ସେପଟେ ପତ୍ନୀ ଓ ପୁଅ ଏପଟେ ନିତାଇ । ଭିଡିଓ କଲରେ ଚାଲିଛି କଥାବାର୍ତ୍ତା । କଥାବାର୍ତ୍ତା କରାଇବାରେ ସହଯୋଗ କରୁଛନ୍ତି ମୟୁରଭଞ୍ଜ ଝାରପୋଖରିଆ ଥାନା ଘୁମା ଗାଁର ଜଣେ ବାସିନ୍ଦା । ୨୨ ବର୍ଷ ତଳେ ଘାସ କାଟିବାକୁ ଆସି ଘରକୁ ଫେରିପାରିନଥିବା ସ୍ୱାମୀଙ୍କୁ ଦୀର୍ଘ ବର୍ଷ ପରେ ଭିଡିଓ କଲରେ ଦେଖିବା ପରେ ଅବେଗିକ ହୋଇଯାଇଛନ୍ତି ପତ୍ନୀ ।
ଏଣେ ମାନସିକ ଭାବେ ଅସୁସ୍ଥ ଥିବା ନିତାଇ ପତ୍ନୀ ଓ ପୁଅକୁ ଚିହ୍ନିବା ପରେ ସୃଷ୍ଟି ହୋଇଛି ଆବେଗିକ ପରିବେଶ । ନିତାଇକୁ ତା ପରିବାର ମିଳିଯାଇଥିବା ଖୁସି ସହିତ ତାକୁ ଦୀର୍ଘବର୍ଷ ପରେ ବିଦାୟ ଦେବାକୁ ପଡୁଥିବାର ଦୁଃଖରେ ଦୁଖୀ ହୋଇଛନ୍ତି ଘୁମା ଗାଁର ବାସିନ୍ଦା , ଆଶ୍ରୟଦାତା ହେମନ୍ତ ଦାସ ଓ ତାଙ୍କର ପରିବାର ।
ନିତାଇଙ୍କୁ ନେଇ ତାଙ୍କ ପରିବାର ନିକଟରେ ପହଂଚାଇବା ସମୟ ପାଖେଇ ଆସୁଥିବା ବେଳେ ହେମନ୍ତ ବାବୁ ବଖାଣିଛନ୍ତି ଏ ଗାଁରେ ବିତିଥିବା ନିତାଇର ଅତୀତ । ଜଣେ ଗ୍ରାମବାସୀ କହନ୍ତି ନିତାଇ ପାଲଟି ଯାଇଥିଲା ଆମ ଗାଁର ଆମର ଜଣେ ଭାଇ ।
ନିତାଇକୁ ମିଳିଯାଇଛି ତା ଘରର ଠିକଣା । ଏଠୁ ୨୨ ବର୍ଷର ସମ୍ପର୍କ କାଟି ସେ ନିଜ ଗାଁ ମାଟିକୁ ଯିବ । ତାକୁ ବିଦାୟ ଦେବାକୁ ଗାଁ ସାରା ଲୋକ ଏକାଠି ହୋଇଛନ୍ତି । ନିତାଇ ସହିତ କିଏ କିଭଳି ସମୟ କାଟିଛି ତାକୁ ନେଇ ଚର୍ଚ୍ଚା ହେଉଛି ।ନିଜ ଇଚ୍ଛାର ମାଲିକ ସାଜିଥିବା ନିତାଇ କିନ୍ତୁ ମୁଣ୍ଡ ତଳକୁ କରି ନିଜ ସହ ଗପୁଛି । ଦାସ ପରିବାରର ବଡ଼ ଭାଉଜ ମଞ୍ଜୁଲତା ଦାସ କହନ୍ତି ସେ ମୋତେ ଦିଦି କହେ । ମୋ ହାତରେ ବାଡ଼ି ଦେଖିଲେ କଥା ମାନେ। ମୁଁ ଯୁଆଡେ ଯାଏ ଫେରିବା ବେଳକୁ ତା ପାଇଁ କିଛି ଖାଇବା ଜିନିଷ ନେଇ ଆସିଥାଏ । ଦେଖିବା ମାତ୍ରେ ପାଖକୁ ଆସେ ଆଗ୍ରହରେ ନେଇଯାଏ । ସେ ଏବେ ନିଜ ଘରକୁ ଯିବ । ତା ପିଲା ମାନଙ୍କୁ ଦେଖିବ ଆମେ ବଡ଼ ଖୁସି ।
ମୟୁରଭଞ୍ଜରୁ ବିଦାୟ ନେଇ ପଶ୍ଚିମବଙ୍ଗ ବାହାରିଛନ୍ତି ହେମନ୍ତ ଓ ନିତାଇ । ସଜଳ ଆଖିରେ ବିଦାୟ ଦେଇଛି ଘୁମା । ସେପଟେ ୨୨ ବର୍ଷ ପରେ ଗାଁ ମାଟିର ହଜିଲା ପୁଅ ଗାଁକୁ ଫେରିଥିବାରୁ ଲୋକାରଣ୍ୟ ପାଲଟିଛି ଗାଁ । ପିଲାଠୁ ବୁଢା ଯାଏଁ ନିତାଇକୁ ଦେଖିବା ପାଇଁ ରୁଣ୍ଢ ହୋଇଛନ୍ତି । ବର୍ଷ ବର୍ଷ ଧରି ଭାଇ ପରି ଆଶ୍ରୟ ଦେଇଥିବା ହେମନ୍ତ ଦାସ ଓ ନିତାଇଙ୍କ ବେକରେ ଫୁଲହାର ଲମ୍ବାଈ କରାଯାଇଛି ସ୍ୱାଗତ । ନିତାଇଙ୍କୁ ତାଙ୍କର ପରିବାର ନିକଟରେ ପହଂଚାଇବା ଦିଗରେ ପ୍ରମୁଖ ଭୂମିକା ନେଇଥିବା ହେମନ୍ତଙ୍କ ପୁଅ କହନ୍ତି ସେ ଥିଲା ଆମ ପରିବାରର ସଦସ୍ୟ । ଏବେ ମନେ ପଡିଲେ ଆସି ଦେଖା କରିବୁ ।
ଅଜଣା ଲୋକକୁ ଘରେ ଆଶ୍ରୟ ଦେଇ ପ୍ରତିପାଳିତ କରିବା ଓ ଜାଣିବା ପରେ ପତ୍ନୀ ଓ ପୁଅ ନିକଟରେ ପହଞ୍ଚାଇ ଦେଇ ମୟୁରଭଞ୍ଜର ହେମନ୍ତ ଦାସ ବଡ଼ ହୃଦୟର ଯେଉଁ ପରିଚୟ ଦେଇଛନ୍ତି ତାର ପଟାନ୍ତର ନାହିଁ ।
ଆହୁରି ଅଧିକ ଓଡିଶା ଖବର ପଢନ୍ତୁ...