ପୌର ନିର୍ବାଚନକୁ ଶୃଙ୍ଖଳାର ସହ ପରିଚାଳନା ପାଇଁ ମୁତୟନ ହେବେ ୧୯୫ ପ୍ଲାଟୁନ ପୋଲିସ ଫୋର୍ସ । ଭୁବନେଶ୍ବର ମ୍ୟୁନିସିପାଲ କର୍ପୋରେସନ ପାଇଁ ୩୦ ପ୍ଲାଟୁନ ଫୋର୍ସ, କଟକ ମ୍ୟୁନିସିପାଲ କର୍ପୋରେସନ ପାଇଁ ପାଇଁ ୨୦ ପ୍ଲାଟୁନ ଫୋର୍ସ ଓ ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନ ପାଇଁ ୧୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଏହାବାଦ ୩୦୦ ମୋବାଇଲ ପାର୍ଟି ରହିବେ। ସେଥିମଧ୍ୟରୁ ୧୦୯ ମୋବାଇଲ ପାର୍ଟି ଏହି ୩ଟି କର୍ପୋରେସନ ପାଇଁ ନିୟୋଜିତ ହେବେ। ପ୍ରତି ବୁଥ୍ରେ ଜଣେ ଲେଖାଏ ହାବିଲଦାର, ନ ହେଲେ କନଷ୍ଟେବଳ କିମ୍ବା ସଶସ୍ତ୍ର ପୁଲିସ୍ ମୁତୟନ ରହିବେ । ୨୪ ତାରିଖ ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ହେବ ମତଦାନ। ସମସ୍ତଙ୍କୁ ଶାନ୍ତି ଶୃଙ୍ଖଳା ସହ ମତାଧିକାର ସାବ୍ୟସ୍ତ କରିବାକୁ ଅନୁରୋଧ କରିଛନ୍ତି ନିର୍ବାଚନ କମିଶନର ।
ରାଜ୍ୟର ମୋଟ ୩ଟି ମ୍ୟୁନିସିପାଲ କର୍ପୋରେସନ, ୪୭ ମ୍ୟୁନିସିପାଲିଟି, ୫୯ଟି ଏନଏସିକୁ ମିଶାଇ ୧୦୯ ପୌରସଂସ୍ଥାରେ ହେଉଛି ନିର୍ବାଚନ। ଏହି ନିର୍ବାଚନରେ ମେୟର ଓ ଚେୟାରପର୍ସନ ପାଇଁ ୫୬୯ , କର୍ପୋରେଟର ଓ କାଉନସିଲର ପାଇଁ ୫,୮୪୨ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ମ୍ୟୁନିସିପାଲଟି ଓ ଏନଏସିର ୧୬୭୨ ୱାର୍ଡ ଓ ୩ଟି କର୍ପୋରେସନର ୧୬୫ ୱାର୍ଡରେ ନିର୍ବାଚନ ହେବ। ମ୍ୟୁନିସିପାଲଟି ଓ ଏନଏସିର ୨,୯୮୯ ବୁଥ୍ ଓ ୩ଟି କର୍ପୋରେସନର ୧୩୮୪ ବୁଥ୍ରେ ୪୦ ଲକ୍ଷ ୫୫ ହଜାର ଭୋଟର ମତ ସାବ୍ୟସ୍ତ କରିବାକୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ଏଥିନିମନ୍ତ ଆବଶ୍ୟକ ପ୍ରସ୍ତୁତି ସରିଛି । ଭୋଟ ଗ୍ରହଣ ପାଇଁ ମୋଟ ୨୨ ହଜାର ପୋଲିଂ କର୍ମଚାରୀ ରହିବେ । ୨୨ ତାରିଖ ଅପରାହ୍ନ ୫ଟା ସୁଦ୍ଧା ସମସ୍ତ ପ୍ରକାର ପ୍ରଚାର କାର୍ଯ୍ୟ ସରିବ । ୨୩ ଅପରାହ୍ନ ସୁଦ୍ଧା ସବୁ ପୋଲିଂ ଷ୍ଟାଫ୍ ନିଜ ନିଜ ବୁଥ୍ରେ ପହଞ୍ଚିଯିବେ।
ଏ ସବୁ ଭିତରେ ପ୍ରଚାର ସରି ଆସୁଥିବାରୁ ବିଭିନ୍ନ ରାଜନୈତିକ ଦଳ ଲୋକମାନଙ୍କ ପାଖରେ ପହଞ୍ଚି ନିଜ ଆଡକୁ ଆକୃଷ୍ଠ କରିବା ଲାଗି ପ୍ରାଣମୂର୍ଛା ଉଦ୍ୟମ କରୁଛନ୍ତି।