ଅର୍ଗସ ବ୍ୟୁରୋ: ଅଜଣା ପୋକ ଆତଙ୍କରେ ବାଲେଶ୍ବରର ଜମ୍ବେଶ୍ବରପୁର। କାଳେ ନାକ କାନରେ ପଶିଯିବ ସେଥିପାଇଁ ମୁହଁରେ ମାସ୍କ ଓ କାନରେ ତୁଳା ଦେଇ ବୁଲୁଛନ୍ତି ଗାଁ ଲୋକେ। କେଉଁଠି ଅଛନ୍ତି କୋଟି କୋଟି ସଂଖ୍ୟାରେ ମାଡି ଆସୁଛନ୍ତି। ଫଳରେ 3ଦିନ ହେବ ଗାଁ ଲୋକେ ପୋକ ଆତଙ୍କରେ ଅସନ୍ତବ୍ୟସ୍ତ। ଲୋକେ ନା ଶୋଇ ପାରୁଛନ୍ତି ନା ରନ୍ଧାବଢା କରି ଠିକ ସେ ଖାଇ ପାରୁଛନ୍ତି। ଗାଁ ଲୋକଙ୍କ ଅଭିଯୋଗ ପରେ ଗତକାଲି ଓୟୁଏଟି ବାଲିଆପାଳ କୃଷି ବୈଜ୍ଞାନିକ କେନ୍ଦ୍ରର 4ଜଣିଆ ଟିମ ସ୍ଥିତି ଅନୁଧ୍ୟାନ କରିବା ସହ ପୋକର ନମୁନା ସଂଗ୍ରହ କରି ପରୀକ୍ଷା ନିରୀକ୍ଷା କରୁଛନ୍ତି। ପାଖ କ୍ଷେତରେ ଏହି ପୋକ ମାଡି ଆସୁଥିବା ବେଳେ କୀଟନାଶକ ପକାଇ ଏହା ଦମନ ପାଇଁ ପରାମର୍ଶ ଦେଇଛନ୍ତି ବୈଜ୍ଞାନିକ।
ବୈଜ୍ଞାନିକଙ୍କ ପରାମର୍ଶ କ୍ରମେ ପ୍ରଶାସନ ପକ୍ଷରୁ ଏହି ପୋକ ଦମନ ପାଇଁ ଗାଁରେ କୀଟନାଶକ ପ୍ରୟୋଗ କରାଯାଉଛି। ଓୟୁଏଟି ବୈଜ୍ଞାନିକ ଟିମ କହିଥିବା ଲାମ୍ବଡା ସାଇହେଲଥିନ କୀଟନାଶକ ପ୍ରୟୋଗ କରାଯାଉଛି। କିନ୍ତୁ ଲୋକଙ୍କ ଘର ବାଡ଼ିରେ ପୋକମାନଙ୍କର ସଂଖ୍ୟା ଏତେ ଯେ, ଚିନ୍ତାରୁ ମୁକୁଳି ପାରୁନାହାନ୍ତି ଲୋକେ।
ଅଧିକ ଓଡ଼ିଶା ଖବର ପଢ଼ନ୍ତୁ
ପ୍ରଶାସନ ପୋକମରା ଅଭିଯାନ ଜାରି ରଖିଛି ସତ କିନ୍ତୁ ପୋକ ଭୟ ଏବେ ସୁଦ୍ଧା ଦୂର ହୋଇନି। ଘର କାନ୍ଥ, ଚାଳ, ଗଛ ଚାରିଆଡେ ସାଲୁବାଲୁ ହେଉଛନ୍ତି ପୋକ। ଆଉ କେତେ ଦିନ ଏମିତି ଆତଙ୍କରେ ରହିବେ ଜମ୍ବେଶରବାସୀ ଜାଣିପାରୁନାହାନ୍ତି।