ଭୁବନେଶ୍ୱର: ଇଲେକ୍ଟ୍ରୋନିକ୍ସ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ସାକ୍ଷାତ କରିଛନ୍ତି ଉତ୍ତରପ୍ରଦେଶ ଇଲେକ୍ଟ୍ରୋନିକ୍ସ ଏବଂ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଅଜିତ ସିଂ ପାଲ୍ । ଏହି ଅବସରରେ ସୂଚନା, ପ୍ରଯୁକ୍ତିବିଦ୍ୟା ସହ ଆଇଟିଇଏସ୍ ଏବଂ ଇଏସ୍ଡିଏମ୍ ଆଦି ବିଷୟରେ କିପରି ଦୁଇ ରାଜ୍ୟ ମିଳିତ ଭାବେ କାର୍ଯ୍ୟ କରିପାରିବେ ସେ ବିଷୟରେ ଆଲୋଚନା ହୋଇଥିବା ଜଣାପଡ଼ିଛି ।
ଆୟତନ ଦୃଷ୍ଟିରୁ ଓଡ଼ିଶା ଛୋଟ ହୋଇଥିଲେ ମଧ୍ୟ ଆଇଟି କ୍ଷେତ୍ରରେ ଖୁବ କମ ଦିନରେ ଯଥେଷ୍ଟ ଆଗରେ ଅଛି ବୋଲି କହିଛନ୍ତି ଉତ୍ତରପ୍ରଦେଶ ଆଇଟି ମନ୍ତ୍ରୀ ଶ୍ରୀ ପାଲ । ଇକୋ ସିଷ୍ଟମର ଉନ୍ନତିକରଣ, ପୁଞ୍ଜିନିବେଶ, ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ସରକାରୀ ସହ ଅନ୍ୟାନ୍ୟ କ୍ଷେତ୍ରରେ ଆଇଟିର ଭରପୂର ଉପଯୋଗ ଉପରେ ମିଶିକରି ଆଗକୁ ବଢ଼ିବା ଉପରେ ଉଭୟ ଗୁରୁତ୍ୱାରୋପ କରିଥିଲେ ।
ଆଇଟି କ୍ଷେତ୍ରରେ ଆହୁରି ଅଗ୍ରଗତି ନିମନ୍ତେ ଉତ୍ତରପ୍ରଦେଶ ସହ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ଓଡ଼ିଶା ଆଗ୍ରହୀ ବୋଲି ମଧ୍ୟ ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ । ଏହି ସାକ୍ଷାତକାର ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଫଟୋଚିତ୍ର ସମ୍ବଳିତ ଏକ କଳାକୃତି ଉତ୍ତରପ୍ରଦେଶ ମନ୍ତ୍ରୀଙ୍କୁ ପ୍ରଦାନ କରିଥିବା ବେଳେ ମନ୍ତ୍ରୀ ଶ୍ରୀ ପାଲ୍ ଉତ୍ତରପ୍ରଦେଶ କାରିଗରଙ୍କ ଦ୍ୱାରା ନିର୍ମିତ ଏକ ସାଲ୍ ଉପହାର ସ୍ୱରୂପ ଶ୍ରୀ ବେହେରାଙ୍କୁ ପ୍ରଦାନ କରିଥିଲେ ।
