ଚନ୍ଦନ, ଅଗୁରୁ ଜଳରେ ମଙ୍ଗଳପାଗ କରିଛନ୍ତି। ଆସନ୍ତାକାଲି ଶିବ ବିବାହ ପ୍ରସେସନରେ ସମସ୍ତ ଦେବ ଗଣ ସହ ବିଷ୍ଣୁ, ବ୍ରହ୍ମା ଯିବେ। ତେବେ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ନଦୀ ଘାଟମାନଙ୍କର ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁ ମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। ଏହି ବିବାହକୁ ନେଇ ସ୍ଥାନୀୟ ସେବାୟତଙ୍କ ମଧ୍ୟରେ ବେଶ ଖୁସିର ମାହୋଲ ଦେଖିବାକୁ ମିଳିଛି।
ଉତ୍ସବରେ ରାଜ୍ୟ ଓ ପଡୋଶୀ ରାଜ୍ୟରୁ ବିଭିନ୍ନ ସାଂସ୍କୃତିକ ବାଦ୍ୟକାରଙ୍କ ସହ ନୃତ୍ୟଶିଳ୍ପୀ ଯୋଗ ଦେବେ । ଏଥିପାଇଁ ପୀଠରେ ସରିଛି ସମସ୍ତ ପ୍ରସ୍ତୁତି । ପୀଠ ରଙ୍ଗିନ ଆଲୋକମାଳାରେ ଝଲସି ଉଠିବା ସହ ବାଜାବାଣ ରୋଷଣୀରେ ପ୍ରକମ୍ପିତ ହେବ । ଏହି ବିବାହ ଉତ୍ସବ ଦେଖିବା ପାଇଁ ପୀଠକୁ ଏବେଠାରୁ ଭକ୍ତମାନଙ୍କର ଆଗମନ ହେବାରେ ଲାଗିଛି।
ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର