ସୂଚନା ଅନୁଯାୟୀ OD11Q7722 ନମ୍ବର ବିଶିଷ୍ଟ ୧୨ ଚକିଆ ହାଇବାରେ ସାରସକଣା ତହସିଲ ଅନ୍ତର୍ଗତ କୋଳାପାଣି ଓ ବାଘବୁଡା ଅଞ୍ଚଳରୁ ଧଳା ପଥର ଲୋଡ଼ କରି ରବିବାର ରାତି ପ୍ରାୟ ଦୁଇଟା ବେଳେ ପାକଟିଆରୁ କତରା ୪୯ନଂ ଜାତୀୟ ରାଜପଥକୁ ସଂଯୋଗ କରୁଥିବା କୋପାଡ଼ିହା ଛକ ଶାଳବଣି ରାସ୍ତାରେ ଦେଇ ଯାଉଥିଲା । ଝାରପୋଖରିଆ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଧଳା ପଥର ବୋଝେଇ ହାଇବା ଗାଡିକୁ ଅଟକେଇ ଥାନାକୁ ଆଣି ଥିଲା । ବେଆଇନ ଖଣିଜ ସମ୍ପଦ ଚାଲାଣ କରୁଥିବା ଅଭିଯୋଗରେ ଗାଡିର ଚାଳକଙ୍କୁ ଥାନାରେ ଅଟକ ରଖି ଥାନା ଏକ ମାମଲା ରୁଜୁ କରିଛି । କେଶ ନଂ ୨୧୪/୨୦୨୨ରେ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଥିବା ଥାନା ଅଧିକାରୀ ଫନିନ୍ଦ୍ର ଭୂଷଣ ନାୟକ ପ୍ରକାଶ କରିଛନ୍ତି ।
ତେବେ ଦୀର୍ଘ ଦିନରୁ ସାରସକଣା ତହସିଲ ଅଧୀନରେ କୌଣସି ସ୍ଥାନରେ ଧଳାପଥର ଉତ୍ତୋଳନ ଲାଗି ଅନୁମତି ସରକାର ଦେଇନଥିବା ବେଳେ ପାକଟିଆ ଠାରେ ପୂର୍ବରୁ ଦିଆଯାଇଥିବା ଲିଜର ଅବଧୂ ଦୀର୍ଘ ମାସ ପୂର୍ବରୁ ସରିଯାଇଛି । ତହସିଲ ଅଞ୍ଚଳରୁ ଯେଉଁ ଧଳାପଥର ଚାଲାଣ କରାଯାଉଛି ତାହା ସମ୍ପୂର୍ଣ୍ଣ ବେଆଇନ । ସାରସ କଣା ତହସିଲ ଅଞ୍ଚଳର ନିର୍ଦ୍ଦିଷ୍ଟ ଧଳା ପଥର ଚାଲାଣକାରୀ ମାନେ ଦିଗ ଓ ସମୟ ପରିବର୍ତ୍ତନ କରି ଏବେ ରାତିରେ ଧଳା ପଥର ବାହାର ରାଜ୍ୟକୁ ଚାଲାଣ କରିବାରେ ସଫଳ ହେଉଛନ୍ତି । ଜଙ୍ଗଲ, ଗ୍ରାମ୍ୟ ଜଙ୍ଗଲ ଓ ସରକାରୀ ଜମିରୁ ଧଳାପଥର ଉତ୍ତୋଳନ କରାଯାଇ ପ୍ରାୟତଃ ପ୍ରତ୍ୟେକ ଦିନ ବାହାରକୁ ଚାଲାଣ କରାଯାଉଛି । ହେଲେ ସରକାରଙ୍କ ଚାରୋଟି ବିଭାଗ ପକ୍ଷରୁ କୌଣସି ଦିନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏନି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।