ପଶ୍ଚିମା ଝଡ ପ୍ରଭାବରେ ବେତନଟୀ ବ୍ଲକର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ପବନ ହୋଇଛି l ଢୁ ଢୁ ବର୍ଷା ସହିତ ପ୍ରବଳ ବେଗରେ ପବନ ଆଉ ତା ସାଙ୍ଗକୁ କୁଆପଥର ମାଡ଼ରେ ଶତାଧିକ ତରଭୁଜ ଚାଷୀଙ୍କର ଫସଲ ଉଜାଡି ଦେଇଛି l ବେତନଟୀ ବ୍ଲକର ତରଭୁଜ ଗାଁ ଭାବେ ପରିଚିତ ମଛପଦା ଓ ତାର ଆଖପାଖ ଅଞ୍ଚଳରେ ଅମଳ ଅପେକ୍ଷାରେ ଥିବା କୋଟି କୋଟି ଟଙ୍କାର ରଙ୍ଗ ବେରଙ୍ଗର ତାଇୱାନ ତରଭୁଜ କୁଆପଥର ମାଡରେ ଛିନଛତର ହୋଇଯାଇଛି l ଖରା ବର୍ଷା ଶୀତ ସହି ସୁନାର ଫସଲ ହସାଇଥିବା ଏକାଧିକ ଚାଷୀ ଏହାକୁ ଦେଖି ହତାଶ ହୋଇପଡିଛନ୍ତି ।
ଗତ କିଛିଦିନ ହେଲା ପଶ୍ଚିମା ଝଡ ପ୍ରଭାବରେ ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପବନ ଘଡ଼ଘଡ଼ି ସହ ବର୍ଷା ଲାଗିରହିଛି । ଏହି ପ୍ରଭାବରେ ବେତନଟୀ ବ୍ଲକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହିତ ବର୍ଷା ହେବା ସହ କୁଆପଥର ବୃଷ୍ଟିପାତ ହୋଇଥିଲା l ଏହି ବର୍ଷା ଓ କୁଆପଥର ମାଡରେ ଶତାଧିକ ଚାଷୀଙ୍କର ପନିପରିବା ଚାଷ, ରବି ଫସଲ ଓ ମୁଖ୍ୟତଃ ତରଭୁଜ ଚାଷ ବ୍ୟାପକ କ୍ଷତି ହୋଇଥିବା ଦେଖାଯାଇଛି l ବେତନଟୀ ବ୍ଲକର ମୁଖ୍ୟତଃ ବୈଶିଙ୍ଗା, ମଛପଦା, କଦଳିଆ, ହୋତାପୁର, ପାଇକଜୁଗୁପୁରା, ନଚ୍ଛପୁରିଆ ପ୍ରଭୁତି ଗ୍ରାମରେ କୁଆପଥର ର ବିତ୍ପାତ ଦେଖିବାକୁ ମିଳିଥିଲା l ମୁଖ୍ୟତଃ ମଛପଦାର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ତରଭୁଜ ଚାଷୀ ଗଭୀର କ୍ଷତି ଗ୍ରସ୍ତ ହୋଇଛନ୍ତି ।
ସୂଚନା ମୁତାବକ ଏହି ଅଞ୍ଚଳରେ ଏକାଧିକ ଚାଷୀ ମିଶି ତାଇୱାନର ନନ-ୟୁ-ସିଡ କମ୍ପାନୀ ଦ୍ୱାରା ତାଲିମ ପ୍ରାପ୍ତ ହୋଇ କମ୍ପାନୀ କର୍ମଚାରୀଙ୍କ ସହାୟତାରେ ପ୍ରାୟତଃ ୪୦୦ ଏକର ଜମିରେ ଆରୋହୀ, ସରସ୍ବତୀ, ବିଶାଳା ଭଳି ବିଭିନ୍ନ ପ୍ରକାର ନୂଆ ପ୍ରଜାତିର ତରଭୁଜ ଚାଷ କରି ଚାଷୀମାନେ ଭଲ ଦୁଇପଇସା ରୋଜଗାର କରିବା ସହିତ ବର୍ଷ ତମାମ ପରିବାର ପ୍ରତିପୋଷଣ କରିଥାନ୍ତି l ହେଲେ ବର୍ଷାରେ ସବୁ ଉଜୁଡି ଯାଇଛି । ସରକାର ଏଥିପ୍ରତି ଦୃଷ୍ଟି ଆକର୍ଷଣ କରି ଏହି କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।
ଅଧିକ ପଢନ୍ତୁ ଓଡିଶା ଖବର