ଅର୍ଗସ ବ୍ୟୁରୋ : ବଣ୍ଡାଘାଟିରେ ଜଳ ଯନ୍ତ୍ରଣା । ଟୋପାଏ ପାଣି ପାଇଁ ଲୋକେ ଡହଳ ବିକଳ । ଝରଣା ପାଣି ପିଉଛନ୍ତି ଲୋକେ । କାରଣ କାଗଜକଲମରେ ଯାହା ଚାଲିଛି ଗ୍ରାଉଣ୍ଡରେ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ । ସରକାରଙ୍କ ପାଇପ ଯୋଗେ ପିଇବାପାଣି ଯୋଗାଣକୁ ଶକ୍ତ ଚଟକଣା ମଧ୍ୟ ଦେଉଛି । ଆଉ ରାଜ୍ୟ ସରକାର ବିଶୁଦ୍ଧ ପାଣି ଯୋଗାଇବା ନାଁରେ ଯେ, କେବଳ ଆତ୍ମପ୍ରଚାର କରୁଛନ୍ତି ତାର ବଡ ଖୁଲାସା ହୋଇଛି । କେମିତି ଲୋକେ ଝରଣା ପାଣି ନେଉଛନ୍ତି ଆଉ ଏହାକୁ ବ୍ୟବହାର କରୁଛନ୍ତି । ଗୋଟିଏ ସ୍ଥାନରେ ପଶୁପକ୍ଷୀ ସହ ମଣିଷ ପିଉଛନ୍ତି ପାଣି । ଆଉ କୋଟିକୋଟି ଟଙ୍କା ଖର୍ଚ୍ଚରେ ବିଜ୍ଞାପନ କରୁଥିବା ସରକାର ବୁଝିବା ଦରକାର ଯେ, ଗ୍ରାଉଣ୍ଡରେ ସ୍ଥିତି କଣ । ରାଜ୍ୟ ସରକାର ବିକାଶ ର ଯେଉଁ ନାରାବାଜି ମାରୁଛନ୍ତି ବିକାଶ କେତେ ହୋଇଛି ତାହା ଆପଣ ମାନେ ଦେଖିଲେ ଜାଣିପାରିବେ । ସ୍ବାଧୀନତାର ସାତ ଦଶନ୍ଧି ବିତି ଯାଇଥିଲେ ମଧ୍ୟ ବଣ୍ଡା ଘାଟିରେ ବିକାଶ ହୋଇପାରିନାହିଁ । ବିକାଶ କେବଳ କାଗଜ କଲମରେ ରହିଯାଇଛି । କିନ୍ତୁ ରାଜ୍ୟ ସରକାର ବିକାଶର ଡିଣ୍ଡିମ ପିଟୁଛନ୍ତି । ହେଲେ ବିକାଶ ହୋଇଛି ସମ୍ପୂର୍ଣ୍ଣ ବାଟବଣା ।
ବଣ୍ଡା ଘାଟିରେ ରହିଛି ଦୁଇଟି ପଞ୍ଚାୟତ । ମୁଡ଼ିଲିପଡ଼ା ଓ ଅଣ୍ଡରାହାଲ । ଏହି ଦୁଇଟି ପଞ୍ଚାୟତରେ ରହିଛି 32 ଟି ଗାଁ । ଆଉ ଯେଉଁଠି ବସବାସ କରନ୍ତି ବାର ହଜାରରୁ ଉର୍ଦ୍ଧ ଲୋକ । ଦୁଇଟି ପଞ୍ଚାୟତର ବିକାଶ ପାଇଁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଠାରୁ କୋଟି କୋଟି ଟଙ୍କା ଅନୁଦାନ ଆସୁଛି । କିନ୍ତୁ ଏହି ଟଙ୍କା ସଠିକ ଭାବରେ କାର୍ଯ୍ୟକାରୀ କରାଯାଉନାହିଁ । ଯାହା ଫଳରେ ବିକାଶ ହୋଇପାରୁନାହିଁ । ଲୋକେ ଏବେ ବି ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି । ଆଉ ବର୍ଷ ବର୍ଷ ଧରି ବଣ୍ଡା ଜନଜାତି ଝରଣା ପାଣି ନିର୍ଭର କରି ଆସୁଛନ୍ତି ।
ରାୟଗଡାର କାଶୀପୁରରେ ଝାଡାବାନ୍ତି ଘଟଣାକୁ ନେଇ ପଡିଥିଲା ଉଠିଥିଲା ଓଡିଶା । କେବଳ କାଶୀପୁର ନୁହେଁ ନବରଙ୍ଗପୁର, ଗଜପତି, କଳାହାଣ୍ଡି ଓ ଝାରସୁଗୁଡା ଜିଲ୍ଲାରେ ମଧ୍ୟ ଦୂଷିତ ପାଣି ପିଇ ହଜାର ହଜାର ଲୋକ ଝାଡାବାନ୍ତିର ଶିକାର ହୋଇଛନ୍ତି ।