ଏଇ ଶ୍ରୀମନ୍ଦିର ଦେଖିଛି କେତେ ଭକ୍ତଙ୍କ ଭକ୍ତବତ୍ସଳତାର ଭାବ ।ଅଗ୍ନିଙ୍କ ଭକ୍ତବତ୍ସଳତା ପ୍ରତିପାଦନ ପାଇଁ ଶ୍ରୀମନ୍ଦିରରେ ରହିଛି ମେଣ୍ଢାପୋଡି ନୀତିର ପ୍ରବାଦ ।ପୌରାଣିକ ଅଖ୍ୟାୟିକା ଅନୁଯାୟୀ ବିଷ୍ଣୁଙ୍କ ମହାନ ଭକ୍ତ ପ୍ରହଲ୍ଲାଦଙ୍କୁ ତାଙ୍କ ପିତା ହିରଣ୍ୟକଶ୍ୟପ ହତ୍ୟା କରିବା ପାଇଁ ଚେଷ୍ଟା ଚଳାଇଥିଲା। ହେଲେ ପ୍ରହଲ୍ଲାଦ ଭକ୍ତ ହୋଇଥିବାରୁ ଏହି ଉଦ୍ୟମ ଫଳପ୍ରଦ ହେଉନଥିଲା। ହିରଣ୍ୟର ଭଉଣୀ ହୋଲିକା ବରପ୍ରାପ୍ତ ହୋଇଥିଲା କି ଅଗ୍ନୀ ତାକୁ ଜଳାଇପାରିବ ନାହିଁ। ଏଣୁ ହୋଲିକା ଭାଇ ହିରଣ୍ୟକଶ୍ୟପଙ୍କ ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ପ୍ରହଲ୍ଲାଦକୁ କୋଳରେ ଧରି ଅଗ୍ନିରେ ପ୍ରବେଶ କରିଥିଲେ। କିନ୍ତୁ ଫଳ ଓଲଟା ହେଲା। ହୋଲିକା ଅଗ୍ନିରେ ଦଗ୍ଧ ହୋଇଯାଇଥିବା ବେଳେ ପ୍ରହଲ୍ଲାଦ ଅଗ୍ନିଙ୍କ ଜ୍ୱାଳା ଉପରେ ବିଜୟ ଲାଭ କରିଥିଲେ। ମେଷ ବା ମେଣ୍ଢା ହେଲା ଅଗ୍ନିଙ୍କ ବାହନ। ଅଗ୍ନିଙ୍କ ଏହି ଭକ୍ତ ବତ୍ସଳତାକୁ ପ୍ରତିପାଦନ କରିବା ପାଇଁ ଶ୍ରୀମନ୍ଦିରରେ ମେଣ୍ଢାପୋଡ଼ି ନୀତିର ଅନେକ ଦିନରୁ ରହିଛି ପ୍ରବାଦ।
ସଜେଇ ହୋଇ ରହିଥାଏ ମହାପ୍ରଭୁଙ୍କ ଦୋଳବେଦୀ ।ଦୋଳବେଦୀ ନିକଟରେ ମେଣ୍ଢାପୋଡି ବା ମେଷ କୁଟୀର ଦହନ ନୀତି ପାଇଁ ଫାଲଗୁନ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ଘଷିରେ ପ୍ରସ୍ତୁତ ହୋଇରହିଥାଏ ମେଣ୍ଢାକୁଡ଼ିଆ ବା ମେଷ କୁଟିର ।ମଧ୍ୟାହ୍ନ ଧୂପପରେ ଦୋଳଗୋବିନ୍ଦ,ଭୂଦେବୀ ଓ ଶ୍ରୀଦେବୀ ହୁଅନ୍ତି ଚାଚେରୀ ବେଶ ।ଲକ୍ଷ୍ମୀ ମନ୍ଦିରରେ ଥିବା ଖଟିଆ ଉପରେ ବିରାଜମାନ ହୋଇ ଝିମିରି ଫଗୁ ଖେଳନ୍ତି ଦୋଳ ଗୋବିନ୍ଦ ।ଶୀତଳଭୋଗ ବନ୍ଦାପନା ସରିବା ପରେ ବିମାନରେ ବିଜେ ହୁଅନ୍ତି ଦୋଳଗୋବିନ୍ଦ ।ବାମରେ ସିନ୍ଧୁସୁତା, ଶ୍ରୀଦେବୀ,ଦକ୍ଷିଣରେ ଧରଣୀ,ଭୂଦେବୀଙ୍କୁ ଧରି ଦୋଳବେଦୀ କୋଣକୁ ଶୋଭାଯାତ୍ରାରେ ଯାଆନ୍ତି ଦୋଳଗୋବିନ୍ଦ ।ଠାକୁର ପହଞ୍ଚିବା ପରେ ମେଷ କୁଟୀରରେ ହୁଏ ଅଗ୍ନି ସଂଯୋଗ ।ଏହାପରେ ବିମାନରେ ବସି ଠାକୁର 7 ଥର ପରିକ୍ରମା କରନ୍ତି ।ଦୋଳବେଦୀ ଉପରେ ହୁଏ ସଂନ୍ଧ୍ୟାଧୂପ ନୀତି ।ସନ୍ଧ୍ୟା ଧୂପ ପରେ ଶ୍ରୀମନ୍ଦିର ବାହୁଡ଼ି ଯାଆନ୍ତି ଠାକୁର ।ଆଉ ଏ ସମସ୍ତ ନୀତି ଶେଷପରେ ମଇଲମ ଓ ଚନ୍ଦନଲାଗି,ବଡ଼ସିଂହାର ବେଶ ହୋଇ ନିଦ୍ରା ଯାଆନ୍ତି କଳାଠାକୁର ।
ମେଣ୍ଢାପୋଡି ନୀତି ପାଇଁ ଜାଗର ଠାରୁ ଆରମ୍ଭ ହୋଇଥାଏ ପ୍ରସ୍ତୁତି ପର୍ବ ।ଅଧର୍ମ ଉପରେ ଧର୍ମର ବିଜୟ ପାଇଁ ଏ ମେଣ୍ଢାପୋଡି ନୀତି ପ୍ରାଚୀନ କାଳରୁ ଶ୍ରୀମନ୍ଦିରରେ ପ୍ରଚଳିତ ହୋଇ ଆସୁଛି ।