ସସ୍ମିତ ପାତ୍ର, ପ୍ରସନ୍ନ ଆଚାର୍ଯ୍ୟ ଓ ଏନ୍ ଭାସ୍କର ରାଓଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏହି ୩ ଜଣଙ୍କ ସ୍ଥାନରେ କାହାକୁ ପ୍ରାର୍ଥୀ କରିବ ବିଜେଡି, ତାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା।
୩ ପଦବୀ ପାଇଁ କିନ୍ତୁ ଏକାଧିକ ଦାବିଦାର ରହିଛନ୍ତି। କିନ୍ତୁ ଦଳ ନିଜ ଭୋଟ ବ୍ୟାଙ୍କ ଫାଇଦାକୁ ହିଁ ଦୃଷ୍ଟିରେ ରଖିବ। ଆଉ ଏହି ଭୋଟ ରାଜନୀତି ଆଧାରରେ ପ୍ରାର୍ଥୀ ଘୋଷଣା କରିବ ବୋଲି ଚର୍ଚ୍ଚା ହେଉଛି।
ଆଗକୁ ବ୍ରଜରାଜନଗର ଉପନିର୍ବାଚନ। ବିଧାୟକ କିଶୋର ମହାନ୍ତିଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡିଥିଲା। ମେ ୩୧ରେ ବ୍ରଜରାଜନଗର ଉପ ନିର୍ବାଚନ ଲାଗି ଦିନ ଧାର୍ଯ୍ୟ ହୋଇଥିବା ବେଳେ ସୌଭାଗ୍ୟକୁ ଏହି ତାରିଖ ହେଉଛି ରାଜ୍ୟସଭା ଉପନିର୍ବାଚନ ଲାଗି ନାମାଙ୍କନ ଦାଖଲର ଶେଷ ଦିନ। ଏଣୁ ଏଠାରେ ଦଳ ନିର୍ବାଚନୀ ଫାଇଦା ଉଠାଇବାକୁ ପଶ୍ଚିମ ଓଡ଼ିଶା କାର୍ଡ ଖେଳିପାରେ। ଏହି ପ୍ରାନ୍ତରୁ ଦାବିଦାର ଥିବା କଳିକେଶ ନାରାୟଣ ସିଂଦେଓ, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ସୁସ୍ମିତା ବାଗଚୀ ଓ ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରୀପାଠିଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି।
କିନ୍ତୁ ଯଦି ଏପରି ହୁଏ ତା ହେଲେ କେବଳ ରାଜ୍ୟର ଗୋଟିଏ ପ୍ରାନ୍ତୀୟ ଗୋଷ୍ଠୀ ସନ୍ତୁଷ୍ଟ ହେବେ। ଆଞ୍ଚଳିକ ଭିତ୍ତିରେ ଦେଖିଲେ, ଉତ୍ତର ଓଡ଼ିଶାରୁ ରବୀନ୍ଦ୍ର ଜେନା, ଦକ୍ଷିଣ ଓଡ଼ିଶାରୁ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ରବି ନନ୍ଦ ଓ ପ୍ରଦୀପ ମାଝି ଆଶାୟୀ ଦୌଡରେ ରହିଛନ୍ତି। ସେହିପରି ଉପକୂଳ ଓଡ଼ିଶାରୁ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ, ପ୍ରସନ୍ନ ପାଟ୍ଟଶାହାଣୀ, ମହେଶ୍ବର ମହାନ୍ତି ମଧ୍ୟ ପ୍ରମୁଖ ଦାବିଦାର ରହିଛନ୍ତି।
ଏ ସମସ୍ତ ନାଁ ଭିତରୁ ସମ୍ଭାବ୍ୟ ତାଲିକାରେ ମାନସ ମଙ୍ଗରାଜଙ୍କ ନାଁ ଉଠୁଛି। କାରଣ ସେ ନିଜର ବର୍ତ୍ତମାନ ପଦବୀ ପାଇଁ ନିକଟରେ ଉତ୍ତରାଧିକାରୀ ଚୟନ କରି ସାରିଛନ୍ତି। ଗୋଟିଏ ପ୍ରମୁଖ ଗଣାମଧ୍ୟମର ସାମ୍ବାଦିକଙ୍କୁ ତାଙ୍କ ପଦବୀରେ ଥଇଥାନ କରି ସେ ନିଜ ରାଜ୍ୟସଭା ଯିବା ପଥ ନିଷ୍କଣ୍ଟକ କରିଛନ୍ତି ବୋଲି ବିଜେଡିର ଗୋଟିଏ ଗୋଷ୍ଠି ଦାବି କରୁଛି।
ହେଲେ ଦଳର କ୍ଷମତା କେନ୍ଦ୍ର ଏ ଯାଏଁ କାହାରି ନାଁ ଉପରେ ମୋହର ମାରିନି। ଠିକ୍ ଉପନିର୍ବାଚନ ଦିନ କେଇଟା ପୂର୍ବରୁ ନାମ ଘୋଷଣା କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଏଣୁ ପଶ୍ଚିମ ଓଡ଼ିଶାରୁ ଅନ୍ତତଃ ଜଣଙ୍କୁ ଦଳ ପ୍ରାର୍ଥୀ କରିବ ବୋଲି ଅଭାଷ ମିଳୁଛି। ଦେଖାଯାଉ ଦଳ କାହା ଉପରେ ଭରଷା ଥାପୁଛି।