ଅଧିକ ପଢନ୍ତୁ : ରାଜଧାନୀରେ ଅନୁସୂଚିତ ଜନଜାତିଙ୍କ ବିଶାଳ ମେଳି
ଉଭୟ ସଂଖ୍ୟାଲଘୁ ଓ ଜନଜାତିଙ୍କ ପାଇଁ ଥିବା ସରକାରୀ ସୁବିଧାର ଫାଇଦା ଉଠାଉଛନ୍ତି ଧର୍ମ ପରିବର୍ତ୍ତନକାରୀ । ତେଣୁ ଡବଲ ସୁବିଧା ବନ୍ଦ ସହ ସଂସ୍କୃତି ଛଡ଼ାଙ୍କୁ ସଂରକ୍ଷଣରୁ ବାଦ ଦେବାକୁ ଦାବି କରିଛି ଓଡ଼ିଶା ଜନଜାତି ସୁରକ୍ଷା ମଞ୍ଚ । ଓଡ଼ିଶାର ଆଦିବାସୀ ବହୁଳ ଜିଲ୍ଲାଗୁଡ଼ିକରେ ବେଆଇନ ଧର୍ମାନ୍ତରୀକରଣ ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଛି । ଖ୍ରୀଷ୍ଟିଆନ ମିସନାରୀମାନେ ସେବା ନାଁରେ ନିରୀହ ଆଦିବାସୀଙ୍କୁ ବିଭିନ୍ନ ଉପାୟରେ ପ୍ରଲୋଭିତ କରି ଧର୍ମ ପରିବର୍ତ୍ତନ କରାଉଥିବାର ଅନେକ ପ୍ରମାଣ ମଧ୍ୟ ସାମ୍ନାକୁ ଆସିଛି ।
ଓଡ଼ିଶା ଫ୍ରିଡମ୍ ଅଫ ରିଲିଜିଅନ୍ ଆକ୍ଟ 1967 ଅନୁଯାୟୀ ପ୍ରଲୋଭିତ କରି କିମ୍ବା ବଳପୂର୍ବକ ଧର୍ମ ପରିବର୍ତ୍ତନ କରାଇବା ଦଣ୍ଡନୀୟ ଅପରାଧ । କିନ୍ତୁ ଏହି ଆଇନକୁ ରାଜ୍ୟରେ ପାଳନ କରାଯାଉନଥିବାରୁ ଜନଜାତିଙ୍କ ମଧ୍ୟରେ ବିଭିନ୍ନ ସମୟରେ ଅସନ୍ତୋଷ ମୁଣ୍ଡ ଟେକୁଛି । ଓଡ଼ିଶାରେ ଧର୍ମାନ୍ତରୀକରଣ ସବୁବେଳେ ଏକ ବିବାଦୀୟ ପ୍ରସଙ୍ଗ ରହିଆସିଛି । କିନ୍ତୁ ଏହାକୁ ରୋକିବା ନେଇ କଠୋର ଆଭିମୁଖ୍ୟ ପରିବର୍ତ୍ତେ ରାଜ୍ୟ ସରକାରଙ୍କ ନୀରବତା ଯୋଗୁଁ ପରିସ୍ଥିତି ବିଗିଡ଼ିବାରେ ଲାଗିଛି ।