କାଶୀପୁରରେ ରୋଗୀଙ୍କ ରେକ୍ଟାଲ ସ୍ବାବରୁ ମଧ୍ୟ କଲେରା ବ୍ୟାକ୍ଟେରିଆ ମିଳିଛି । ମୋଟ 14ଟି ରେକ୍ଟଲ ସ୍ବାବ ଓ ବିଭିନ୍ନ ଜାଗାରୁ 7-8ଟି ଜଳ ଉତ୍ସରୁ ପାଣିର ନମୁନା ନିଆଯାଇଥିଲା । 3ଟି ପାଣି ନମୁନା ଏବଂ 7ଟି ରେକ୍ଟାଲ ସ୍ବାବ ନମୁନାରୁ କଲେରା ବ୍ୟାକ୍ଟେରିଆ ମିଳିଛି । ସ୍ଥିତି ନିୟନ୍ତ୍ରଣ ଲାଗି ସ୍ବାସ୍ଥ୍ୟକର୍ମୀ, ଆଶାକର୍ମୀ ଘର ଘର ବୁଲୁଛନ୍ତି । ମେଡିକାଲ ଟିମ ମୁତୟନ ହୋଇଛନ୍ତି । ନାଳ ପାଣି ବ୍ୟବହାର ନ କରିବାକୁ ଜିଲ୍ଲା ପ୍ରଶାସନ କଡ଼ା ନିର୍ଦେଶ ଦେଇଛି ।
କାଶୀପୁରକୁ ନେଇ ଚାରିଆଡୁ ସମାଲୋଚିତ ହେବା ପରେ ତରବରିଆ ଭାବେ ରାୟଗଡା ଜିଲ୍ଲାର ଦୁଇଟି ବ୍ଲକର ୧୫ଟି ଗ୍ରାମପଞ୍ଚାୟତକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ମେଗା ପାନୀୟ ଜଳ ପ୍ରକଳ୍ପ ଲାଗି ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ୧୧୪ କୋଟିର ଏହି ପ୍ରକଳ୍ପକୁ ୨୪ ମାସରେ ସାରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । କିନ୍ତୁ ଏହାପୂର୍ବରୁ ୨୦୨୦ ମସିହାରେ କାଶୀପୁରରେ ୩୩୯.୧୪ କୋଟି ଟଙ୍କା ଖର୍ଚ୍ଚରେ ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ଘୋଷଣା ହୋଇଥିଲା । ୨୦୨୧ରେ ମଧ୍ୟ ରାୟଗଡା ଜିଲ୍ଲାର ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ୩ଟି ମେଗା ପାନୀୟ ଜଳ ପ୍ରକଳ୍ପ ଘୋଷଣା କରିଥିଲେ। ୨୦୨୨ରେ ମଧ୍ୟ କେବଳ କାଶୀପୁର ବ୍ଲକର ୪୧୮ ଗାଁ ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପର ଘୋଷଣା ହୋଇଛି । ଏସବୁ ସତ୍ତ୍ବେ ଲୋକେ ପ୍ରଦୂଷିତ ପାଣି ପିଇବାରୁ କାଶୀପୁରରେ ଆତଙ୍କ ମଚାଇଛି କୋଲେରା ।