ଚଳିତ ବର୍ଷ କେନ୍ଦୁଝର ଜିଲ୍ଲାରେ ଭଲ ବୃଷ୍ଟିପାତ ହୋଇଥିବା ବେଳେ ଭଲ ଚାଷ ହୋଇଥିବା କାରଣରୁ ଚାଷୀଙ୍କ ମହଲରେ ବେଶ ଖୁସି ଆଣିଦେଇଥିଲା। କିନ୍ତୁ ଅମଳ ସମୟରେ ଚଳିତ ବର୍ଷ ହଠାତ ଚକଡା ପୋକ ବ୍ୟପକ ଫସଲ ନଷ୍ଟ କରିବା ପରେ ଏବେ ଚାଷୀ ହତାଶ ହୋଇପଡିଛି। ଯାହା ଦେଖିବାକୁ ମିଳିଛି ଘଟଗାଁ ବ୍ଲକର ମୁକୁନ୍ଦପୁର ପାଟଣା, ବିଣାଝରୀ, ତରା, ପଇଦାପାଟଣା, ବାଲିପୋଖରୀ ଆଦି ବିଭିନ୍ନ ଗ୍ରାମରେ। ଧାର କରଜ କରି ଚାଷ କରିଥିବା ଗ୍ରାମର ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି । ବହୁ ଚାଷୀଙ୍କ ଧାନ କିଆରିରେ ଚକଡା ପୋକ ରହି ବ୍ୟାପକ ଧାନ ଗଛ ନଷ୍ଟ କରିବାରେ ଲାଗିଛନ୍ତି । ଫଳରେ ଧାନ ଗଛ ଗୁଡିକ ପଚି ନଷ୍ଟ ହୋଇଯାଇଛି । ବର୍ଷ ଯାକର କଷ୍ଟ କରି ବର୍ତ୍ତମାନ ଧାନ ଅମଳ କରିବା ସମୟରେ ଏଭଳି ପରିସ୍ଥିତି ଯୋଗୁ ଚାଷୀ ମାନଙ୍କୁ ଚିନ୍ତାରେ ପକାଇ ଦେଇଛି । ଏବେ ଋଣ ପରିଶୋଧ ଚିନ୍ତାରେ ପଡିଯାଇଛି ଚାଷୀ ।
ଧାନ ଚାଷରୁ ଚକଡା ପୋକକୁ ରୋକିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ରୋକିବା ସମ୍ଭବ ହେଉନାହିଁ। ବିଲରେ ଚାଷୀ ଯେତେ ଔଷଧ ଛିଞ୍ଚନ କଲେ ବି ଚକଡା ପୋକକୁ ରୋକିବା ସମ୍ଭବପର ହେଉନଥିବା ଚାଷୀ କହିଛନ୍ତି। ଏହା ଗୋଟିଏ କିଆରିରୁ ଅନ୍ୟ କିଆରିକୁ ଦ୍ରୂତ ଗତିରେ ମାଡ଼ି ଚାଲୁଛି। ଅନ୍ୟ ପକ୍ଷରେ କୃଷି ବିଭାଗ ପକ୍ଷରୁ ଚାଷୀ ମାନଙ୍କୁ ସେତେଟା ସହଯୋଗ ମଧ୍ୟ ମିଳୁନାହିଁ ଯେଉଁଥି ପାଇଁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏଭଳି ପରିସ୍ଥିତିରେ ଚାଷୀ ଉପାୟଶୂନ୍ୟ ହୋଇ ହତାଶ ହୋଇପଡିଛନ୍ତି। କୃଷି ବିଭାଗ ଏଥିପ୍ରତି ଦୃଷ୍ଟି ଦେବା ସହ ତୁରନ୍ତ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି ଚାଷୀମାନେ। ଅନ୍ୟ ପକ୍ଷରେ ଚକଡା ପୋକ ସମ୍ପର୍କରେ ଚାଷୀ ମାନଙ୍କୁ ସଚେତନ କରାଯାଉଥିବା କହିଛନ୍ତି ଜିଲ୍ଲା କୃଷି ଅଧିକାରୀ।
ଫେଲ ମାରିଛି କୃଷି ବିଭାଗର ଚକଡା ପୋକ ନିୟନ୍ତ୍ରଣ। ଚକଡା ପୋକ ଦାଉରୁ ଧାନ ଫସଲ କୁ ରକ୍ଷା କରିବାରେ ଅସମର୍ଥ କୃଷି ବିଭାଗ। ଚକଡା ପୋକ ରେ ନଷ୍ଟ ହେଲା ଏକର ଏକର ଧାନ ଫସଲ। ପଦାରେ ପଡ଼ିଲା ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର