ପାରମ୍ପରିକ ବେଶ ପୋଷାକରେ ଥିବା ପ୍ରଧାନ ବିଚାରପତି ବାଇଶି ପାହାଚ ଦେଇ ଶ୍ରୀମନ୍ଦିରକୁ ଯାଇ ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ପ୍ରାୟ ୪୫ ମିନିଟ ସେ ଶ୍ରୀମନ୍ଦିରରେ ବିତାଇବା ସହ ବିମଳା, ଲକ୍ଷ୍ମୀ ଓ ପାର୍ଶ୍ବ ଦେବାଦେବୀଙ୍କ ମନ୍ଦିର ମଧ୍ୟ ଦର୍ଶନ କରିଥିଲେ । ପ୍ରଧାନ ବିଚାରପତିଙ୍କ କୌଳିକ ପଣ୍ତା ରଜତ ପ୍ରତିହାରୀ ତାଙ୍କ ସହ ଶ୍ରୀମନ୍ଦିରକୁ ଯାଇ ଦର୍ଶନର ବ୍ୟବସ୍ଥା କରିଥିଲେ । ପ୍ରଧାନ ବିଚାରପତି ଶ୍ରୀମନ୍ଦିର ବିଭିନ୍ନ ଦ୍ୱାରର ରୂପା ଛାଉଣୀ କାର୍ଯ୍ୟ ଦେଖି ଖୁସି ବ୍ୟକ୍ତ କରିଥିଲେ ।
ଏହାଛଡା ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଓ ହେରିଟେଜ କରିଡୋର କାର୍ଯ୍ୟ ସମ୍ପର୍କରେ ମୁଖ୍ୟ ପ୍ରଶାସକ ତାଙ୍କୁ ଅବଗତ କରାଇଥିଲେ । ଗତକାଲି ସନ୍ଧ୍ୟାରେ ମଧ୍ୟ ପ୍ରଧାନ ବିଚାରପତି ଶ୍ରୀମନ୍ଦିର ବନ୍ଦ ସେବା ସତ୍ତ୍ୱେ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ବୁଲି ଦେଖିଥିଲେ । ମୁଖ୍ୟ ବିଚାରପତିଙ୍କ ଆଜିର ଦର୍ଶନ ସମୟରେ ହାଇକୋର୍ଟ ମୁଖ୍ୟ ବିଚାରପତି ଏସ. ମୁରଲିଧର, ପୁରୀ ଜିଲ୍ଲା ଜର୍ଜ , ଏଏସ ଆଇ ର ଅଧିକ୍ଷକ ଅରୁଣ କୁମାର ମଲ୍ଲିକ ଓ ଅନେକ ବରିଷ୍ଠ ସରକାରୀ ଅଧିକାରୀମାନେ ଦର୍ଶନରେ ସାମିଲ ଥିଲେ ।