ଢେଙ୍କାନାଳ: ହାତରେ ତାଙ୍କର ଜାଦୁ ଅଛି । ପେନସିଲ୍ ଛୁଇଁଲେ ଆଙ୍କି ପକାଉଛନ୍ତି ଅବିକଳ ଚିତ୍ର । ଏଭଳି ଜଣେ ଚିତ୍ରଶିଳ୍ପୀ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ବାରିହାପୁର ଗାଁର ମାନସ ରଞ୍ଜନ ସାହୁ ଓରଫ ମୁନା ଭାଇ ।
ଛୋଟ ବେଳୁ ପାଠପଢା ସହ ମାଟି କାଦୁଅରେ ସୁନ୍ଦର ସୁନ୍ଦର ମୂର୍ତ୍ତି ତିଆରି କରୁଥିଲେ । ଆଉ କାଗଜ ପେନସିଲରେ ସାଙ୍ଗସାଥିଙ୍କୁ ବସାଇ ସେମାନଙ୍କ ଅବିକଳ ଚିତ୍ର ଆଙ୍କି ପକାଉଥିଲେ । ଯାହାକି ବୟସ ବଢିବା ସଙ୍ଗେ ଏକ ନିଶାରେ ପରିଣତ ହୋଇଛି ।
କଳାରେ ଯୁକ୍ତ ତିନି ସାରିବା ପରେ ଭୁବନେଶ୍ୱର ସ୍ଥିତ ଧଉଳି ଚାରୁକଳା ମହାବିଦ୍ୟାଳୟରେ ନାମ ଲେଖାଇଥିଲେ । ସେଠାରୁ ସେ 2017ରେ ଭିଜୁଆଲ ଡିଗ୍ରୀ ହାସଲ କରିବା ପରେ ନିଜସ୍ୱ ଉଦ୍ୟମରେ ଗାଁରେ ଆରମ୍ଭ କରିଥିଲେ ମୁନା ଫାଇନ ଆର୍ଟ ନାମକ ଏକ ସଂସ୍ଥା ।
ଯେଉଁଥିରେ ମାର୍ବଲ, ବ୍ରୋଞ୍ଜ, ଗ୍ରାନାଇଟ, ଫାଇବରରେ ବିଭିନ୍ନ ମୂର୍ତ୍ତି ତିଆରି ଅର୍ଡର ରଖାଯିବା ସହ ଲୋକଙ୍କୁ ସୁଲଭ ମୂଲ୍ୟରେ ଭଳିକି ଭଳି ମୂର୍ତ୍ତି ଯୋଗାଇ ଦେଉଛନ୍ତି । ଯାହାର ମୂଲ୍ୟ 7 ହଜାରରୁ ଆରମ୍ଭ କରି 30 ହଜାର ପର୍ଯ୍ୟନ୍ତ ରହିଛି । ଏହାସହ 4ରୁ 5 ଜଣଙ୍କୁ ରୋଜଗାର ଯୋଗାଇଛନ୍ତି ।
ଏହାସହ କଳାରେ ଆଗ୍ରହ ରଖୁଥିବା ପିଲାଙ୍କୁ ସପ୍ତାହକୁ ଦୁଇ ଦିନ ମାଗଣାରେ ଶିକ୍ଷା ଦେଉଛନ୍ତି । ନିଜ କାମ ପାଇଁ ମାନସ ସାଙ୍ଗସାଥି ଓ ବନ୍ଧୁ ପରିଜନଙ୍କଠୁ ଖୁବ୍ ପ୍ରଶଂସା ସାଉଣ୍ଟିଛନ୍ତି ।