ଏଥିପାଇଁ ପ୍ରତି ବିଭାଗରେ ଯୁଗ୍ମ ସଚିବ ସ୍ତରର ଜଣେ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତି ଦିଆଯାଇଥିଲା । ମାତ୍ର ତାହା ହୋଇନଥିବାରୁ ପ୍ରକ୍ରିୟା ଆଗକୁ ଆଗେଇ ପାରିନାହିଁ । ଯାହାକୁ ଦୃଷ୍ଟିରେ ରଖି ପୁଣି ଥରେ ସମସ୍ତ ବିଭାଗକୁ ଚିଠି ଲେଖିବାକୁ ବାଧ୍ୟ ହୋଇଛନ୍ତି ମୁଖ୍ୟ ଶାସନ ସଚିବ ।
ସେପଟେ ତଥ୍ୟ କହୁଛି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଅଧିନରେ ପ୍ରାୟ ୧ ଲକ୍ଷ ୨୦ ହଜାରରୁ ଅଧିକ ପଦପଦବୀ ଖାଲିପଡ଼ିଛି । ଯାହା ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ୨୭ ହଜାରରୁ ଅଧିକ ପଦବୀ ଖାଲି ପଡ଼ିଥିବା ବେଳେ ଉଚ୍ଚଶିକ୍ଷା ବିଭାଗରେ ପାଖାପାଖି ୮ ହଜାର ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ପ୍ରାୟ ୨ ହଜାର ପଦବୀ ଖାଲି ପଡ଼ିଛି ।
ସେହିପରି ସ୍ବାସ୍ଥ୍ୟ ବିଭାଗରେ ୧୫ହଜାରରୁ ଅଧିକ ପଦବୀ ଖାଲି ପଡ଼ିଥିବା ବେଳେ ଗୃହ ବିଭାଗରେ ଖାଲି ପଡ଼ିଥିବା ପଦବୀ ସଂଖ୍ୟା ୧୪ ହଜାରରୁ ଅଧିକ । ଏହାବାଦ୍ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗରେ ବିଭିନ୍ନ ପାହ୍ୟାର ୭ ହଜାରରୁ ଅଧିକ ପଦବୀ ଖାଲି ଅଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ବି ପ୍ରାୟ ୬ ହଜାର ପର୍ଯ୍ୟନ୍ତ ପଦବୀ ଖାଲିପଡ଼ିଛି । ଜଙ୍ଗଲ ଓ ପରିବେଶ ବିଭାଗରେ ପ୍ରାୟ ୪ ହଜାର ପଦବୀ ଖାଲି ପଡ଼ିଥିବା ବେଳେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗରେ ପାଖାପାଖି ସାଢେ ୪ହଜାର ପଦବୀ ଖାଲି ପଡିଛି । ଏହା ବାଦ୍ ଜଳସେଚନ, ପୂର୍ତ୍ତ, ନଗର ଉନ୍ନୟନ, ପଞ୍ଚାୟତିରାଜ, ଗ୍ରାମ ଉନ୍ନୟନ ଆଦି ବିଭାଗରେ ମଧ୍ୟ ବ୍ୟାପକ ପଦବୀ ଖାଲି । ଏତେ ସଂଖ୍ୟକ ପଦବୀ ଖାଲି ପଡିବା ପଛରେ ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ଥିବା କହିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ।
ତେବେ ଖାଲି ପଡ଼ୁଥିବା ପଦବୀଗୁଡ଼ିକ ମଧ୍ୟରେ ପ୍ରାୟ ୬୪ ହଜାର ତୃତୀୟ ଶ୍ରେଣୀ ପାହ୍ୟାର ଥିବା ବେଳେ ୨୩ ହଜାରରୁ ଅଧିକ ହେଉଛି ଚତୁର୍ଥ ଶ୍ରେଣୀ ପାହ୍ୟାର । ପ୍ରଥମ ଶ୍ରେଣୀ ବା ଗ୍ରେଡ୍ ଏ’ ପାହ୍ୟାରେ ପ୍ରାୟ ୯ ହଜାର ପଦବୀ ଓ ଦ୍ୱିତୀୟ ଶ୍ରେଣୀ ବା ଗ୍ରେଡ୍ ବି’ ରେ ପାଖାପାଖି ୨୫ହଜାର ପଦବୀ ଖାଲି ପଡିଛି । ଏହାଛଡ଼ା ଗ୍ରାଣ୍ଟ-ଇନ୍-ଏଡ୍ ସଂସ୍ଥାଗୁଡ଼ିକରେ ବି ୧୧ ହଜାରରୁ ଅଧିକ ପଦବୀ ଖାଲିପଡ଼ିଛି । ଏତେ ସଂଖ୍ୟକ ପଦବୀ ଖାଲି ଥିବାରୁ ସେବା ବି ବ୍ୟାହାତ ହେଉଛି।