ଭଗବାନଙ୍କ ସୃଷ୍ଟିର ଏକ ଅନ୍ୟତମ ଉପହାର ମୟୂର । ଯାହାର ସୌନ୍ଦର୍ଯ୍ୟ, ସ୍ୱଭାବ..ଆଉ ଶାନ୍ତ ନୀରିହ ଆଖି ମନ କିଣି ନିଏ । ଯେତେ ଦେଖିଲେ ବି ଆଉ ଟିକେ ଦେଖିବାକୁ ଇଚ୍ଛା ହୁଏ । ଆଉ ପୁଚ୍ଛ ମେଲାଇ ସେ ନାଚିଲେ ..ଆମ ମନ ବି ନାଚି ଉଠେ । ସେଥିପାଇଁ ତ କୁହନ୍ତି କୁକୁଟ ମୁକୁଟେ କି ଆଦର ଆହା ମୟୂର ପୁଚ୍ଛେ ଆଦର ।
ମୟୂର କାଳେ କାଳେ କଳା,ସାହିତ୍ୟ,ଇତିହାସ ଓ ପୁରାଣ ଆଦିରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପାଇଆସିଛି । ଆମ ପୁରାଣର ଶୌର୍ଯ୍ୟ ଓ ସୌନ୍ଦର୍ଯୟର ଦେବତା କାର୍ତ୍ତିକେୟଙ୍କର ବାହାନ ମୟୂର।
ମୟୂରର ଅନେକ ନାଁ । ତା କଣ୍ଠର ବର୍ଣ୍ଣ ନୀଳ-ତେଣୁ ସେ ନୀଳକଣ୍ଠ । ତାହାର ଏକ ଶିଖା ଅଛି ତେଣୁ ସେ ଶିଖି । ମୟୂରର ପର ବର୍ଣ୍ଣାଳୀରେ ଭରା । ତେଣୁ ସେ ଚିତ୍ରପିଚକ । ତାର ପର ବୃତ୍ତାକାରରେ ସଜ୍ଜିତ-ତେଣୁ ସେ କଳପୀ । ମୟୂରର ପରର ଶୋଭା ଅତ୍ୟନ୍ତ ସୁନ୍ଦର । ତେଣୁ ସେ ଶିଖଣ୍ଡୀ । ମୟୂର ମେଘ ଦେଖି ନାଚେ । ତେଣୁ ସେ ମେଘାନନ୍ଦ ।
ଭାରତ ସହ ଓଡିଶାର ବଣ ପାହାଡ ମୟୂର ପାଇଁ ପ୍ରକୃଷ୍ଟ ସ୍ଥାନ ପାଲଟିଥିବାରୁ ଆମ ରାଜ୍ୟର ପ୍ରାୟ ସମସ୍ତ ଜାତୀୟ ଉଦ୍ୟାନ ଓ ଅଭ୍ୟାୟରଣ୍ୟରେ ମୟୂର ଦେଖିବାକୁ ମିଳିଥାଏ । ଯେମିତିକି ସମ୍ବଲପୁରର ଖୋଲାଶୁଣି, କନ୍ଧମାଳର ପୋଟଗଡ, ବାଲେଶ୍ୱରର କୂଳଡିହା, ଅନୁଗୋଳର ସାତକୋଶିଆ, ମୟୂରଭଞ୍ଜର ଶିମିଳିପାଳ । ହେଲେ କଟକର ନରାଜ ମୟୂରଙ୍କ ପାଇଁ ପ୍ରମୁଖ ପେଣ୍ଠସ୍ଥଳୀ ପାଲଟିଛି । ମଣିଷ ଓ ମୟୂରଙ୍କର ସମ୍ପର୍କକୁ ଖୁବ ସୁନ୍ଦର ଭାବରେ ଉପସ୍ଥାପିତ କରେ ଏହାର ପରିବେଶ । ୟେଉଁଥିପାଇଁ ବର୍ଷ ତମାମ ଏଠାରେ ପର୍ଯ୍ୟଟକଙ୍କ ଭିଡ ଜମିଥାଏ ।
ଏହା ବାଦ ନନ୍ଦନ କାନନରେ ବିଭିନ୍ନ ପ୍ରକାରର ଖାସ କରି ଧଲା ମୟୂର ଦେଖିପାରିବେ ।
ମୁଁ...ମୋ ଭବିଷ୍ୟତ..ସଂଘର୍ଷ..ସଫଳତା..ବିଫଳତା ..ଲକ୍ଷ୍ୟ ପଥରେ..ଧାଁ ଦୌଡରେ ଭିତରେ ଆମେ ଆମକୁ ଭୁଲି ଯାଉଛୁ । ପ୍ରକୃତି..ପୃଥିବୀ..ଆଉ ପରିବେଶ..ଆମକୁ ବହୁତ କିଛି ଦେଇଛି । ନା ଆମେ ତାର ରକ୍ଷା କରୁଛେ..ନା ଉପଭୋଗ । ହେଲେ ଥରୁଟେ ସମୟ ପାଇଲେ ଏହି ସବୁ ସ୍ଥାନ ବୁଲି ଆସନ୍ତୁ । ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରନ୍ତୁ ।