ଏଆଇସିସି ଓଡ଼ିଶା ପ୍ରଦେଶ କମିଟି ଭାଙ୍ଗିବା ସହ ପିସିସି ସଭାପତିଙ୍କୁ ମଧ୍ୟ ପଦରୁ ହଟାଇଯିବାର ଅନେକ ଦିନ ବିତିଗଲାଣି ମାତ୍ର ଏଯାଏ ମୁରବୀ ଶୂନ୍ୟ ହୋଇ ପଡିଛି ରାଜ୍ୟ କଂଗ୍ରେସ । ସଭାପତି ହେବା ପାଇଁ ଦିଲ୍ଲୀରେ ନେତାଏ ବି ନିଜ ନିଜ ସ୍ତରରେ ଲବି କରି ଫେଲ୍ ମାରିଲେଣି ତଥାପି କସରତ ଜାରି ରଖିଛନ୍ତି ହାତ ନେତା। କେତେବେଳେ ବି ମିଳିପାରେ ଗୁରୁ ଦାଯିତ୍ବ। ଅନ୍ୟପଟେ ସଭାପତି ରେସରେ ଆଗରେ ରହିଛନ୍ତି କୋରାପୁଟର ସାଂସଦ ସପ୍ତଗିରି ଉଲ୍ଲାକା। ସେ ଦୁଇ ଥର ସାଂସଦ ଭାବେ ନିର୍ବାଚନ ଜିତିଛନ୍ତି। କଂଗ୍ରେସକୁ ଆଗକୁ ନେବାରେ ତାଙ୍କର ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସୁପ୍ରିମୋଙ୍କ ଗୁଡ୍ ଲିଷ୍ଟରେ ରହିଛି କୁଆଡେ ତାଙ୍କ ନାଁ।
ସେହିଭଳି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ମଧ୍ୟ ନୂଆ ପିସିସି ସଭାପତି ରେସରେ ରହିଛନ୍ତି,ତାଙ୍କ ନିକଟରେ ଦଳକୁ ଏକଜୁଟ୍ କରିବାର ଅନେକ ଅଭିଜ୍ଞତା ରହିଛି। ଶ୍ରୀକାନ୍ତ ଜେନା ମଧ୍ୟ ଏହି ରେସରେ ରହିଛନ୍ତି। ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଅନ୍ୟପଟେ କଟକ ବାରବାଟୀ ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ମହମ୍ମଦ ମୋକିମ୍ ମଧ୍ୟ ତାଲିକାରେ ରହିଛନ୍ତି।
ସେପଟେ ଏଆଇସିସି ଯାହାକୁ ପିସିସି ସଭାପତି ଭାବେ ଚୟନ କରିବ ଆମେ ତାକୁ ସମର୍ଥନ କରିବୁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ୍ । ତେବେ କେବେ ଏଆଇସିସି ସାରିବ ପିସିସି ଚୟନ ପ୍ରକିୟା,ବଦଳିଲେ ସଭାପତି ବଦଳିପାରିବ ତ କଂଗ୍ରେସର ଭାଗ୍ୟ। ଅପେକ୍ଷାରେ ନେତାଠୁ କର୍ମୀ।