କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଜି ଆମ ଦେଶର ସାମ୍ପ୍ରତିକ ଇତିହାସର କିଛି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବିଷୟରେ ଚିନ୍ତା କରିବାର ଏକ ଗୁରୁତ୍ୱପୂର୍ଣ୍ଣ ଅବସର । ଆମ ସଂସଦରେ ଐତିହାସିକ ମହିଳା ସଂରକ୍ଷଣ ବିଲ୍ - ନାରୀ ଶକ୍ତି ବନ୍ଦନ ଅଧିନିୟମ ଗୃହୀତ ହୋଇଛି । ଆମ ଗଣତାନ୍ତ୍ରିକ ରାଷ୍ଟ୍ର ଗୁଡ଼ିକରେ ଲିଙ୍ଗଗତ ସମାନତା ହାସଲ ଦିଗରେ ଏହି ଐତିହାସିକ ଅଧିନିୟମ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହା ଦ୍ୱାରା ଆମ ସଂସଦ ଏବଂ ରାଜ୍ୟ ବିଧାନସଭାର ଗୃହରେ ଦେଶର ମହିଳାଙ୍କ ସ୍ୱର ଅଧିକ ଶାଣିତ ହେବା ସହ ସ୍ପଷ୍ଟ ହେବ । ଦେଶର ନୀତି ଓ ନିର୍ଦ୍ଦାରଣ କରିବା ପ୍ରକ୍ରିୟାରେ ମହିଳାମାନଙ୍କର ଅଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ଭାରତ ଆଗକୁ ବଢୁଛି ଏବଂ ବିଶେଷ ଭାବରେ ବିଶ୍ୱ ପାଇଁ ଉଭା ହେଉଥିବା ଅର୍ଥବ୍ୟବସ୍ଥା ଦିଗରେ ଏକ ଆଦର୍ଶ ପାଲଟିଛି । ଜି-୨୦ ଶିଖର ସମ୍ମିଳନୀ ଆମ ସମସ୍ତଙ୍କ ପାଇଁ ଗୌରବର ବିଷୟ । ଏହା ବିଶ୍ୱସ୍ତରୀୟ ସହଯୋଗ ଏବଂ ଅନ୍ତର୍ଭୁକ୍ତୀକରଣ ପ୍ରତି ଆମର ପ୍ରତିବଦ୍ଧତାର ପ୍ରମାଣ । ଏହାବ୍ୟତିତ ଶିକ୍ଷା କ୍ଷେତ୍ରରେ ଆମ ଦେଶର ଲିଡରମାନେ ଜାତୀୟ ଶିକ୍ଷା ନୀତିର ପରିବର୍ତ୍ତନଶୀଳ ସମ୍ଭାବନାକୁ ସ୍ୱୀକାର କରିଛନ୍ତି । ଏହି ଶିକ୍ଷା ନୀତି ଆମର ଯୁବବର୍ଗଙ୍କ ମଧ୍ୟରେ ସାମଗ୍ରିକ ବିକାଶ, ନବସୃଜନ ଏବଂ ବୈଶ୍ୱିକ ନାଗରିକ ହେବା ଉପରେ ଗୁରୁତ୍ୱାରୋପ କରେ । ଏହା ଆମର ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଉଜ୍ଜ୍ୱଳ ଓ ଅଧିକ ସମାବେଶୀ ଭବିଷ୍ୟତ ପାଇଁ ପଥ ପ୍ରଶସ୍ତ କରିବ ।
ଆଜି ସମ୍ମିଳନୀର ବିଷୟବସ୍ତୁ ହେଉଛି "ଆକ୍ସେଲେରେଟିଂ ଷ୍ଟାର୍ଟଅପ ଇକୋସିଷ୍ଟମ"। ଜାତୀୟ ଶିକ୍ଷା ନୀତି ମଧ୍ୟ ଶିକ୍ଷା ବ୍ୟବସ୍ଥାରେ ଉଦ୍ଭାବନ ଏବଂ ଷ୍ଟାର୍ଟଅପ୍ ଉପରେ ଅଧିକ ଗୁରୁତ୍ୱ ଦେଇଛି । ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଦ୍ୟୋଗୀ ମନୋଭାବକୁ ପ୍ରୋତ୍ସାହିତ କରିବା ସହ ନୂଆ ଚିନ୍ତାଧାରାକୁ ପାଠ୍ୟକ୍ରମରେ ସାମିଲ କରିବା ଉପରେ ଗୁରୁତ୍ୱାରୋପ କରିଥାଏ । ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ଏବଂ ଷ୍ଟାର୍ଟଅପ୍ ଗୁଡ଼ିକୁ ସମର୍ଥନ କରିବା ପାଇଁ ଉଚ୍ଚଶିକ୍ଷାନୁଷ୍ଠାନ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ରିସର୍ଚ୍ଚ ପାର୍କ, ଇନୋଭେସନ ହବ୍ ଏବଂ ଇନକ୍ୟୁବେସନ୍ ସେଣ୍ଟର ପ୍ରତିଷ୍ଠା କରିବା ଉପରେ ଧ୍ୟାନ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଆଇଆଇଏମ୍ ସମ୍ବଲପୁର ଇଣ୍ଡିଆ ଆକ୍ସେଲେରେଟର, ସିଡବି, ଓଏନଡିସି ଏବଂ ଫ୍ଲିପକାର୍ଟ ଭଳି ସଂସ୍ଥା ସହ ଭାଗିଦାରୀ ଏବଂ ସହଯୋଗୀ ହେବା ଆନନ୍ଦର ବିଷୟ । ଏହି ଭାଗିଦାରୀ ଷ୍ଟାର୍ଟଅପ ସ୍ଥାନୀୟ ଅଞ୍ଚଳର ବୁଣାକାର ଏବଂ କାରିଗରଙ୍କ ବ୍ୟବସାୟକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।
ଆଇଆଇଏମ୍ ସମ୍ବଲପୁରର ମୂଳ ମୂଲ୍ୟବୋଧ- ଇନୋଭେସନ୍, ଇନକ୍ଲୁସିଭନେସ୍ ଏବଂ ଇଣ୍ଟିଗ୍ରିଟି, ଏହା ଛାତ୍ରଛାତ୍ରୀଙ୍କ ମାର୍ଗଦର୍ଶକ ସାଜିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉ । ଶ୍ରେଷ୍ଠତା ପାଇଁ ପ୍ରୟାସ କରିବା ସହ ସମାଜରେ ଯୋଗଦାନ କରିବା ଏବଂ ସେହି ମୂଲ୍ୟବୋଧକୁ ବଜାୟ ରଖିବା ଛାତ୍ରଛାତ୍ରୀଙ୍କ ମୂଳ ଉଦ୍ଦେଶ୍ୟ ହେଉ । ଏହା ଆମ ସମସ୍ତଙ୍କୁ ୨୦୪୭ ସୁଦ୍ଧା "ବିକଶିତ ଭାରତ"ରେ ପରିଣତ କରିବାରେ ସାହାଯ୍ୟ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୪୭ ସୁଦ୍ଧା ବିକଶିତ ଭାରତର କଥାରେ ସହଯୋଗୀ ହେବା । ଭାରତକୁ ନୂତନ ଉଚ୍ଚତାରେ ପହଞ୍ଚାଇବା ପାଇଁ ଆଇଆଇଏମ୍ ସମ୍ବଲପୁରର ଭୂମିକା ରହିବା ନେଇ ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର