ଭୁବନେଶ୍ୱର: ଅନୁଗୁଳ ଆଲୁମିନିୟମ ପାର୍କ ଭିତିଭୂମି ଉନ୍ନତିକରଣ ପ୍ରକଳ୍ପକୁ ପୁନର୍ବାର ଆରମ୍ଭ କରିବାର ନିଷ୍ପତି ନେଇ ପତ୍ରର ଅନୁରୋଧକୁ ରକ୍ଷା କରିଥିବାରୁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ସାମାଜିକ ଗଣମାଧ୍ୟମ ଜରିଆରେ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶା ତଥା ଓଡିଶାବାସୀଙ୍କର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦି କେତେ ପ୍ରତିବଦ୍ଧ ତାହା ଏହି ନିଷ୍ପତ୍ତିରୁ ସ୍ପଷ୍ଟ ଜଣାପଡ଼ୁଛି ।
ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ, ଅନୁଗୁଳ ଆଲୁମିନିୟମ୍ ପାର୍କ ପ୍ରକଳ୍ପରେ ଥିବା ପ୍ରତିବନ୍ଧକକୁ ଦୂର କରିବା ପାଇଁ ତଥା ଏହାକୁ ତ୍ୱରିତ ଭାବରେ ପୂର୍ଣ୍ଣ କରାଯିବା ପାଇଁ ପୁଣି ଧ୍ୟାନ ଦିଆଯାଇଛି । ନାଲକୋ ଏବଂ ଓଡିଶା ଶିଳ୍ପ ଭିତିଭୂମି ବିକାଶ ଉଦ୍ୟୋଗର ମିଳିତ ଉଦ୍ୟମରେ ୨୦୨୦ ସୁଦ୍ଧା ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାର ଆଶା କରାଯାଉଛି । ଏହି ପ୍ରକଳ୍ପ ପାଇଁ ମୋଟ ୯୯.୬୦ କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି । ଏଥିପାଇଁ ୩୩.୪୪ କୋଟି ଟଙ୍କା କେନ୍ଦ୍ର ସରକାର ଅର୍ଥ ବ୍ୟବସ୍ଥା କରିଛନ୍ତି । ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଓଡିଶାର ଆଲୁମିନିୟମ ଶିଳ୍ପରେ ଅଭିବୃଦ୍ଧି ଘଟିବ । ଏହାବ୍ୟତିତ ରାଜ୍ୟର ଖଣିଜ କ୍ଷେତ୍ରର ବିକାଶ ହେବା ସହ ରାଜ୍ୟର ରାଜସ୍ୱ ବଢିବ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ ଉଲ୍ଲେଖ କରିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ଗତ ଡିସେମ୍ବର ୦୪ ତାରିଖରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅନୁଗୁଳ ଆଲୁମିନିୟମ ପାର୍କ ଭିତିଭୂମି ଉନ୍ନତିକରଣ ପ୍ରକଳ୍ପକୁ ପୁନର୍ବାର ଆରମ୍ଭ କରିବା ପାଇଁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ଗୋଏଲ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିବାକୁ ପତ୍ର ମାଧ୍ୟମରେ ଅନୁରୋଧ କରିଥିଲେ । ସେ ଉକ୍ତ ପତ୍ରରେ ଉଲ୍ଲେଖ କରିଥିଲେ ଯେ ଏହି ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ଶିଳ୍ପ ଓ ଅନ୍ତଃଦେଶୀୟ ଶିଳ୍ପ ବିକାଶ (ଏମ୍ଆଇଆଇୟୁଏସ) ଯୋଜନା ଅନ୍ତର୍ଗତ ଯୋଜନାରେ ମଞ୍ଜୁର ହୋଇଥିଲା । ଏଥିପାଇଁ କ୍ରିୟାନ୍ୱୟନ ସଂସ୍ଥା ଭାବରେ ଅନୁଗୁଳ ପାର୍କ ପ୍ରାଇଭେଟ ଲିମିଟେଡ୍ (ଏଏପିପିଏଲ) ଗଠନ କରାଯାଇଥିଲା । ମାତ୍ର ନଭେମ୍ବର ୨୦୧୮ରେ ଏହି ପ୍ରକଳ୍ପ କ୍ରିୟାନ୍ୱୟନରେ ଶିଥିଳତା ଦର୍ଶାଇ ଏହି ପ୍ରକଳ୍ପକୁ ବନ୍ଦ କରିଦିଆଯାଇଥିଲା ।
ମାତ୍ର ଆଜି ଦିନରେ କେନ୍ଦ୍ର ସରକାରଙ୍କର ଓଡିଶା ଭଳି ରାଜ୍ୟର ଖଣିଜ କ୍ଷେତ୍ରର ବିକାଶ ମାଧ୍ୟମରେ ଅର୍ଥନୈତିକ ବିକାଶ ତ୍ୱରାନ୍ୱିତ କରିବା ପାଇଁ ଗୁରୁତ୍ୱ ଦେଇ ଆସୁଛନ୍ତି । ଏହି ପ୍ରସଙ୍ଗରେ ଏହି ପ୍ରକଳ୍ପକୁ ପୁନର୍ବାର କାର୍ଯ୍ୟକ୍ଷମ କରିବା ପାଇଁ କେନ୍ଦ୍ର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ ଶ୍ରୀ ପ୍ରଧାନ ଏହି ପତ୍ରରେ ଅନୁରୋଧ କରଥିଲେି । ଏହାବ୍ୟତିତ ଏମଆଇଆଇୟୁଏସ ଅଧୀନରେ ଅନୁଗୁଳ ଠାରେ ଆଲୁମିନିୟମ କ୍ଲଷ୍ଟର ପାଇଁ ଆସିଥିବା କେନ୍ଦ୍ରୀୟ ସହାୟତାକୁ ଫେରାଇ ନନେବା ପାଇଁ ମଧ୍ୟ ସେ ସହଯୋଗ ଲୋଡିଥିଲେ ।
