ଭୁବନେଶ୍ୱର: ଭୁବନେଶ୍ୱର-କଟକ ମେଟ୍ରୋ ସ୍ୱପ୍ନକୁ ଝଟକା । 2041 ଭିତରେ ଭୁବନେଶ୍ୱର-କଟକ ମଧ୍ୟରେ ମେଟ୍ରୋ ଟ୍ରେନ୍ ସ୍ବପ୍ନ । ବିଧାନସଭା ପ୍ରଶ୍ନୋତ୍ତର କାଳରେ ଆଜି ଏହି ସମ୍ପର୍କରେ ଗୃହକୁ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।
ବିଧାନସଭାରେ ରାଜ୍ୟ ସରକାରଙ୍କ ମେଗା ପ୍ରୀତିକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଏହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଭୁବନେଶ୍ୱର ଓ କଟକରେ ମେଟ୍ରୋ ଟ୍ରେନ୍ ଚାଲିବା ପାଇଁ ରାଜ୍ୟ ସରକାରଙ୍କ କୌଣସି ପ୍ରସ୍ତାବ ନାହିଁ । ଭୁବନେଶ୍ୱର-କଟକରେ ମେଟ୍ରୋ ଟ୍ରେନ ଚାଲିବା ପାଇଁ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏକ ସର୍ଭେ କରାଯାଇଥିଲା । ଯେଉଁଥିରେ କି 2041 ପର୍ଯ୍ୟନ୍ତ ଟୁଇନ ସିଟିରେ ମେଟ୍ରୋ ରେଳ ଗଡ଼ିପାରିବନି ବୋଲି ସର୍ଭେ ରିପୋର୍ଟରୁ ଜଣାପଡିଛି ।
ଜନସଂଖ୍ୟା ଆଧାରରେ ସର୍ଭେ ଅନୁଯାୟୀ ଫିଜିବିଲିଟି ନଥିବାରୁ ଏହାକୁ ଆଗକୁ ବଢା ଯାଇ ପାରୁନି ବୋଲି ମନ୍ତ୍ରୀ କହିଛନ୍ତି । ତେବେ ସଦସ୍ୟଙ୍କ ଦାବି ପରେ ପୁଣିଥରେ ସର୍ଭେ ପାଇଁ କେନ୍ଦ୍ର ପାଖରେ ଦାବି ହେବ, ଏଥିରେ କଟକରୁ ଚଣ୍ଡୀଖୋଲ ଓ ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ଏହାକୁ ସମ୍ପ୍ରସାରଣର ପ୍ରସ୍ତାବ ରହିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।