ପାଦକୁ ପାଦ ଛନ୍ଦି, ହାତ ଓ ଆଖିରେ ଅଙ୍ଗଭଙ୍ଗୀ ଦେଇ ସିଂହଦ୍ୱାରେ କରୁଛନ୍ତି ନୃତ୍ୟ ପ୍ରଦର୍ଶନ । ଇଏ ପରା ସେଇ ଠାକୁର ଯାହାଙ୍କ ପାଖରେ ଦେବଦାସୀ ନୃତ୍ୟ ସମର୍ପଣ କରିବା ପରେ ନିଦ୍ରା ଯାଆନ୍ତି ବିଶ୍ୱନିଅନ୍ତା । ଇଏ ପରା ସେଇ ଠାକୁର, ଯାହାଙ୍କ ଭାବରେ ଥରେ ମଜିଗଲେ ଲୋଡା ହୁଏନାହିଁ ଘୁଙ୍ଗୁର କି ନୁପୁର । ଇଏ ପରା ସେଇ ଠାକୁର ଯାହାଙ୍କର ପ୍ରିୟ ତୁଳସୀ, ନୃତ୍ୟ ଆଉ ଶୃଙ୍ଗାର ।
ସିଂହଦ୍ୱାର ଠାରେ ମଜ୍ଜି ଯାଇଛନ୍ତି ଭକ୍ତ ଜଣକ । କୁଆଡେ ବି ନିଘା ନାହିଁ । ଏପାଖ ସେପାଖ ହୋଇ ଭକ୍ତ ମାନେ ଶ୍ରୀମନ୍ଦିର ପ୍ରବେଶ କରୁଛନ୍ତି । ହେଲେ ଇଏ ତ କାଳିଆ ପ୍ରେମରେ ବାୟା । ନୃତ୍ୟରେ ମଜ୍ଜିଗଲା ବେଳେ ନା କିଛି ଶୁଭୁଛି ନା ଦିଶୁଛି । ଏତେ ଗହଳି ଚହଳିରେ ବି ସେ ମନପ୍ରାଣ ଦେଇ ପ୍ରଭୁଙ୍କୁ ସ୍ମରଣ କରି ନୃତ୍ୟ ପ୍ରଦର୍ଶନ କରିଚାଲିଛନ୍ତି ।
ଧର୍ମ ଓ ସଂସ୍କୃତି ଖବର ଆହୁରି ପଢନ୍ତୁ
ସବୁ ମୋହ, ମାୟା, ଜଞ୍ଜାଳ ଠାରୁ ଉର୍ଦ୍ଧ୍ୱରେ...ତା ଧୀନ ତା ଧୀନ ହୋଇ ନାଚି ଯାଉଛି ତାଙ୍କ ପାଦ । ଆଉ କୋଟି କୈବଲ୍ୟର ନାଥଙ୍କୁ ସୁମରଣା କରି କଳକଳ ହୋଇ ଝରଣାଟିଏ ପରି ଝରି ଯାଉଛି ମନର ଆବେଗ । ଇଏ ହେଉଛନ୍ତି ଜଣେ ବଙ୍ଗୀୟ ଭକ୍ତ 20 ବର୍ଷୀୟ ଷୋମତୀର୍ଥ ରାୟ ଚୌଧୁରୀ । ମଣିପୁରୀ ଡ୍ୟାନ୍ସରେ ଗ୍ରାଜୁଏସନ କରୁଛନ୍ତି ଷୋମତୀର୍ଥ । 13 ବର୍ଷ ବୟସରୁ ଅର୍ଥାତ 7 ବର୍ଷ ଧରି ନୃତ୍ୟ ଶିଖିଲେଣି ସୋମତୀର୍ଥ । ହେଲେ କଳା ଠାକୁରଙ୍କ ପାଖରେ ସିଂହଦ୍ୱାରରେ ନୃତ୍ୟ ସମର୍ପଣ କରିବାର ଅନୁଭବ ନିଶ୍ଚିତ ନିଆରା ।ଆଉ ସେହି କଳାଠାକୁରଙ୍କ ପାଖରେ ଯିଏ ସମର୍ପିତ ତାର ଆଉ ବା କଣ ଲୋଡ଼ା ।