ଆପଣଙ୍କ ସ୍କ୍ରିନରେ ନିଜ ଦୁଃଖ ବଖାଣୁଥିବା ଏ ଯୁବକ ହେଉଛନ୍ତି ସ୍ବାଇଁଖଣ୍ଡ ଗ୍ରାମର, ଗୟାଧର ପରିଡାଙ୍କ ପୁଅ ରତ୍ନାକର ପରିଡା ଓ ବାଲିଆ ନହଣ କୂଳସାହିର ରତ୍ନାକର ଦାସ। ଉଭୟେ ଏବେ ସାଉଦିରେ କାମ କରିବାକୁ ଯାଇ ଫଶି ଯାଇଛନ୍ତି। ଆଉ ଜନ୍ମମାଟିକୁ ଫେରିବେ ବୋଲି ରାଜ୍ୟ ସରକାରଙ୍କୁ ଭିଡିଓ ଜରିଆରେ ସହାୟତା ବାର୍ତ୍ତା ପଠାଇଛନ୍ତି।
ରତ୍ନାକର ଦାସ ଗତ ଜୁଲାଇ ମାସ ୮ତାରିଖରେ ଏକ ଘରୋଇ କମ୍ପାନୀରେ କାମ କରିବାକୁ ସାଉଦି ଯାଇଥିଲେ। ମାସକୁ ୪୫ହଜାର ଦରମା ଛିଡିଥିଲା। ସେଠାରେ ଉକ୍ତ କମ୍ପାନୀ କାମ କରାଉଥିବା ବେଳେ ଗତ ଚାରି ମାସ ହେଲାଣି ଟଙ୍କାଟିଏ ବି ଦେଇନି। ଏମିତିକି ଭଲରେ ମୁଠେ ଖାଇବାକୁ ମଧ୍ୟ ମିଳୁନି। ଦେହ ଖରାପ ହେଲେ ଔଷଧ ବଦଳରେ ମିଳୁଛି ଗାଳି ମନ୍ଦ।
କେବଳ ରତ୍ନାକର ପରିଡା ନୁହେଁ ବରଂ ଅନ୍ୟ ଜଣେ ରତ୍ନାକର ଦାସ ମଧ୍ୟ ସମାନ ଭାବେ ଫସି ଯାଇଛନ୍ତି। ଗତ ଜୁଲାଇ ମାସ 8 ତାରିଖରେ ଦୁହେଁ ସାଉଦି ଯାଇଥିଲେ। ଆଉ ଏବେ କାନ୍ଦି କାନ୍ଦି ନେହୁରା ହେଉଛନ୍ତି ଫେରିବା ପାଇଁ।
ଘରେ ଥିବା ସ୍ତ୍ରୀ ଆଉ ମାଆ କୋହ ସମ୍ଭାଳି ପାରୁ ନାହାନ୍ତି। ଆଖିରୁ ଲୁହ ଢାଲୁଛନ୍ତି। ଭଗବାନଙ୍କୁ ଡାକୁଛନ୍ତି ପୁଅକୁ ଲେଉଟାଇ ଆଣିବାକୁ। ତେବେ ଗାଁର ବରିଷ୍ଟ ଲୋକମାନେ କହିଛନ୍ତି ସରକାରଙ୍କ ଉପରେ ଆମର ଯଥେଷ୍ଟ ଭରସା ଅଛି। ଆମ ପିଲେ ଫେରିବେ।
ରତ୍ନାକର ପରିଡା ଓ ରତ୍ନାକର ଦାସଙ୍କ ଏବଂ ତାଙ୍କ ପରିବାର ଓ ଗ୍ରାମବାସୀଙ୍କ ଅନୁରୋଧକୁ ଓଡିଶା ସରକାର ରକ୍ଷାକରି କେବେ ଏହି ଦୁଇ ଜଣଙ୍କ ସାଉଦିରୁ ନିଜ ଘରକୁ ଫେରାଇ ଆଣିବେ ତାହା ଦେଖିବା ବାକି ରହିଲା l