ଭୁବନେଶ୍ଵର: ରାଜ୍ୟରେ ବଢୁଛି ବେକାରୀ ସମସ୍ୟା। 10 ବର୍ଷରେ ରାଜ୍ୟରେ 1 କୋଟି 32 ଲକ୍ଷ 38 ହଜାର 67 ବେକାର। ରାଜ୍ୟ ସରକାର ସୃଷ୍ଟି କରିପାରୁନାହନ୍ତି ନିଯୁକ୍ତି ସୁଯୋଗ। ବୈଷୟିକ ଶିକ୍ଷାରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ। ବିଧାନସଭାରେ ଖୋଦ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଏ ଉତ୍ତର ରଖିଛନ୍ତି । ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଏହି ଉତ୍ତର ରଖିଛନ୍ତି ।
2010ରୁ 2020 ଯାଏଁ ବର୍ଷ ଆରମ୍ଭରୁ 30ଟି ଜିଲ୍ଲାରେ ଥିବା ନିୟୋଜନ ନିର୍ଦ୍ଦେଶାଳୟରେ 1 କୋଟି 9 ଲକ୍ଷ 65 ହଜାର 933 ଜଣ ଛାତ୍ରଛାତ୍ରୀ ପଞ୍ଜିକୃତ ଥିଲେ। 10 ବର୍ଷ ଭିତରେ ନୂଆ ଭାବରେ 22 ଲକ୍ଷ 94 ହଜାର 194 ଛାତ୍ରଛାତ୍ରୀ ରେଜିଷ୍ଟ୍ରେସନ କରିଥିଲେ। କିନ୍ତୁ ସେଥିରୁ 2010ରୁ 2020 ମଧ୍ୟରେ ମାତ୍ର 22 ହଜାର 60 ଜଣ ଛାତ୍ରଛାତ୍ରୀ ନିଯୁକ୍ତି ପାଇଛନ୍ତି। ତେଣୁ ବିଧାନସଭା ଉତ୍ତର ଅନୁସାରେ ରାଜ୍ୟରେ ବର୍ତ୍ତମାନ 1 କୋଟି 09 ଲକ୍ଷ 85 ହଜାର 867 ଜଣ ଯୁବକ-ଯୁବତୀ ନୁଯୁକ୍ତି ଅପେକ୍ଷାରେ ଅଛନ୍ତି। କିନ୍ତୁ ବିଡମ୍ବନାର ବିଷୟ ଏହା ଯେ, ସମୁଦାୟ ବେକାର ଯୁବକ-ଯୁବତୀଙ୍କ ସଂଖ୍ୟା ଏହାଠାରୁ ଯଥେଷ୍ଟ ଅଧିକ । ଯେଉଁ ତଥ୍ୟକୁ ସରକାର ପ୍ରଦାନ କରିନାହାନ୍ତି। ଅର୍ଥାତ ବୟସାଧିକ କାରଣରୁ 22 ଲକ୍ଷ 52 ହଜାର 200 ଯୁବକ-ଯୁବତୀଙ୍କୁ ରେଜିଷ୍ଟର ତାଲିକାରୁ ବାଦ ଦିଆଯାଇଛି ବୋଲି ବିଧାୟକ ମୁକେଶ ମହାଲିଙ୍ଗ ଅଭିଯୋଗ କରିଛନ୍ତି । ତେଣୁ ସମୁଦାୟ ତଥ୍ୟକୁ ଯଦି ଆମେ ନଜର ପକାଇବା ତେବେ ଗତ 10 ବର୍ଷ ହେଲା ରାଜ୍ୟରେ ବେକାର ଯୁବକଯୁବତୀଙ୍କ ସଂଖ୍ୟା 1 କୋଟି 32 ଲକ୍ଷ 38 ହଜାର 67ରେ ପହଞ୍ଚିଛି ।
ଅନ୍ୟପଟେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ପ୍ରଶ୍ନର ଉତ୍ତର ଦେଇ ବୈଷୟିକ ଶିକ୍ଷାମନ୍ତ୍ରୀ ଦର୍ଶାଇଛନ୍ତି ଯେ, 2020-21ରେ ରାଜ୍ୟର ବିଭିନ୍ନ ଆଇଟିଆଇରେ 51 ହଜାର 596 ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । 2019-20ରେ 51 ହଜାର 502 ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ । ତେବେ ପାଖାପାଖି 1500 ଛାତ୍ରଛାତ୍ରୀ ନିଯୁକ୍ତି ପାଉଛନ୍ତି। ତେଣୁ ଏହି ତଥ୍ୟକୁ ଯଦି ଆମେ ହିସାବକୁ ନେବା ତେବେ ଆଇଟିଆଇ ପାଠ୍ୟକ୍ରମରେ ପ୍ରତିବର୍ଷ ହାରାହାରି 50 ହଜାର ଛାତ୍ରଛାତ୍ରୀ ଆଡମିଶନ କରୁଛନ୍ତି । କିନ୍ତୁ ସେଥିରୁ 5 ପ୍ରତିଶତ ବି ନିଯୁକ୍ତି ପାଉନାହାନ୍ତି । ଯାହାକୁ ନେଇ ବିଧାୟକ ସୁରେଶ କୁମାର ରାଉତରାୟ କ୍ଷୋଭ ପ୍ରକାଶ କରିଛନ୍ତି ।
ପ୍ରତିଥର ନିର୍ବାଚନରେ ନିଯୁକ୍ତିର ସ୍ବପ୍ନ । ରାଜ୍ୟରେ ଶିଳ୍ପ ଓ ଖଣି ଠାରୁ ଆରମ୍ଭ କରି ପ୍ରଯୁକ୍ତି ବିଦ୍ୟା, ପର୍ଯ୍ୟଟନ, ସ୍ୱାସ୍ଥ୍ୟସେବା ଓ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ଅନେକ ପଦବୀ ଖାଲି ପଡ଼ିଛି । କିନ୍ତୁ ରାଜ୍ୟର ଛାତ୍ରଛାତ୍ରୀମାନେ ରୋଜଗାର ପାଉନାହାନ୍ତି ।