ସବୁ ଦୋଷ କିନ୍ତୁ ସରକାରଙ୍କର । ହଇଓ କୋହଳ କଲ ତ କଲ, ପାର୍କ ଟିକେ ଖୋଲି ନ ଥାନ୍ତ। ପାର୍କ ଖୋଲିଲେ ଅନ୍ତତଃ ପ୍ରେମ ଟିକେ ଶାନ୍ତିରେ ହେଇଥାନ୍ତା। ହେଲେ ଏ ସରକାର ସେ ସବୁ ବୁଝୁଛି କୋଉଠି ଯେ ?
ଲକଡାଉନ ହେତୁ ଚାରିଆଡ ବନ୍ଦ । ସରକାର କିଛି ମାତ୍ରାରେ କୋହଳ କଲେ ବି କୁଆଡେ ଯାଇ ହେଉନି କି ଆସି ହେଉନି। ସମସ୍ତେ ଭାରି ଟେନସନରେ। ସାଧାରଣ ଲୋକଙ୍କ ଜୀବନ ଯାତ୍ରା ଉପରେ ଏହା ପ୍ରଭାବ ପକାଇଛି। ସବୁ ଅସ୍ତବ୍ୟସ୍ତ ହେଲାଣି।
ତେବେ ଆପଣ ଭାବନ୍ତୁ ପ୍ରେମ ପକ୍ଷୀଙ୍କ ଅବସ୍ଥା କଣ ହେଉଥିବ ? କେହି କାହାକୁ ଦେଖି ପାରୁ ନ ଥିବେ, ଛୁଇଁ ପାରୁ ନ ଥିବେ, ଚୁମ୍ବନ…. ଛାଡନ୍ତୁ ସେ କଥା ତ ବିଡମ୍ବନା। ପରସ୍ପରକୁ ଝୁରି ହେବା ସାରା।
କିନ୍ତୁ ସିଏ ଝୁରିବା ମଣିଷ ନୁହେଁ। ଅସଲ ମରଦ ପୁଅ, ଛାତିରେ ଛାତିଏ ସାହସ ତାଙ୍କର। ପ୍ରେମିକା ପାଇଁ ଲଙ୍କା ଗଡ଼ରେ ପ୍ରବେଶ କରିପାରନ୍ତି ସିଏ। ପ୍ରମିକା ପାଇଁ କାରା ବରଣ ବି କରିପାରନ୍ତି।
ଆମେ ଯାହା କଥା କହୁଛୁ, ସିଏ ଏ ସବୁ ପରୀକ୍ଷାରେ ପାସ୍ ହୋଇଛନ୍ତି। ପ୍ରେମିକା ପାଇଁ କାରାବରଣ କରିବାକୁ ଯାଇ ଟିଣ ଟ୍ରଙ୍କ ଭିତରେ ଆଶ୍ରୟ ନେଇଛନ୍ତି।
ଆପଣ ମିଛ ଭାବିବାର ଭୁଲ କରନ୍ତୁନି। ଘଟଣାଟା ଆମ ଓଡିଶାର। ମୟୂରଭଞ୍ଜ ଜିଲ୍ଲାର ଘଟଣା।
ପ୍ରେମିକାକୁ ଟିକେ ଦେଖିବେ ବୋଲି ତା ଘରେ କେହି ନ ଥିଲା ବେଳେ ପହଞ୍ଚିଥିଲେ ପ୍ରେମିକ ପ୍ରବର। ଆଉ ତା ପରେ ଯାହା ହେଲା ଆପଣ ପଢିଲେ ଅବାକ ହୋଇଯିବେ। ପ୍ରେମ ଚାଲିଥିବା ବେଳେ, ଠିକ ଟାଇମରେ ପରିବାର ଲୋକ ପହଞ୍ଚିଗଲେ।
କଣ କରିବେ କିଛି ବୁଦ୍ଧିବାଟ ଦିଶିଲାନି । ଶେଷରେ ପ୍ରେମିକକୁ ଟ୍ରଙ୍କରେ ପୂରାଇ ଚାବି ମାରିଲା ପ୍ରିୟତମା। ଘର ଲୋକ ଆସି ଝିଅକୁ ପଚରାଉଚରା କଲେ । କନ୍ୟାରତ୍ନ ହଡ଼ବଡ଼େଇଗଲେ। ଚାବିଟା ଧରି ଟ୍ରଙ୍କ ପାଖରେ ଖାଲି ହଲହଲ ହେଲେ।
ପାରିପାର୍ଶ୍ୱିକ ସ୍ଥିତିରୁ ସମସ୍ତେ ଭାବିଲେ ଏ ଟ୍ରଙ୍କରେ କିଛି ତ ଗୋଟେ ଅଛି। ପରେ ପ୍ରେମିକା ଟ୍ରଙ୍କର ଚାବି ଖୋଲିବାରୁ ଯୁବକ ଜଣଙ୍କ ତା’ଭିତରୁ ବାହାରି ଥିଲେ । ଘରଲୋକ ତାଜ୍ଜୁବ୍।
ହଇଲୋ ଧନ, କଁ କଲୁ ତୁ…!!!
ଭିଡିଓଟା ଏବେ ଭାଇରାଲ ହେଉଛି। ହେଲେ ପ୍ରେମି ଯୁଗଳଙ୍କ ନାଁ କହିବାକୁ ମନା। ସେଥିପାଇଁ ଖାଲି ଘଟଣାଟା କହିଲୁ। ପିଲା ଦିଟା କ’ଣ ଟିକେ ଭୁଲ କଲେ, ଆଶା କେହି କଥା ଧରିବେନି।