ସିୱାଇଏସ୍ଡି, ଓଡ଼ିଶା ଡେଭଲପମେଣ୍ଟ ଇନିସିଏଟିଭ ଏବଂ ଫୁଡ ଆଣ୍ଡ ନ୍ୟୁଟ୍ରିସନ କୋଆଲିଏସନର ମିଳିତ ଉଦ୍ୟମରେ ବୁଧବାର ଆୟୋଜିତ ଏକ ୱେବିନାରରେ ଅଂଶଗ୍ରହଣ କରି ସିଏଫଏନ୍ଏସ୍ ବୋର୍ଡ ସେକ୍ରେଟାରି ତଥା ପୂର୍ବତନ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ରଙ୍ଗଲାଲ ଜାମୁଦା କହିଲେ ଯେ ଉତ୍ପାଦନ ବୃଦ୍ଧି ଓ ରପ୍ତାନୀ ମିଲେଟ ମିଶନର ଲକ୍ଷ୍ୟ ହେବା ଉଚିତ ନୁହେଁ । ସ୍ଥାନୀୟ ସ୍ତରରେ ଉତ୍ପାଦନ ସହିତ ବ୍ୟବହାର ବଢ଼ିଲେ ଦୂର ହୋଇପାରିବ ଅପପୁଷ୍ଟି । ଜାମୁଦା କହିଥିଲେ ଯେ ଅନୁସୂଚିତ ଜନଜାତି ତାଲିକା ବାହାରେ ଅନେକ ଜନଜାତି ରହିଯାଇଛନ୍ତି, ଯେଉଁମାନଙ୍କୁ ସେମାନଙ୍କର ଗୋଷ୍ଠୀ ଅରଣ୍ୟ ସମ୍ବଳ ଉପରେ ମାଲିକାନାତ୍ୱ ପ୍ରଦାନ କରାଯାଇପାରି ନାହିଁ । ଆଦିବାସୀ ଅଞ୍ଚଳ ଗୁଡ଼ିକରେ କୁପୋଷଣର ମାତ୍ରା ଉଦ୍ବେଗଜନକ ସ୍ତରରେ ରହିଛି । ସିୱାଇଏସ୍ଡିର ମାର୍ଗଦର୍ଶକ ତଥା ପ୍ରାକ୍ତନ ସୂଚନା କମିଶନର ଜଗଦାନନ୍ଦ ପୁଷ୍ଟିହୀନତାର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ
୨ ପ୍ରଚଳିତ ସମସ୍ତ କାର୍ଯ୍ୟକ୍ରମ ଗୁଡ଼ିକ ଗାଁ ସ୍ତରରୁ ତଦାରଖ ହେବା ଉଚିତ ବୋଲି ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ ବିଭିନ୍ନ ଅଂଶୀଦାର ମାନଙ୍କୁ ଏଥିରେ ଯୋଡ଼ି ସାମୂହିକ ପ୍ରୟାସ କରାଗଲେ କୁପୋଷଣର ମାତ୍ରା ଓ ତୀବ୍ରତା ହ୍ରାସ କରାଯାଇ ପାରିବ । ସିଏଫଏନ୍ଏସ୍ର ମୁଖ୍ୟ ପରାମର୍ଶଦାତା ବସନ୍ତ କୁମାର କର କହିଥିଲେ, ଆଦିବାସୀମାନଙ୍କ ପୋଷଣ ଏବଂ ଖାଦ୍ୟ ପ୍ରଣାଳୀକୁ ନେଇ ସ୍ୱତନ୍ତ୍ର ମିଶନ ଗଠନ କରାଯିବା ସହିତ ଆଦିବାସୀ ପୋଷଣ ନୀତି ଏବଂ ପରାମର୍ଶ ପରିଷଦ ଏବଂ ଆକାଂକ୍ଷୀ ଜିଲ୍ଲା ଗୁଡ଼ିକରେ ହାଇ-ଇମ୍ପାକ୍ଟ ଆକ୍ସନ ରିସର୍ଚ୍ଚ ପ୍ରକଳ୍ପ ହାତକୁ ନିଆଯିବା ଅପରିହାର୍ଯ୍ୟ । ଆଦିବାସୀଙ୍କ ଆୟ ବଢ଼ାଇବାକୁ ପଡ଼ିବ । କୁକୁଡ଼ା, ମାଛ, ଗୋପାଳନ ଓ ବନଜ ଦ୍ରବ୍ୟର ମୂଲ୍ୟ ଯୋଗାଣ ଓ ପ୍ରକ୍ରିୟାକରଣରେ ଉନ୍ନତି ଆଣିବା ସହିତ କ୍ଷୁଦ୍ର ମହିଳା ଚାଷୀଙ୍କୁ ପ୍ରୋତ୍ସାହିତ କରିବାକୁ ପଡ଼ିବ । ଏମନରେଗାରେ ପୁଷ୍ଟିକର ବଗିଚା କାର୍ଯ୍ୟକ୍ରମ, ମୃତ୍ତିକା ସ୍ୱାସ୍ଥ୍ୟରେ ଉନ୍ନତି ଏବଂ ଜୈବ ବିବିଧତା ସଂରକ୍ଷଣ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହିତ କୁପୋଷଣ ହେବାକୁ ଦିଆ ନ ଯିବା ଦିଗରେ ଉତ୍ସର୍ଗୀକୃତ ଅଭିଯାନ ଛିଡ଼ା କରିବାକୁ ପଡ଼ିବ ।
ଆଗାମୀ ୨୦୩୬ରେ ଓଡ଼ିଶା ଗଠନକୁ ୧୦୦ ବର୍ଷ ପୂରିବାକୁ ଯାଉଥିବା ବେଳେ ଦ୍ରୁତ ମାନବସମ୍ବଳ ପାଇଁ ପୋଷଣକୁ ସମ୍ବୋଧିତ କରିବା ଗୁରୁତ୍ୱପୂର୍ଣ୍ଣ ବୋଲି ଏହି ଆଭାସୀ କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା । ରାଜ୍ୟରେ ୩୧ ପ୍ରତିଶତ ଶିଶୁ ପୁଷ୍ଟିହୀନତାର ଶିକାର ହୋଇଥିବା ବେଳେ ୬୪.୨ ପ୍ରତିଶତ ଶିଶୁ ରକ୍ତହୀନତା ଭୋଗୁଛନ୍ତି । ଜନସଂଖ୍ୟାର ୨୨.୮୫ ପ୍ରତିଶତ ଆଦିବାସୀ ଶିଶୁ ଓ ମହିଳାଙ୍କ ସ୍ଥିତି ସଙ୍ଗୀନ ଥିବା ଦର୍ଶାଇ ଅତିଥିମାନେ ସରକାର ଏ ଦିଗରେ ବ୍ୟାପକ କାର୍ଯ୍ୟକ୍ରମ ନେଇଥିବା କହିଥିଲେ ।
ୟୁନିସେଫର ନ୍ୟୁଟ୍ରିସନ ବିଶେଷଜ୍ଞ ସୌରଭ ଭଟ୍ଟାଚାର୍ଯ୍ୟ କୁପୋଷଣକୁ ସମ୍ବୋଧିତ କରିବା ଦିଗରେ ଗୋଷ୍ଠୀର ଭୂମିକା ଓ ଛାମୁଆ ସ୍ୱାସ୍ଥ୍ୟକର୍ମୀଙ୍କ ଅବଦାନ ସବୁଠୁ ବେଶୀ ଥିବା କହିଥିଲେ । ଆଇନାର ସମ୍ପାଦିକା ସ୍ନେହ ମିଶ୍ର ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ମୁକେଶ ଧନ୍ୟବାଦ ଅର୍ପଣ କରିଥିଲେ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶତାଧିକ ଅଂଶଗ୍ରହଣ କରି ଆଭାସୀ ମାଧ୍ୟମରେ ଯୋଡ଼ି ହୋଇଥିଲେ । କୋରାପୁଟର ଦୁଇ ଆଦିବାସୀ ମହିଳା ଚାଷୀ ସେମାନଙ୍କର ଅନୁଭବ ଉପସ୍ଥାପନା କରିଥିବା ବେଳେ ସ୍ୱଳ୍ପ ଅବଧିର ଦୁଇଟି ପ୍ରାମାଣିକ ଚଳଚ୍ଚିତ୍ର ଏଥିରେ ପ୍ରଦର୍ଶିତ ହୋଇଥିଲା ।