ବ୍ରିଟିସ୍ ଅମଳରୁ ପୁଲିସ୍ ବିଭାଗରେ ଚାଲିଛି ଗୋଟିଏ ପ୍ରଥା। ଯାହାକୁ କୁହାଯାଏ ବାଟା। ଏହି ପ୍ରଥା ମୁତାବକ, ଥାନା ହାଜତକୁ ବନ୍ଧାହୋଇ ଆସୁଥିବା କଏଦୀମାନଙ୍କ ଖିଆ ପିଆର ବ୍ୟବସ୍ଥା ରହିଛି। ଏହାଦ୍ବାରା ସେମାନଙ୍କ ମାନବିକ ଅଧିକାରର ସୁରକ୍ଷା କରାଯିବ। କିନ୍ତୁ ଏଥିପାଇଁ, ଗୃହ ବିଭାଗ ଦେଉଛି ମୁଣ୍ଡପିଛା ମାତ୍ର ୩୦ଟଙ୍କା।
ଏ ମହଙ୍ଗା ଯୁଗରେ, ଯେଉଁଠି ବରା-ଗୁଗୁନି ଗୋଟିଏ ପ୍ଲେଟ ଖାଇଲେ ୫୦ ଟଙ୍କା ଦେବାକୁ ପଡୁଛି, ସେଠି ୩୦ ଟଙ୍କାରେ ଗୋଟିଏ କଏଦୀର ଦିନତମାମର ଖାଇବା କେମିତି ଅଣ୍ଟିବ, ଆପଣ କୁହନ୍ତୁ।
ସକାଳ ଜଳଖିଆ, ଦିପହର ଓ ରାତି ଖାଇବା ମିଶିଲେ ସାଧାରଣ ଭାବେ ଗୋଟିଏ ଲୋକ ପାଇଁ ୧୦୦ଟଙ୍କା ଖର୍ଚ୍ଚ ହେବ। ଏଭଳି ସ୍ଥିତିରେ ହାଜତକୁ ଆସୁଥିବା ଅଭିଯୁକ୍ତମାନଙ୍କ ଖାଇବା ଖର୍ଚ୍ଚ କାହା ପକେଟରୁ ଯାଉଥିବ ଆପଣ ସ୍ବତଃ ଚିନ୍ତା କରିପାରୁଥିବେ।
ଜଣେ ପୁଲିସ କର୍ମଚାରୀ ନିଜ ନାମ ଗୋପନ ରଖି ଯାହା କହିଛନ୍ତି, ଶୁଣନ୍ତୁ…
‘ମୁଁ ଲାଞ୍ଚ ନେଉଛି। ମୋ ପରି ଅନ୍ୟ ପୁଲିସ ଭାଇମାନେ ବି ଲାଞ୍ଚ ନିଅନ୍ତି। କିନ୍ତୁ ଆମର ଏ ଲାଞ୍ଚ ପଇସାରେ କଏଦୀମାନେ ପେଟପୂରା ଖାଆନ୍ତି। ହୁଏତ ଆମେ ପାପ କରୁ, କିନ୍ତୁ ଏହି ଲାଞ୍ଚ ପଇସାରେ ସେମାନଙ୍କ ପେଟ ପୂରେ। ନଚେତ୍ ସରକାର ଦେଉଥିବା ୩୦ ଟଙ୍କାରେ ୪ ଓଳି ପେଟପୂରା ଖାଇବା ଦେବା ସମ୍ଭବ ନୁହେଁ। ଏଇ ପଇସାରେ ହାଜତରେ ବନ୍ଧା କଏଦୀମାନଙ୍କର ସକାଳ ଜଳଖିଆ ଟିକକ ବି ହୋଇପାରିବ ନାହିଁ।’
ସ୍ବଧୀନତ୍ତୋର ଭାରତରେ ୧୯୬୧ ମସିହା ପରଠାରୁ ଚାଲିଥିବା ବାଟା ବ୍ୟବସ୍ଥା ସମ୍ପର୍କରେ ଆସନ୍ତୁ ଜାଣିବା। ପ୍ରଥମେ ହାଜତ କଏଦୀମାନଙ୍କ ପାଇଁ କେତେ ଟଙ୍କା ସରକାର ଦେଉଥିଲେ, ତାହାର ସଠିକ ପ୍ରମାଣ ନାହିଁ। କିନ୍ତୁ ୧୯୬୭ ବେଳକୁ ଏ ବାବଦରେ ଜଣେ କଏଦୀ ପିଛା ମାତ୍ର ୧୨ଅଣା ଦେଉଥିଲା ଗୃହ ବିଭାଗ। ଯେଉଁଥିରେ ଚୁଡା ଓ ମୁଢି କିଣି ଖାଇବାକୁ ଦେବାର ବ୍ୟବସ୍ଥା ଥିଲା। ପରେ ୧୯୭୫-୭୬ରେ ଏହି ଅର୍ଥରାଶି ବୃଦ୍ଧି କରାଯାଇ ୫୬ ପଇସା କରାଗଲା। ତାହା ପୁଣି ବରା, ପକୁଡି ଖର୍ଚ୍ଚରେ ସୀମିତ ରହିଲା। ଧିରେ ଧିରେ ଏହା ବଢି ବଢି ୨୦୧୫ ବେଳକୁ ଏହା ୩୦ ଟଙ୍କାରେ ପହଞ୍ଚିଛି।
ଦରଦାମ୍ ବଢୁଛି, ଅପରାଧ ବି ବଢୁଛି। ସେହି ତୁଳନାରେ ଥାନା ହାଜତରେ କଏଦୀ ମଧ୍ୟ ବଢୁଛନ୍ତି। କିନ୍ତୁ ୩୦ଟଙ୍କାର କଳେବର ବଢୁନି। ଫଳରେ ୪ ଓଳା ଖାଇବାକୁ ଦେବାକୁ ପୁଲିସ ବାବୁମାନେ ପକେଟରୁ ଅର୍ଥ ଖର୍ଚ୍ଚ କରୁଛନ୍ତି। ଆଉ ଲାଞ୍ଚ କଥା ଉଠାଇଲେ, ଲାଞ୍ଚ ପଇସାର ସଦୁପଯୋଗ ହେଉଛି ବୋଲି ଓକିଲାତି କରୁଛନ୍ତି।
ଏବେ ଆପଣ କୁହନ୍ତୁ ପୁଲିସ ଲାଞ୍ଚ ନେବା ଠିକ୍ ନା ଭୁଲ୍ ?