ସମୟ ସକାଳ 6 ଟା 40 ମିନିଟ୍ । ନିଜ ନିଜ ଗନ୍ତବ୍ୟରେ ଯିବାକୁ ଯାଜପୁର କୋରେଇ ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥିଲେ ଯାତ୍ରୀ । ହଠାତ୍ ଲୌହ ଦାନବ ସାଜି ଦ୍ରୁତ ଗତିରେ ମାଡ଼ି ଆସିଥିଲା ଏକ ମାଲବାହୀ ଟ୍ରେନ୍ । ଖଡ଼ଗପୁରରୁ ଛତ୍ରପୁର ଯାଉଥିବା ମାଲବାହୀ ଟ୍ରେନ୍ ଷ୍ଟେସନରେ ହୋଇଥିଲା ଲାଇନଚ୍ୟୁତ । ଦୁର୍ଘଟଣା ଏତେ ଭୟାନକ ଥିଲା ଯେ ଟ୍ରେନର 2 ଟି ବଗି ଷ୍ଟେସନର ଯାତ୍ରୀ ବିଶ୍ରାମାଗାର ଓ ଟିକେଟ୍ କାଉଣ୍ଟର ଉପରକୁ ମାଡ଼ିଯାଇଥିଲା । ଉପସ୍ଥିତ ଲୋକେ ଘଟଣା କଣ ବୁଝି ପାରିନଥିଲେ । ଟ୍ରେନ୍ ଧକ୍କାରେ ଯାତ୍ରୀ ବିଶ୍ରାମାଗାରର କାନ୍ଥ ଭାଙ୍ଗି ଯିବାରୁ ବିଶ୍ରାମଗାର ଭିତରେ କଟକ ଯିବାକୁ ଅପେକ୍ଷା କରିଥିବା ମା ଝିଅଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଜଣେ ମହିଳା ବି ପ୍ରାଣ ହରାଇଥିଲେ । ଏଥିସହ ଜଣେ ଶିଶୁଙ୍କ ସମେତ 4 ଜଣ ଆହତ ହୋଇଛନ୍ତି ।
ଦୁର୍ଘଟଣା ପରେ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ। ଆରପିଏଫ୍, ପୋଲିସ ଓ ଅଗ୍ନିଶମ କର୍ମଚାରୀ ଆହତ ଓ ମୃତକଙ୍କୁ ଉଦ୍ଧାର କରି ହସପିଟାଲ ନେଇଥିଲେ। ଟ୍ରାକରେ ବିଛାଡ଼ି ହୋଇପଡ଼ିଥିବା ଅନ୍ୟ 10 ଟି ବଗିକୁ ଉଠାଇବା ପାଇଁ ଜେସିବି ଓ କ୍ରେନ୍ ମୁତୟନ କରାଯାଇଥିଲା। କ୍ଷତିଗ୍ରସ୍ତ ଟ୍ରାକକୁ ସଜାଡ଼ିବା ପାଇଁ 150 ଶ୍ରମିକ ମୁତୟନ ହୋଇଛନ୍ତି। ଦୁର୍ଘଟଣା ପାଇଁ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଟ୍ବିଟ୍ କରି ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରଗକୁ 5 ଲକ୍ଷ ଟଙ୍କା। ଗୁରତର ଆହତଙ୍କୁ 1 ଲକ୍ଷ ଓ ସାମାନ୍ୟ ଆହତଙ୍କୁ 25 ହଜାର ଟଙ୍କାର ସହାୟତା ଘୋଷଣା କରାଯାଇଛି। ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ବି ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରାଯାଇଛି ।
ଦୁର୍ଘଟଣା ଯୋଗୁଁ ଏହି ରୁଟ୍ ଦେଇ ଯିବାକୁ ଥିବା 8 ଟି ଟ୍ରେନକୁ ବାତିଲ କରାଯାଇଥିବା ବେଳେ 12 ଟି ଟ୍ରେନର ମାର୍ଗ ପରିବର୍ତ୍ତନ ଓ 5 ଟି ଟ୍ରେନକୁ ଆଂଶିକ ବାତିଲ କରାଯାଇଛି । ଟ୍ରେନ ଚଳାଚଳକୁ ସ୍ବାଭାବିକ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି ।