ଗତ ଫେବୃୟାରୀରେ ୨୪ ପ୍ରୟାଗରାଜଠାରେ କିଛି ଦୁର୍ବୃତ୍ତ ଉମେଶ ପାଲ ଓ ତାଙ୍କ ୨ ବନ୍ଧୁକଧାରୀ ସୁରକ୍ଷା କର୍ମୀଙ୍କୁ ଗୁଳି ମାରି ହତ୍ୟା କରିଥିଲେ। ଉମେଶ ଗାଡ଼ିରୁ ଓହ୍ଲାଉଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଟାର୍ଗେଟ କରି ଗୁଳି ଚଳାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଉମେଶ ଓ ତାଙ୍କ ଗନ୍ମ୍ୟାନ୍ଙ୍କ ମୃତ୍ୟୁ ହୋଇଥିଲା । ପୂର୍ବରୁ ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ଅରବାଜକୁ ଏନକାଉଣ୍ଟର କରି ସାରିଛି ପୋଲିସ୍ । ସାବରମତି ଜେଲ୍ରେ ବନ୍ଦୀ ଥିବା ଅତିକ ଅହମ୍ମଦ ହିଁ ଉମେଶ ପାଲ ହତ୍ୟାକାଣ୍ଡର ଯୋଜନା ପ୍ରସ୍ତୁତ କରିଥିବା ପୋଲିସ୍ ତଦନ୍ତରୁ ଜଣାପଡ଼ିଥିଲା । ବିଏସ୍ପି ବିଧାୟକ ରାଜୁ ପାଲ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲା ଅତିକ ଅହମ୍ମଦ । ଉମେଶ ପାଲ ଏହି ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଥିଲେ ।
ତେଣୁ ଉମେଶ ପାଲଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା ପ୍ରସ୍ତୁତ କରିଥିଲା ଅତିକ ଅହମ୍ମଦ । କେବଳ ସେତିକି ନୁହେଁ, ଏକ ଜମିଜମା ବିବାଦ ପାଇଁ ଅତିକ ଓ ଉମେଶ ପାଲ ମଧ୍ୟରେ ପୂର୍ବ ଶତ୍ରୁତା ଥିବା ପୋଲିସ୍ କହିଛି ।