ପୁରୀ ଶ୍ରୀମନ୍ଦିର ଭିତରକୁ ଦିବ୍ୟାଙ୍ଗଙ୍କ ପ୍ରବେଶ ପାଇଁ ରାମ୍ପ ଓ ୱିଲ ଚେୟାର ଭଳି ସ୍ଵତନ୍ତ୍ର ବ୍ୟବସ୍ଥା କରିବା ନେଇ ହାଇକୋର୍ଟଙ୍କ ନୋଟିସ୍ । ଏହି ମାମଲାରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହରାଜା ଦିବ୍ୟସିଂହ ଦେବ, ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ । ୨୦୨୨ ଫେବ୍ରୁଆରି ୨୮ରେ ହାଇକୋର୍ଟ ପ୍ରଦାନ କରିଥିବା ନିର୍ଦ୍ଦେଶ ପାଳନରେ ଅବହେଳା ଅଭିଯୋଗ ନେଇ ଦାୟର ଦ୍ଵିତୀୟ ଅଦାଲତ ଅବମାନନା ଆବେଦନକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି ଏହି ନୋଟିସ୍ ଜାରି କରିଛନ୍ତି । ନୋଟିସ ପାଇବାର ୭ ଦିନ ଭିତରେ ପ୍ରତିପକ୍ଷ ମାନେ ଜବାବ ଦାଖଲ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଯେଭଳି ଶ୍ରୀଜଗନ୍ନାଥ ମନ୍ଦିର ଭିତରକୁ ସହଜରେ ପ୍ରବେଶ କରି ପାରିବେ ସେ ନେଇ ପରବର୍ତ୍ତୀ ଶୁଣାଣି ପୂର୍ବରୁ ପ୍ରତିପକ୍ଷ ବ୍ୟବସ୍ଥା କରିବା ପାଇଁ ପ୍ରସଙ୍ଗ ଉଦ୍ୟମ କରିବେ ବୋଲି ହାଇକୋର୍ଟ କହିଛନ୍ତି ।
ପୁରୀ ଶ୍ରୀମନ୍ଦିର ଭିତରକୁ ଦିବ୍ୟାଙ୍ଗଙ୍କ ପ୍ରବେଶ ପାଇଁ ରାମ୍ପ ଭଳି ସ୍ଵତନ୍ତ୍ର ବ୍ୟବସ୍ଥା ପ୍ରସଙ୍ଗ ଉପରେ ନିଷ୍ପତି ନେବାକୁ ହାଇକୋର୍ଟ ୨୦୨୨ ଫେବ୍ରୁଆରି ୨୮ରେ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳ ମିଳିତ ଭାବେ ଆଇନ ସମ୍ମତ ନିଷ୍ପତ୍ତି ଗ୍ରହଣ କରିବେ ବୋଲି କହିଥିଲେ ହାଇକୋର୍ଟ । ଆବେଦନକାରୀ ହାଇକୋର୍ଟରେ ଦାଖଲ କରିଥିବା ରିଟ୍ ପିଟିସନ୍କୁ ତାଙ୍କ ଦରଖାସ୍ତ ଭାବେ ଗ୍ରହଣ କରି କର୍ତ୍ତୃପକ୍ଷ ବିଚାର କରିବା ସହି ଏହା ଉପରେ ଏକ ମାସ ଭିତରେ ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପକ୍ଷରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ସହିତ ଆବେଦନକାରୀ ରିଟ୍ ଆବେଦନର କପି ପ୍ରତିପକ୍ଷଙ୍କ ନିକଟରେ ମାର୍ଚ୍ଚ ୭ରେ ଦାଖଲ କରିଥିଲେ । ଏହା ପରେ ମଧ୍ୟ ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇ ନଥିଲା ।
ତେବେ ଆବେଦନକାରୀ ହାଇକୋର୍ଟରେ ପ୍ରଥମ ଅଦାଲତ ଅବମାନନା ମାମଲା ଦାୟର କରିଥିଲେ। ପ୍ରଥମ ଅଦାଲତ ଅବମାନନା ମାମଲାର ହାଇକୋର୍ଟ ଶୁଣାଣି କରି ପୂର୍ବ ନିର୍ଦ୍ଦେଶ ଏକ ମାସ ଭିତରେ ପାଳନ ପାଇଁ ୨୦୨୨, ଡିସେମ୍ବର ୨୦ରେ ନିର୍ଦ୍ଦେଶ ଦେଇଥିଲେ । ପୂର୍ବରୁ ଦିଆଯାଇଥିବା ଦୁଇ ନିର୍ଦ୍ଦେଶ ପାଳନରେ ଅବହେଳା ଅଭିଯୋଗ କରି ଏହି ଦ୍ଵିତୀୟ ଅଦାଲତ ଅବମାନନା ମାମଲା ଆବେଦନକାରୀଙ୍କ ପକ୍ଷରୁ ଦାୟର କରାଯାଇଥିଲା।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର