ଦିନକୁ ୨୯ରୁ ଅଧିକ ମହିଳାଙ୍କ ସମ୍ମାନହାନି,୧୬ରୁ ଅଧିକ ମହିଳାଙ୍କୁ ଅପହରଣ ଓ ୭ରୁ ଅଧିକ ମହିଳା ହେଉଛନ୍ତି ଦୁଷ୍କର୍ମର ଶିକାର । ସେହିପରି ୨୦୨୦ ମସିହା ତୁଳନାରେ ୨୦୨୧ ମସିହାରେ ରାଜ୍ୟରେ ମହିଳାଙ୍କ ବିରୁଦ୍ଧରେ ସବୁପ୍ରକାରର ହିଂସା ବୃଦ୍ଧି ପାଇଛି । ୨୦୨୨ ଜାନୁଆରୀରୁ ଏପ୍ରିଲ ୩୦ ତାରିଖ ମଧ୍ୟରେ ରାଜ୍ୟରେ ୧୯୮୩ ଟି ଅପହରଣ ଓ ୮୬୮ ଟି ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଛି । ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦେଇଛନ୍ତି ଏହି ଉତ୍ତର ।
ବିଧାନସଭାରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଲିଖିତ ଉତ୍ତର ଅନୁଯାୟୀ ୨୦୨୦ ମସିହାରେ ୨୯୮୪ଟି , ୨୦୨୧ରେ ୩୩୨୭ଟି ଓ ୨୦୨୨ ଏପ୍ରିଲ ୩୦ ତାରିଖ ମଧ୍ୟରେ ୮୬୮ଟି ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଛି । ସେହିପରି୨୦୨୦ ମସିହାରେ ୭୯୩୭ଟି, ୨୦୨୧ରେ ୧୦୦୧୮ଟି ଓ ୨୦୨୨ ଏପ୍ରିଲ ୩୦ ମଧ୍ୟରେ ୩୫୩୪ଟି ମହିଳା ଅସଦାଚରଣ ମାମଲା ଥାନାରେ ପଞ୍ଜିକୃତ ହୋଇଛି ।
ମହିଳା ଅପହରଣ ମାମଲା ୨୦୨୦ ମସିହାରେ ୩୭୨୦ଟି, ୨୦୨୧ରେ ୫୧୭୫ଟି ଓ ୨୦୨୨ ଏପ୍ରିଲ ୩୦ ସୁଦ୍ଧା ୧୯୮୩ଟି ମାମଲା ପଞ୍ଜିକୃତ ହୋଇଛି । ସେହିପରି ଘରୋଇ ହିଂସା ମାମଲା ୨୦୨୦ରେ ୩୧୫୩ଟି, ୨୦୨୧ରେ ୪୮୮୯ଟି, ୨୦୨୨ ଏପ୍ରିଲ ସୁଦ୍ଧା ୧୪୩୦ଟି ମାମଲା ପଞ୍ଜିକୃତ ହୋଇଛି । ସେହିପରି ଯୌତୁକ ନିର୍ଯାତନାରେ ୨୦୨୦ ମସିହାରେ ୩୭୫୯ ଟି, ୨୦୨୧ରେ ୪୯୫୩ ଟି ଓ ୨୦୨୨ ଏପ୍ରିଲ ୩୦ ତାରିଖ ସୁଦ୍ଧା ୧୪୪୨ଟି ମାମଲା ପଞ୍ଜିକୃତ ହୋଇଛି ।