ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଦେଶବ୍ୟାପୀ ପାଳନ ହେଉଥିବା ‘ସାମାଜିକ ନ୍ୟାୟିକ ପକ୍ଷ’ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବୁଧବାର ତିନି ଦିନିଆ ଢ଼େଙ୍କାନାଳ ଓ ଅନୁଗୋଳ ଜିଲ୍ଲା ଗସ୍ତ କରିଛନ୍ତି । ଢ଼େଙ୍କାନାଳ ଜିଲ୍ଲାର ସପ୍ତଶଯ୍ୟା ଗ୍ରାମ ପଂଚାୟତରେ ମୋଦି ସରକାରଙ୍କ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ସମେତ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର କ୍ରିୟାନ୍ୱୟନ ଓ ବାସ୍ତବ ସ୍ଥିତି ନୀରିକ୍ଷଣ କରିବା ସହ ଲାଭାର୍ଥୀ, ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା କରିବା ପରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ହେଉଛି ମୋଦି ସରକାରଙ୍କ ମହତ୍ୱକାଂକ୍ଷୀ ଯୋଜନା । ଦେଶର ୮୦ କୋଟି ଏବଂ ଓଡ଼ିଶାର ୩.୨୫ କୋଟି ଅର୍ଥାତ୍ ପ୍ରାୟ ୮୦ ଭାଗ ଲୋକ ପ୍ରତି ମାସରେ ମୁଣ୍ଡ ପିଛା ୫ କେଜି ଚାଉଳ କିମ୍ବା ଗହମ ପାଇ ଏହି ଯୋଜନାରେ ଉପକୃତ ହେଉଛନ୍ତି । ଏଥିପାଇଁ ଭାରତ ସରକାର ସାଢ଼େ ୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହି ଯୋଜନାରେ ହିତାଧିକାରୀମାନେ କୋଭିଡ଼ ମହାମାରୀର ପ୍ରାରମ୍ଭରୁ ବର୍ତମାନ ପର୍ଯ୍ୟନ୍ତ ଖାଦ୍ୟଶସ୍ୟ ପାଇ ବେଶ୍ ଖୁସି ଅଛନ୍ତି ଓ ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଶୀର୍ବାଦ ଓ ଧନ୍ୟବାଦ ଜଣାଇଛନ୍ତି ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ କରୋନାର କଠିନ ସମୟରେ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ପ୍ରଧାନମନ୍ତ୍ରୀ ଚାଉଳକୁ ସମ୍ପୂର୍ଣ୍ଣ ମାଗଣା କରିଦେଲେ । ଦେଶରେ କେହି ବି ଭୋକିଲା ନ ରୁହନ୍ତୁ, ପ୍ରଧାନମନ୍ତ୍ରୀଙ୍କ ଏହି ସ୍ଲୋଗାନ ବାସ୍ତବରେ ସାର୍ଥକତା ହେଉଛି । ଏହା ମୋତେ ଖୁସି ଦେଇଛି । ୱାର୍ଲଡ ବ୍ୟାଙ୍କ୍ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଅନ୍ନ ଯୋଜନା ଭଳି ମହତ୍ୱକାଂକ୍ଷୀ ଯୋଜନାକୁ ପ୍ରଶଂସା କରିଛି ।
ପ୍ରଧାନମନ୍ତ୍ରୀ ଦେଶର ୧୧୭ଟି ଜିଲ୍ଲାକୁ ଆକାଂକ୍ଷୀ ଜିଲ୍ଲାରେ ସାମିଲ କରାଯାଇଛି । ଓଡ଼ିଶାର ୧୦ଟି ଆକାଂକ୍ଷୀ ଜିଲ୍ଲାରେ ଢ଼େଙ୍କାନାଳ ରହିଛି । ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ ମୋଦି ସରକାରଙ୍କ ମୂଳମନ୍ତ୍ର ହୋଇଛି । ଢ଼େଙ୍କାନାଳ ସମେତ ସମଗ୍ର ରାଜ୍ୟରେ ଗରିବ ଓ ଅସହାୟଙ୍କୁ ସଠିକ୍ ସମୟରେ ମୋଦି ସରକାର ଦେଉଥିବା ଚାଉଳ ଓ ଅନ୍ୟ କଲ୍ୟାଣକାରୀ ଯୋଜନାର ଲାଭ ହିତାଧିକାରୀଙ୍କ ପାଖରେ ସଠିକ୍ ସମୟରେ ପହଁଚୁ, ଏହା ଆମ ସମସ୍ତଙ୍କର ଦାୟିତ୍ୱ ରହିବା ଉଚିତ୍ । ଏଥିପାଇଁ ସମସ୍ତେ ମିଳିମିଶି ଗରିବଙ୍କ ପାଇଁ କାମ କରିବାର ଆବଶ୍ୟକତା ରହିଛି । ଏହାର ଦାୟିତ୍ୱ କେବଳ ଯିଏ ଜିତୁଛି କିମ୍ବା ଯିଏ ଲଢ଼ୁଛି ତାହାର ନୁହେଁ । ଯେଉଁମାନେ ଏହାର ଲାଭାର୍ଥୀ ହେବେ ଏହାକୁ ସେମାନଙ୍କ ସହ ଯୋଡ଼ିବା ପାଇଁ ପ୍ରଚେଷ୍ଟା ହେବା ଦରକାର ।
ଢ଼େଙ୍କାନାଳ ଜିଲ୍ଲା ପ୍ରତି ପ୍ରଧାନମନ୍ତ୍ରୀଙ୍କ ବିଶେଷ ଦୃଷ୍ଟି ରହିଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନାରେ ବିଜୁଳି, ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ରନ୍ଧନ ଗ୍ୟାସର ସବୁ ଲାଭ
ପହଁଚାଯାଇଛି । ଆକାଂକ୍ଷୀ ଜିଲ୍ଲା ଭାବରେ ଅଂଚଳର ରାସ୍ତାଘାଟ, ରେଳ, ଶିଳ୍ପ, ଶିକ୍ଷା, କୃଷି ଓ ସ୍ୱାସ୍ଥ୍ୟ ଭିତିଭୂମିକୁ ସୁଦୃଢ଼ କରିବା ପାଇଁ ବିଶେଷ ଧ୍ୟାନ ଦିଆଯାଉଛି । ଢ଼େଙ୍କନାଳକୁ ଏକ ସମୃଦ୍ଧ ଓ ସଶକ୍ତ ଅଂଚଳ ଭାବରେ ଗଢ଼ିବା ପାଇଁ ମୋଦି ସରକାର ଅଙ୍ଗୀକାରବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।
ଉଲ୍ଲେଖନୀୟ ଯେ ଢେଙ୍କାନାଳ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ବନମାଳିପ୍ରସାଦ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ପରଦର୍ଶନ କରିଥିଲେ । ଏହା ପରେ ବରପଦା ସ୍ଥିତ ସରକାରୀ ଶିଳ୍ପ ପ୍ରଶିକ୍ଷଣ ଅନୁଷ୍ଠାନ(ଆଇଟିଆଇ)କୁ ବୁଲି ଦେଖିଥିଲେ । ଏହି ଦୁଇ ଅନୁଷ୍ଠାନରେ ୱାର୍କସପ, ପାଠାଗାର ବଲୁଥିବା ସହ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଟେକ୍ନୋଲୋଜିକୁ ଦେଖିଥିଲେ । ନୂଆ ଜାତୀୟ ଶିକ୍ଷା ନୀତି ଉପରେ ଛାତ୍ରଛାତ୍ରୀଙ୍କ ସହ ଚର୍ଚ୍ଚା ଆଲୋଚନା କରିବା ସହ ଉଦ୍ୟମୀ ହେବାକୁ ପ୍ରୋତ୍ସାହିତ କରିଥିଲେ ।
ଶେଷରେ ଢେଙ୍କାନାଳ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଦଳ ପକ୍ଷରୁ ଆୟୋଜିତ ପ୍ରମୁଖ କାର୍ଯ୍ୟକର୍ତା ବୈଠକରେ ଯୋଗ ଦେଇଥିଲେ । ଘର ଘର ବୁଲି ମୋଦି ସରକାରଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକୁ ପହଁଚାଇବା ପାଇଁ ଶ୍ରୀ ପ୍ରଧାନପରାମର୍ଶ ଦେଇଥିଲେ ।