ଅର୍ଗସ ବ୍ୟୁରୋ: ଦୀର୍ଘ ଦିନର ବିରତି ପରେ ପୁଣି ଥରେ ରାଜ୍ୟରେ ମୌସୁମୀ ସକ୍ରିୟ ହେବାକୁ ଯାଉଛି। ଆସନ୍ତା ୭ ତାରିଖ ଆଡ଼କୁ ପଶ୍ଚିମ-କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ପ୍ରଭାବରେ ରାଜ୍ୟରେ କିଛି ଦିନ ବର୍ଷା ଲାଗି ରହିବା ସହ ମୌସୁମୀ ମଧ୍ୟ ସକ୍ରିୟ ହୋଇଯିବ। ଏଥିଯୋଗୁଁ ସେପ୍ଟେମ୍ବରରେ ରାଜ୍ୟରେ ବର୍ଷାର ପରିମାଣ ସ୍ୱାଭାବିକ ରହିବ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଇଏମ୍ଡି କହିଛି ଯେ, ୧୦ ଦିନ ହେଲା ରାଜ୍ୟରେ ମୌସୁମୀର ଦୁର୍ବଳ ସ୍ଥିତି ଲାଗି ରହିଥିଲା। ଦିନରେ ପ୍ରଚଣ୍ଡ ଖରା ହେବା ସହ ଅଧିକ ଆର୍ଦ୍ରତା ଯୋଗୁଁ ଗୁଳୁଗୁଳି ଅନୁଭୂତ ହେଉଥିଲା।
କିନ୍ତୁ ୭ ତାରିଖ ପରେ ପୁଣିଥରେ ମୌସୁମୀ ସକ୍ରିୟ ହେବା ସହ ବର୍ଷା ଲାଗି ରହିବ। ଆଞ୍ଚଳିକ ପାଣିପାଗ କେନ୍ଦ୍ରର କହିବାନୁଯାୟୀ ଗୁରୁବାର ଦିନ ମଧ୍ୟ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ସୋନପୁର ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଛି।