ଅର୍ଗସ ବ୍ୟୁରୋ: ବର୍ତ୍ତମାନ ଡିସେମ୍ବର ମାସ ଆରମ୍ଭ ହୋଇଗଲାଣି। ମଶାଙ୍କ ପ୍ରାଦୁର୍ଭାବ ଅକ୍ଟୋବର ମାସରୁ ବୃଦ୍ଧି ପାଇଛି। ଏହାସତ୍ତ୍ଵେ ମଶା ନିପାତ୍ ପାଇଁ ମେୟର ଦେଇଥିବା ପ୍ରତିଶ୍ରୁତି କାହିଁକି ପୂରଣ ହୋଇପାରିଲା ନାହିଁ ପ୍ରଶ୍ନ କରିଛନ୍ତି ବିରୋଧୀ । ସକାଳୁ ସନ୍ଧ୍ୟା, ସନ୍ଧ୍ୟାରୁ ରାତି। ଯୁଆଡ଼େ ଦେଖିବେ ମଶା, ମଶା, ଆଉ ମଶା। ନିର୍ବାଚିତ ହେବା ପରେ ସହରକୁ ମଶାମୁକ୍ତ କରିବା ପାଇଁ ମେୟର ସୁବାସ ସିଂ ପ୍ରତିଶ୍ରୁତି ଦେବା ସହ ମ୍ୟୁନିସିପାଲଟିର ପୂର୍ବତନ ଅଧ୍ୟକ୍ଷା ତ୍ରିଲୋଚନ କାନୁନଗୋଙ୍କ ଠାରୁ ପରାମର୍ଶ ମଧ୍ୟ ନେଇଥିଲେ। ଏହା ସତ୍ତ୍ଵେ ମଶା ନିପାତ, ପରିମଳ ବ୍ୟବସ୍ଥା ଠିକ୍ କରିବାରେ ଫେଲ ମାରିଛି କଟକ ମହାନଗର ନିଗମ। ସେପଟେ ମେୟର କହୁଛନ୍ତି ଆରମ୍ଭ ହେବ ସ୍ପେଶାଲ ଡ୍ରାଇଭ।
ସେପଟେ ଏହାକୁ ନେଇ ପ୍ରଶ୍ନବାଣ ମାରିବା ଆରମ୍ଭ କରି ଦେଇଛନ୍ତି ବିରୋଧୀ। ମଶା ତେଲ ଦୁର୍ନୀତି ଯୋଗୁଁ ଭଲ କ୍ବାଲିଟି ତେଲ ପଡୁନଥିବା ବିରୋଧୀ ଅଭିଯୋଗ କରିଛନ୍ତି। ଆବଶ୍ୟକ ମୁତାବକ ଧୂଆଁ ଛଡା ଯାଉନି। ଡିସେମ୍ବର ଆରମ୍ଭ ହୋଇଥିବା ବେଳେ ମେୟର ଦେଇଥିବା ପ୍ରତିଶ୍ରୁତି କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ।
ମଶା ସମସ୍ୟାର ତୁରନ୍ତ ସମାଧାନ ନହେଲେ ଆଗାମୀ ସମୟରେ ସିଏମସି ଘେରାଉ କରିବା ସହ ଜୋରଦାର ଜନ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।ମଶା ନିପାତ କରିବା ପାଇଁ ସିଏମସିର କେବେ ଭାଙ୍ଗିବ ନିଦ ? କେବେ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବେ ସିଏମସି ମେୟର ?