
କଟକ: ସିଲଭର ସିଟିରେ ଗଡିଲା ଟ୍ରାଫିକ ସଚେତନତା ରଥ । ନୂଆ ଟ୍ରାଫିକ ନିୟମ ନେଇ ସଚେତନା ସୃଷ୍ଟି କରିବାକୁ ବାହାରିଛି ସଚେତନତା ରଥ । ତେବେ ଏହି ରଥ ଜଣାଇବ ରାସ୍ତାର ନିୟମ । କଟକରେ ପତାକା ଦେଖାଇ ରଥର ଶୁଭାରମ୍ଭ କରିଛନ୍ତି ଟ୍ରାଫିକ ଡିସିପି ସାଗରିକା ନାଥ । ବୁଧବାର ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ହେଲମେଟ ଓ ଚକୋଲେଟ ଦେଇ ନିୟମ ମାନିବାକୁ ସଚେତନ କରାଇଥିଲେ କଟକ ଟ୍ରାଫିକ ଡିସିପି । ଲୋକଙ୍କୁ ଅଧିକ ସଚେତନ କରିବାକୁ ଆଜିଠାରୁ ୮ ଦିନ ଧରି ଏହି ଭ୍ରାମ୍ୟମାଣ ରଥ ଗଳିକନ୍ଦି ବୁଲି ସମସ୍ତଙ୍କୁ ସଚେତନ କରିବ ।

ସେପ୍ଟେମ୍ବର ୧ରୁ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଲୋକଙ୍କ ଭିତରେ କୋକୁଆ ଭୟ ଖେଳିଯାଇଥିଲା । ଟ୍ରାଫିକ ପୋଲିସ୍ ନିୟମ ଉଂଲଘନକାରୀଙ୍କ ଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ କରୁଥିଲା । ଏହାକୁ ନେଇ ଲୋକମାନଙ୍କ ଭିତରେ ଏକ ଭୟ ଦେଖାଦେଇଥିଲା । ଭୁବନେଶ୍ୱର ରାଜମହଲରେ ଫାଇନ ଆଦାୟକୁ ନେଇ ପୋଲିସ ଓ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହା ପରେ ୩ ମାସ ପାଇଁ ଟ୍ରାଫିକ ନିୟମ କୋହଳ କରିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ । ୩ ମାସ ମଧ୍ୟରେ ଗାଡିର ସମସ୍ତ କାଗଜ ପତ୍ର ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
