କଟକ ଛତ୍ରବଜାରକୁ ଗତକାଲିଠୁ ଆସିପାରୁନି ପରିବା ଗାଡ଼ି । ଫଳରେ ପରିବାର ଘୋର ଅଭାବ ଦେଖାଦେଇଛି । ବିଟ୍, ଗାଜର, ବଜାରରୁ ଗାୟବ ହୋଇଥିବାବେଳେ ଆଳୁ, ପିଆଜି ଦାମ ବଢିବା ଆଶଙ୍କା ଦେଖାଦେଇଛି । ଯଦି ଆଜି ମଧ୍ୟ ପରିବା ନଆସେ ତାହାଲେ ଉତ୍କଟ ପରିସ୍ଥିତି ଦେଖାଦେଇପାରେ । ଖାଲି କଟକ ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ପରିବା ବଜାରରେ ଦର ଆକାଶ ଛୁଆଁ ହୋଇଛି ।
ଡ୍ରାଇଭର-ରାଜ୍ୟ ସରକାର ବିବାଦ ଯୋଗୁଁ ହାଣ୍ଡିଶାଳ ଉପରେ ସିଧାସଳଖ ଏହାର ପ୍ରଭାବ ପକାଇବ । ସେପଟେ ପୁରୀକୁ ଆସିପାରୁନାହିଁ ପନିପରିବା ଗାଡି । ମୁଣ୍ଡରେ ହାତ ଦେଲେଣି ବ୍ୟବସାୟୀ ଓ ଖାଉଟି । ମାର୍କେଟରୁ ଧୀରେ ଧୀରେ ଷ୍ଟକ୍ ସରିଲାଣି । ସେପଟେ ପରିବାର ଅଭାବ ଯୋଗୁଁ କଳାବଜାରୀ ବଢିବା ସମ୍ଭାବନା ଦେଖାଦେଲାଣି । ରାଜ୍ୟବ୍ୟାପୀ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଯୋଗୁଁ ଗୋଦାମରେ ଗାଡି ପହଞ୍ଚି ପାରୁନି ।
ଡ୍ରାଇଭର ଆନ୍ଦୋଳନ ପ୍ରସଙ୍ଗରେ ବିଧାନସଭାରେ ହଟ୍ଟଗୋଳ
ଯାହାର ପ୍ରଭାବ ସିଧାସଳଖ ଭାବରେ ଖାଉଟି ଓ ବ୍ୟବସାୟୀଙ୍କ ଉପରେ ପଡିବା ଆରମ୍ଭ କଲାଣି । ଏବଂ ପରିବା ଅଭାବ ଯୋଗୁଁ ମାର୍କେଟରେ ଦରଦାମ ବୃଦ୍ଧି ହେଉଥିବାବେଳେ ଲୋକଙ୍କ ଆବଶ୍ୟକତାର ଫାଇଦା ନେଇ କଳାବଜାରୀ ମଧ୍ୟ ବଢିବାରେ ଲାଗିଲାଣି । ସେପଟେ ଏ ବିବାଦର ତୁରନ୍ତ ସମାଧାନ ନହେଲେ ପରିସ୍ଥିତି ଭୟାବହ ହେବ ବୋଲି ଆଶଙ୍କା କରିଛନ୍ତି ଜନସାଧାରଣ । ତେଣୁ ତୁରନ୍ତ ଆଲୋଚନା କରି ଏ ବିବାଦର ସମାଧାନ କରିବାକୁ ସରକାରଙ୍କୁ ଉଭୟ ବ୍ୟବସାୟୀ ଓ ଜନସାଧାରଣ ନିବେଦନ କରିଛନ୍ତି ।