ତେବେ ନଜର ପକାନ୍ତୁ କେଉଁ ପ୍ରକଳ୍ପ କେବେ ଅନୁମୋଦିତ ହୋଇ ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ସେଗୁଡ଼ିକର ସ୍ଥିତି କଣ ?
ଖୋର୍ଦ୍ଧା ରୋଡ଼ - ବଲାଙ୍ଗୀର ରେଳପଥ ପ୍ରକଳ୍ପ ପାଇଁ 1994-95 ଆର୍ଥିକ ବର୍ଷରେ ବ୍ରଡ଼ ଗଜ ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିଲା I ଏହି ପ୍ରକଳ୍ପ ପାଇଁ ବ୍ୟୟ ଅଟକଳ 2923.13 କୋଟି ରହିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଜମି ଅଧିଗ୍ରହଣ ଓ ପ୍ରକଳ୍ପ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ଯୋଗୁଁ ବ୍ୟୟ ଅଟକଳ 868.13 କୋଟି ଅଧିକା ହୋଇଛି I ପ୍ରକଳ୍ପର ଏଭଳି ଧିମା ଗତିକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି ତୀବ୍ର ଅସନ୍ତୋଷ ।
ତାଳଚେର-ବିମଳାଗଡ ରେଳ ପଥ ପାଇଁ ବହୁ ଦିନରୁ ଦାବି ହୋଇ ଆସୁଥିବାବେଳେ ୨୦୦୨ ମସିହାରେ ରେଳପଥ ନିର୍ମାଣ ପାଇଁ ପ୍ରସ୍ତାବ ଗୃହୀତ ହୋଇ ବଜେଟ ବ୍ୟବସ୍ଥା ହୋଇଥିଲା । ୨୦୧୨ ମସିହାରୁ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହେବା ପରେ ରେଳପଥ କାର୍ଯ୍ୟ ତ୍ବରାନ୍ବିତ ହୋଇଥିଲା । ୧୪୯.୭୮ କିଲୋମିଟର ଦୀର୍ଘ ବିଶିଷ୍ଟ ତାଳଚେର - ବିମଳାଗଡ ରେଳପଥର ସୁନାଖଣି ପର୍ଯ୍ୟନ୍ତ କାମ ଶେଷ ହୋଇଯାଇଥିବା ବେଳେ ନିର୍ମାଣରେ ବାଧକ ସାଜିଥିବା ବାରୁଆଁ ପାହାଡ଼ ରେଳ ବିଭାଗ ପାଇଁ ଚିନ୍ତାର ବିଷୟ ପାଲଟିଥିଲା । ହେଲେ ଇଷ୍ଟକୋଷ୍ଟ ରେଲୱେ ୨୦୨୦ ମସିହାରେ ଟନେଲ କରି ୨ବର୍ଷ ମଧ୍ୟରେ ୮୪୦ ମିଟର ଟନେଲକୁ ଶେଷ କରିଛି ।
ସେହିପରି ରାଉରକେଲା-ଝାରସୁଗୁଡ଼ା ତୃତୀୟ ଲାଇନ, କୋରାପୁଟ-ସିଙ୍ଗାପୁର ରୋଡ ଦୋହରିକରଣ, ସୁକିନ୍ଦା ରୋଡ-ଅନୁଗୁଳ, ବିଜୟନଗରମ – ସମ୍ବଲପୁର ତୃତୀୟ ଲାଇନ, ବୁଢ଼ାପଙ୍କ-ସାଲେଗାଁ ଭାୟା ରଜତଗଡ଼ ତୃତୀୟ ଓ ଚତୁର୍ଥ ଲାଇନ, ବାଂଶପାଣି-ଜଖପୁରା ଦୋହରିକରଣ, ଖୋର୍ଦ୍ଧାରୋଡ-ବାରଙ୍ଗ ତୃତୀୟ ଲାଇନ, , ସମ୍ବଲପୁର-ତାଳଚେର ଦୋହରିକରଣ, ଜଗଦଲପୁର-କୋରାପୁଟ ଦୋହରିକରଣ, ଝାରପଡ଼ା-ବୁଡ଼ାପଙ୍କ ତୃତୀୟ ଓ ଚତୁର୍ଥ ଲାଇନ, ସମ୍ବଲପୁର -ଟିଟଲାଗଡ ଦୋହରିକରଣ, କୋଇଲା ପରିବହନ ପାଇଁ ରେଳ ସଂଯୋଗୀକରଣ ଓ ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ ଅଧାରେ ଅଟକିଛି । ବିଶେଷ ଭାବେ ପରିବେଶ ମଞ୍ଜୁରୀ ଏବଂ ଜମି ଅଧିଗ୍ରହଣରେ ବିଳମ୍ବ, ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାରେ ବିଫଳତା ଯୋଗୁଁ ରେଳ ପ୍ରକଳ୍ପ ଆଗେଇ ପାରୁନି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ।
୨୦୧୪ ପର ଠାରୁ ମୋଦୀ ସରକାର ସମୟରେ ପ୍ରତି ବର୍ଷ ଓଡ଼ିଶାକୁ ହାଜର ହାଜର କୋଟି ଟଙ୍କାର ରେଳ ଅନୁଦାନ ବଢ଼ିବାରେ ଲାଗିଛି । ଗତ 9 ବର୍ଷ ଭିତରେ ରେଳ ବଜେଟରେ ଓଡିଶାକୁ ମିଳିଛି 51 ହଜାର 237 କୋଟି ଟଙ୍କା । କିନ୍ତୁ ବର୍ଷ ଧରି ପଡି ରହିଥିବା ପ୍ରକଳ୍ପ ଗୁଡ଼ିକ ଶେଷ ନହେବା ପଛରେ ରାଜ୍ୟ ସରକରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଛି ।