କେବଳ ଜିନ୍ଦଲ କମ୍ପାନୀର ସପକ୍ଷବାଦୀମାନଙ୍କୁ କହିବାକୁ ଦିଆଯିବା ସହିତ ବିରୋଧୀମାନଙ୍କୁ ଭିତରକୁ ପ୍ରବେଶ କରିବାକୁ ଦିଆଯାଉନଥିବା ନେଇ କିଛି ଗ୍ରାମବାସୀ କହିଛନ୍ତି l ଜିଲ୍ଲାପ୍ରଶାସନ ପକ୍ଷରୁ ଜେଏସଡବ୍ଲ୍ୟୁ ପ୍ରକଳ୍ପ ନିମନ୍ତେ ତୃତୀୟ ଥର ପାଇଁ ଆଜି ଢ଼ିଙ୍କିଆ ପଞ୍ଚାୟତରେ ଜନଶୁଣାଣୀ ଅନୁଷ୍ଠିତ ହେଉଛି l
ହାଇକୋର୍ଟର ଚାରି ଜଣିଆ ଟିମଙ୍କ ସହିତ ଜଗତସିଂହପୁର ଜିଲ୍ଲାପାଳ ଓ ଏସପିଙ୍କ ଉପସ୍ଥିତିରେ ଆରମ୍ଭ ହୋଇଛି ଜନଶୁଣାଣି l ଢ଼ିଙ୍କିଆ ପଞ୍ଚାୟତ କାର୍ଯ୍ୟାଳୟରେ ଚାଲିଥିବା ଏହି ଜନଶୁଣାଣି ଶିବିରରେ ଢ଼ିଙ୍କିଆ, ମାହାଳ, ପାଟଣା, ଗୋବିନ୍ଦପୁର ଓ ତ୍ରିଲୋଚନପୁର ଗ୍ରାମବାସୀ ଯୋଗ ଦେଇ ନିଜ ନିଜର ମତ ଉପସ୍ଥାପନ କରୁଛନ୍ତି l
ବିଗତ ଦିନର ଘଟଣାବଳୀକୁ ନେଇ କିଛି ଅଘଟଣ ଆଶଙ୍କା କରି ବ୍ୟାପକ ପୋଲିସ ବନ୍ଦୋବସ୍ତ କରାଯିବା ସହିତ ପଞ୍ଚାୟତ ଅଫିସ୍ ପ୍ରବେଶ ପୂର୍ବରୁ ଗ୍ରାମବାସୀମାନେ ନିଜର ଆଧାରକାର୍ଡ଼ ଦେଖାଇ ଭିତରକୁ ପ୍ରବେଶ କରୁଛନ୍ତି l ପୋଲିସ କଡାକଡି ଯାଞ୍ଚ କରି ଭିତରକୁ ଛାଡୁଥିବାବେଳେ ବିରୋଧୀମାନଙ୍କୁ କଡା ନଜର ରଖାଯାଉଥିବା ନେଇ ଅଭିଯୋଗ ହେଉଛି । ଏଥିସହିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଜନଶୁଣାଣୀ ଶିବିରକୁ ପ୍ରଶାସନ ତରଫରୁ ବାରଣ କରାଯାଇଛି l ଯାହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି l