ଗାଁରେ ବସିଛି ତେଲ ଘଣା, ଲୋକେ ପାଉଛନ୍ତି ଶୁଦ୍ଧ ତେଲ। ଆଜିକାଲି ଦୁନିଆରେ ସବୁ ଭେଜାଲ ହୋଇଥିବା ବେଳେ ଏଠଶରେ ଲୋକେ ନିଜ ଆଖି ଆଗରେ ଶୁଦ୍ଧ ତେଲ ପେଡେଇ ନେଉଛନ୍ତି। ତେଲ ବିଭିନ୍ନ ରୋଗର କାରଣ ହୋଇଥିବା ବେଳେ ଏଠାରୁ ଲୋକେ ଶୁଦ୍ଧ ତେଲ ପାଇଥାନ୍ତି। ଏହି ଶୁଦ୍ଧ ତେଲ ପାଇବା ପାଇଁ ବହୁ ଦୂରଦୂରାନ୍ତରୁ ମଧ୍ୟ ଲୋକେ ଏଠାକୁ ଆସିଥାନ୍ତି। ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଯଶୀପୁର ବ୍ଲକ ଅନ୍ତର୍ଗତ ସିଆଳୀ ନଈଗାଁରେ ୪୦ରୁ ଅଧିକ ପରିବାର ବସବାସ କରିଥାନ୍ତି। ଏହି ଗାଁର କିଛି ପରିବାର ତେଲ ପେଡାଇଥାନ୍ତି। ସୋରିଷ, କୁସୁମ, ରାଶି, କରଞ୍ଜ,ନିମ୍ବ ଇତ୍ୟାଦି ବିଭିନ୍ନ ପ୍ରକାରର ତେଲ ପେଡ଼ି ତେଲ ବାହାର କରିଥାନ୍ତି। ପ୍ରଥମ ମଞ୍ଜିଗୁଡିକୁ ଭଲ ଭାବେ ଧୋଇ ଶୁଖାଯାଇଥାଏ।
ଏହାପରେ ମେସିନ ଜରିଆରେ ଗୁଣ୍ଡ କରାଯାଏ। ପରେ ପୁଣି ଏଗୁଡିକୁ ସିଝାଇ, ଛୋଟ ଛୋଟ ପ୍ଲାଷ୍ଟିକ ଅଖା ସାହାଯ୍ୟରେ ଗୋଲ ଗୋଲ କରି ଏକ ଗୋଲାକୃତି ଲୁହା ଯନ୍ତ୍ର ଯାହାର ତଳ ଭାଗରୁ ଆରମ୍ଭ କରି ଉପର ଭାଗ ପର୍ଯ୍ୟନ୍ତ ଛୋଟ ଛୋଟ ଛିଦ୍ର ରହିଥାଏ ତା ଭିତରେ ରଖି ତାହାକୁ ଏକ ଲୁହା ରଡ ସାହାଯ୍ୟରେ ବୁଲାଇ ଥାଆନ୍ତି। ଏହି ଗୋଲାକୃତି ଛିଦ୍ର ଦେଇ ତେଲ ବାହାରିଥାଏ। ପରବର୍ତ୍ତୀ ସମୟରେ ଏହାକୁ ଛାଣି ରଖାଯାଏ। ଏବଂ ପିଡିଆକୁ ବାହାର କରି ଅଲଗା ରଖାଯାଏ।
ଆଗରୁ କେବେ ଏହି ମଞ୍ଜି ବିକି ଦି ପଇସା ପାଉଥିବା ବେଳେ ଏବେ ତେଲ ବିକ୍ରି କରିବା ସହ ପିଡିଆକୁ ବି ବିକ୍ରି କରୁଛନ୍ତି। ତେଣୁ ଏହି ପରିବାର ବେଶ୍ ଦିପଇସା ପାଇପାରୁଛନ୍ତି। ଆଦିବାସୀ ଅଞ୍ଚଳରେ ତେଲ ପେଡା କାହିଁ କେଉଁ କାଳରୁ ଚାଲି ଆସିଛି। ଏହି ହାତପେଡା ତେଲ ଦୀର୍ଘସ୍ଥାୟୀ ହୋଇଥାଏ। ଏହି ହାତପେଡା ଶୁଦ୍ଧ ତେଲର ଚାହିଦା ବି ବେଶ୍ ଅଧିକ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।