
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ବଡ଼ ଟେମେରା ପଞ୍ଚାୟତ ନିର୍ବାହୀ ଅଧିକାରୀ କାଳିପଦ କୀର୍ତ୍ତନିଆଙ୍କୁ ତାଲା ପକାଇଲେ ଗ୍ରାମବାସୀ । ବିଭିନ୍ନ ସରକାରୀ କାମର ଘୋଟାଲାକୁ ନେଇ ପଞ୍ଚାୟତ ଭିତରେ ପିଇଓଙ୍କୁ ରଖି ତାଲା ପକାଇ ଅଟକ ରଖାଯାଇଥିଲା ।
ଗତକାଲି ପଞ୍ଚାୟତରେ ପଲ୍ଲିସଭା ଅନୁଷ୍ଠିତ ହେବାକୁ ଥିବାବେଳେ ଅଞ୍ଚଳବାସୀ ସକାଳ 10ଟାରୁ ଆସି ଅପେକ୍ଷା କରିଥିଲେ । ହେଲେ ପଞ୍ଚାୟତ PEOଙ୍କ ଦେଖା ମିଳିନଥିଲା । ପରେ ସେ ସନ୍ଧ୍ୟା 4ଟାରେ ଆସି ପହଞ୍ଚିଥିଲେ । ଯାହାକୁ ନେଇ ଅପେକ୍ଷାରତ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ପିଇଓଙ୍କୁ ପଞ୍ଚାୟତ ଗୃହ ଭିତରେ ତାଲା ପକାଇ ରଖିଥିଲେ । ଏହା ପୂର୍ବରୁ ଅନେକଥର ପଞ୍ଚାୟତର ଘୋଟାଲକୁ ନେଇ ଗ୍ରାମବାସୀ ବ୍ଲକ ସ୍ତରରୁ ଆରମ୍ଭ କରି ରାଜ୍ୟସ୍ତର ପର୍ଯ୍ୟନ୍ତ ଚିଠି ଲେଖିଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖି ଜଣାଇଛନ୍ତି । ଶେଷରେ ବାଧ୍ୟ ହୋଇ ଏଭଳି ନିଷ୍ପତି ନେଇଛନ୍ତି ଗ୍ରାମବାସୀ । ଘଟଣାସ୍ଥଳରେ ଝରିଗାଁ ପୋଲିସ ଏବଂ ବ୍ଲକ ପ୍ରଶାସନ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା ପରେ PEOଙ୍କୁ ଉଦ୍ଧାର କରାଯାଇଥିଲା ।
