କଅଁଳିଆ ଖରା ସାଙ୍ଗକୁ କହଲା ପାଗରେ ଲାଇନ୍ ରେ ପ୍ରବେଶ ଅନୁମତି ପାଇଁ ଅପେକ୍ଷାରତ ଦୂର ଦୂରାନ୍ତ ରୁ ଆସିଥିବା ପର୍ଯ୍ୟଟକ ଙ୍କ ଗାଡି । ଏଠାକାର ସୁନ୍ଦର ସୁଉଚ୍ଚ ଜଳ ପ୍ରପାତ ସାଙ୍ଗକୁ ଝରଣା ର କୂଳୁକୂଳୁ ଶବ୍ଦ ପର୍ଯ୍ୟଟକ ଙ୍କୁ ସତେ ଯେପରି ଟାଣି ଆଣୁଛି ନିଜ ପାଖକୁ । ଜିଲ୍ଲାର ୨୭୫୦ ବର୍ଗ କିଲମିଟର ବ୍ୟାପି ରହିଛି ଏହି ଶିମିଳିପାଳ ଜୈବ ମଣ୍ଡଳ । ଶିମିଳିପାଳ ମଧ୍ୟରୁ ବୁଢ଼ାବଳଙ୍ଗ,ଖଇରୀ, ସାଳନ୍ଦୀ,ପଳପଳା ଓ ଦେଓ ନଦୀ ଭଳି୧୩ ଗୋଟି ନଦୀ ବହିଆସୁଥିବା ବେଳେ ଏଠାରେ ୪ କିସମର ଜଙ୍ଗଲ ମଧ୍ୟ ଦେଖିବାପଇଁ ମିଳିଥାଏ । ଏହା ସହ ଶିମିଳିପାଳ ମଧ୍ୟରେ ୧୦୭୬ ପ୍ରଜାତୀର ସ୍ତନ୍ୟପାୟୀ ପ୍ରାଣୀ ବାସ କରୁଥିବାବେଳେ ୨୯ ପ୍ରଜାତୀର ସରିସୃପ,୨୩୧ ପ୍ରଜାତୀର ପକ୍ଷୀ ଦେଖାଯାଇଥାନ୍ତି ।
ଶିମିଳିପାଳ ର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣୀତ କରିଥାଏ ଏଠାରେ ଥିବା ବରେହିପାଣି,ଜରନ୍ଦା, ଉସ୍କି,ଦେବକୁଣ୍ଡ ଓ ସୀତାକୁଣ୍ଡ ଭଳି ମନଲୋଭା ଜଳପ୍ରପାତ ଏବଂ କିରିବୁରୁ ଓ ମେଘାସନି ଭଳି ଦୁଇ ବୃହତ ପର୍ବତ ଶୃଙ୍ଗ । ତେଣୁ ପର୍ଯ୍ୟଟନ ରୁତୁ ଆସିଲେ ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରିବାପାଇଁ ଯେମିତି ଏଠାରେ ନିଜକୁ ନୁଆ ଢ଼ଙ୍ଗରେ ସଜେଇଦେଇଥାଏ ପ୍ରକୃତି ରାଣୀ । ତେଣୁ ପ୍ରକୃତୀକୁ ଭଲପାଉଥିବା ଓ ପ୍ରକୃତିକୁ ଅତି ନିକଟରୁ ଉପଭୋଗ କରିବା ସହ ବନ୍ୟପ୍ରାଣୀଙ୍କର ନିଆରା ମଜା ନେବାପାଇଁ ଦେଶ ବିଦେଶରୁ ଛୁଟିଆସନ୍ତି ଅନେକ ପର୍ଯ୍ୟଟକ । ଏବଂ ପାରମ୍ପାରିକ ନୃତ୍ୟଗୀତ ସହିତ ପୁଷ୍ପଗୁଚ୍ଛ ଦେଇ ଖୁବ୍ ଧୁମଧାମ୍ ରେ ପର୍ଯ୍ୟଟକଙ୍କୁ ସ୍ୱାଗତ କରିଥାନ୍ତି ଶିମିଳିପାଳ କର୍ତୃପକ୍ଷ ।
ଶିମିଳିପାଳ ଅଭୟାରଣ୍ୟକୁ ଦୁଇଟି ପ୍ରବେଶ ପଥ ରହିଥିବାବେଳେ ପ୍ରତିଦିନ ବାରିପଦା ପିଠାବଟା ଦେଇ ୨୫ଟି ଏବଂ ଯଶିପୁର କାଳିଆଣି ତନଖି ଫାଟକ ଦେଇ ୩୫ଟି ଗାଡି ଭିତରକୁ ଯିବାର ଅନୁମତି ରହିଛି । ଉକ୍ତ ତନଖି ଫାଟକରେ ପ୍ରବେଶ ଅନୁମତି ପତ୍ର ସକାଳ ୬ ଟା ରୁ ୯ ଟା ପର୍ଯ୍ୟନ୍ତ ବୁକିଂ କାଉଂଟରରେ ଉପଲବ୍ଧ ରହିବ । ଶିମିଳିପାଳ ଜୈବମଣ୍ଡଳ ମଧ୍ୟରେ ଥିବା ଯାତ୍ରୀ ନିବାସ ମାନଙ୍କରେ ରାତ୍ରୀ ଯାପନ ପାଇଁ ପର୍ଯ୍ୟଟକମାନେ www.ecotourism.com ୱେବ୍ ସାଇଟ୍ ମାଧ୍ୟମରେ ଅଗ୍ରୀମ ବୁକିଂ ମଧ୍ୟ କରିପାରିବେ ।
ଏହା ସହିତ ଯୋଶିପୁର ଠାରେ ଖଇରୀ ବାଘ ସମ୍ପର୍କରେ ପର୍ଯ୍ୟଟକଙ୍କୁ ଅବଗତ କରାଇବା ପାଇଁ ସ୍ୱତନ୍ତ୍ର ଭାବେ ଏକ ନୂତନ ସଂଗ୍ରହାଳୟ ବିଭାଗ ପକ୍ଷରୁ କରାଯାଇଛି ଯାହା ସମସ୍ତଙ୍କୁ ନିଶ୍ଚିତ ଭାବରେ ଭଲଲାଗିବ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶିଲିମିପାଳକୁ ଜିରୋ ପ୍ଲାଷ୍ଟିକ୍ ଜୋନ୍ କରିବା ପାଇଁ ପର୍ଯ୍ୟଟକଙ୍କୁ କୌଣସି ପ୍ଲାଷ୍ଟିକ୍ ଉପକରଣ ତଥା ପଲିଥିନ୍ କିମ୍ବା ପାଣି ବୋତଲ ନେଇ ଭିତରକୁ ପ୍ରବେଶ କରିବା ପାଇଁ ବନବିଭାଗ ପକ୍ଷରୁ କଟକଣା ଜାରି କରାଯାଇଛି ।
ଆବଶ୍ୟକୀୟ ବାତାବରଣ, ସନ୍ତୁଳିତ ପରିବେଶ,ଭୌଗଳିକ ସ୍ଥିତିର ଭିନ୍ନତାରେ ପ୍ରର୍ଯ୍ୟାପ୍ତ ସବୁଜିମା ରେ ପରିପୂର୍ଣ୍ଣ ଶିମିଳିପାଳ ଅଭୟାରଣ୍ୟ ଆଜି ସାରା ଓଡିଶାର ଗର୍ବ ଓ ଗୌରବ । ୩ କୋଟି ୬୦ ଲକ୍ଷ ଟଙ୍କାର ରାଜସ୍ୱ ଆୟ ହୋଇଥିବା ସୂଚନା ଦେଇଛନ୍ତି କର୍ତୃପକ୍ଷ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: