ତମେ କହିବ ତା ମନ ହେଲା ସିଏ ଡାକିଲା। ତମର କାଇଁ ନାହି ଡେଉଁଚି ?
ଠିକ କଥା। କିନ୍ତୁ ଏହି ଜିଜୁ ଶବ୍ଦର ପ୍ରବଳ ଗ୍ରହଣୀୟତା ପାଇଁ ଯଦି ସରକାର କୋଉଠି ସରକାରୀ ସ୍ତରରେ ଭିଣୋଇର ନାମକରଣ ଜିଜୁ କରିଦିଅନ୍ତି ତା ହେଲେ ତ କଥା ସରିଲା। ପ୍ରବଳ ଆନ୍ଦୋଳନ ହବ। ସରକାରଙ୍କୁ ଲୋକେ ଶାଳକ ଭିତ୍ତିରେ ପ୍ରେମ କରିବା ଆରମ୍ଭ କରିଦେବେ।
ଠିକ ସେମିତି ମଦ କିଏ କୋଉଠି ଚୋରାରେ ବିକିଲା ସେ କଥା ମୁଣ୍ଡରେ ନ ପୂରାଇ ଏ କଥା ଚିନ୍ତା କରନ୍ତୁ ଯେ, ସରକାର ସମୁଦ୍ର କୂଳରେ ମଦ ବିକିବାକୁ ଯାଉଛନ୍ତି। ମାନେ ସରକାର ଗ୍ରହଣ କରି ନେଲାଣି ଯେ, ପୁରୀ ସମୁଦ୍ର ମହୋଦଧି ପଛରେ ଆଉ ସମୁଦ୍ର କୂଳ ପ୍ରଥମେ। ମାନେ ଏହାର ଧାର୍ମିକ ଅବସ୍ଥିତି ଆଉ ଧାର୍ମିକ ବିଶେଷତା ଚୁଲି ମଧ୍ୟକୁ ନିକ୍ଷେପ କରି ଅସାମାଜିକ କାର୍ଯ୍ୟକଳାପ ଲାଗି ଖୋଦ୍ ସରକାର ଲାଇସେନ୍ସ ଦେଉଛନ୍ତି।
ଏଇଆ ତ ! ନା ଆଉ କ’ଣ ?
ଭିଣୋଇକୁ ସରକାରୀ ଭାବେ ଜିଜୁ ସଂଜ୍ଞାଭୁକ୍ତ କଲା ଭଳି ବିଚ୍ ସ୍ନାକ୍ସ ଯୋଜନା କରି ସରକାର ମହୋଦଧିର ମର୍ଯ୍ୟାଦା କ୍ଷୁଣ୍ଣ କରୁଛନ୍ତି ବୋଲି କହିଲେ ଠିକ୍ ହେବ।
ହଇଓ , ‘ଜଗା ଯୋଉଠି ଗହଳି ସେଇଠି। ତା ମାନେ କ’ଣ ସିଙ୍ଗିଦୁଆର ମୁହଁରେ ମଦ ବିକିବ ନାଁ କ’ଣ ? ମଣି ତମେ ଚିହ୍ନିନ ଆମକୁ । ଆମେ ଭାରି ଅବାଗିଆ ଲୋକ। ଦିଅଁ ଦେଉଳ ଗୋଟେପଟେ ଆଉ ବେପାର ବଣିଜ ଆଉଗୋଟେ ପଟେ। ଭଲକି ମନେ ରଖିଥବ।’
ଏମିତି କହି ଚିହିଁକି ଉଠିଲେ ନଟୁ ସିଂହାରୀ।
ସେବକ ପୁଅ ସେ। କିନ୍ତୁ ଟିକେ ରାଜନୀତିଆ ଥାଟ ଅଛି। ଶଂଖ ଦଳିଆ ହେଲେ ବି କାଳିଆ ପ୍ରେମକୁ ଆଡ କରି ଦଳ ନିଷ୍ପତ୍ତିକୁ ମୁଣ୍ଡ ଟୁଙ୍ଗାରିବେ ସେ ଭଳିଆ ଲୋକ ଆଦୌ ସିଏ ନୁହେଁ।
ଖାସ ସେଇଥିପାଇଁ ଏ ସମୁଦ୍ର କୂଳରେ ‘ବିଚ୍ ସ୍ନାକ୍ସ’ କଥାଟା ତାଙ୍କ ମୁଣ୍ଡ ବିଗାଡିଛି।
ଲକ୍ଷ୍ମୀ ବଜାର ମୁହଁରେ ରଙ୍ଗା ଛେନା ବାଲା ପାଖେ ଏମିତି ଗୋଟେ ଗମାତିଆ ଖଟିରେ କିଏ ଗୋଟାଏ କହିଲା ସରକାରଙ୍କୁ ରାଜସ୍ବ ଦରକାର ସେଥିପାଇଁ ସେ ମଦ ବିକିବେ। ଏଥିରେ ଭୁଲ କୋଉଠି ରହିଲା। ହଇଓ କହୁଛ ପୁରୀ ଧାର୍ମିକ ସହର, ହେଲେ କହିଲ ଦେଖି ଏଠି କ’ଣ ମଦ ଦୋକାନ ନାହିଁ ?
ସମୁଦ୍ର କୂଳରେ ମଦ ବିକ୍ରି ହେବ ଏଇଟା ଏମିତି କ’ଣ ବଡ କଥା କି ?
ଆଉ ଏଇ କଥାକୁ ନେଇ ସିଂହାରୀ ପୁଅ ବିଗିଡିଗଲେ। ବେପାରା କରିବା ପାଇଁ ବହୁତ ଯାଗା ଅଛି। ସରକାର ଚାହିଁଲେ ଆକାଶରେ ମଦ ବିକିବେ, ମାଟି ଖୋଳି ଅଣ୍ଡରଗ୍ରାଉଣ୍ଡରେ ବିକିବେ। ହେଲେ ଶ୍ରୀମନ୍ଦିର ଚାରିପଟେ କି ପଞ୍ଚୁତୀର୍ଥ ପାଖରେ ମଦ ବିକି ସେ ଓଡ଼ିଆ ଲୋକଙ୍କ ଭାବାବେଗକୁ ଗୋଇଠା ମରିଲେ କିଛି ଭଲ ହବନି।
ପୁରୀ ଆଦୌ ଗୋଆ ହେଇପାରିବ ନାହିଁ।
ଆମେ ଗୋଆ ଗଲେ ସେଠି ବି ସମୁଦ୍ର ଅଛି ହେଲେ ତା ପାଣି ଆମେ କେବେ ମଥାରେ ପକାଇ ନିଜକୁ ପବିତ୍ର ମନେ କରୁନୁ। କିନ୍ତୁ ପୁରୀ ଆସି ସମୁଦ୍ର ବେଳାଭୂମୀକୁ ଗଲେ ଯନ୍ତ୍ର ଚାଳିତ ମଣିଷ ପରି ଏହି ପାଣି ମଥାରେ ଛିଞ୍ଚି କାଳିଆକୁ ମୁଣ୍ଡିଆ ମାରୁଛୁ।
ଏଇଟା ପକ୍କା ଓଡିଆଟାଏର ପ୍ରବୃତ୍ତି ଖାଲି ନୁହେଁ। ଏ ହେଉଛି ଭାରତୀୟତାର ଗୋଟିଏ ନମୂନା। ଦେଶର କୋଣ ଅନୁକୋଣରୁ ଲୋକେ ଏଠାକୁ ଆସି କାଳିଆ ଦର୍ଶନ କରନ୍ତି କିନ୍ତୁ ମହୋଦଧି ପାଖରେ ପହଞ୍ଚି ସେ ପାଣିକୁ ଟିକେ ଛିଞ୍ଚି ହେଇ ପଡନ୍ତି।
ତମେ କହିବ, ସମୁଦ୍ର ପାଣି କୋଉ ସାନିଟାଇଜର ଯେ, ମୁଣ୍ଡରେ ପକେଇଦେଲେ ଜୀବାଣୁ ପଳେଇବେ। କିନ୍ତୁ ସେହି ପୋଖତ ଭାରତୀୟଟିଏ ହିଁ କହିବ ତା ଭାବନାରେ ଏଇ ଲୁଣି ପାଣି ସବୁଠାରୁ ବଡ଼ ସାନିଟାଇଜର। ଯାହାକୁ ଛିଞ୍ଚିହେଲା ବେଳେ ଆତ୍ମାରେ ଥିବା ଜୀବାଣୁ ମରି ଯାଆନ୍ତି। ଏଇଟା ଆମ ବିଶ୍ବାସ। ଯାହା ଉପରକୁ କିଛି ନାହିଁ।
ଏ ସମୁଦ୍ର ଏ ମହୋଦଧି ଆମ ଭାବାବେଗ ଜଡିତ। ଏହା ମହାପ୍ରଭୁଙ୍କ ସମୁଦ୍ର, ସେଇଥିପାଇଁ ୟା ନାଁ ମହୋଦଧି। ପ୍ରତିମାସରେ କାଳିଆ ଠାକୁର ଏଇଠିକୁ ଆସନ୍ତି। ଏଇ ପାଣିରେ ଗାଧେଇ ପାଧେଇ ଶ୍ୱଶୁରୁ ଘରର ଆତିଥିୟତା ଗ୍ରହଣ କରି ଫେରନ୍ତି। ଏଣୁ ଏ ସମୁଦ୍ର ଗୋଆ ସମୁଦ୍ର ଭିତରେ ଆକାଶ ପାତାଳ ଫରକ।
ଅବଶ୍ୟ ଏ କଥା ବୁଝିବା ଲୋକ ବୁଝିବେ, ଅବୁଝା କଥା ଛାଡ।
ସେଇଥିପାଇଁ ଶାଳୀ ଭିଣୋଇ ପ୍ରସଙ୍ଗଟା ଉଠାଇଲି ବୋଲି କହିଲେ ସିଂହାରୀପୁଅ।
ଏତେ କଥା ଶୁଣୁଥିବା ଖଟି ସେତବେଳକୁ ଏକଦମ୍ ଚୁପ୍ ହୋଇଯାଇଥିଲା। ଖୋଦ୍ ଜଣେ ବିଜେଡି ସପୋର୍ଟର ଭାଇ ଏମିତି ତର୍କ କରିବେ ସେ କଥା କେହି ବିଶ୍ୱାସ ବିଶ୍ୱାସ କରିପାରୁ ନ ଥାନ୍ତି। ତଥାପି ସିଂହାରୀ ପୁଅଙ୍କ କଥା ସମସ୍ତଙ୍କ ମନକୁ ପାଇଥିଲା।
ଏତିକି ବେଳକୁ କିଏ ଗୋଟାଏ ଖବର ଦେଲା,
ହଇଏ ନଟୁଆନା ଶୁଣିଲଣି କି ନାହିଁ। ସରକାର ନିଷ୍ପତ୍ତି ବଦଳେଇ ଦେଲେ, ଏଣିକି ସମୁଦ୍ର କୂଳରେ ବିଚ ସ୍ନାକ୍ସ ଯୋଜନା ଫସର ଫାଟିଗଲା।
ନଟୁ ସିଂହାରୀ ମୁଣ୍ଡିଆଟାଏ ମାରିଲେ, ଓଃହୋ ଅନ୍ତତଃ ଆମ ଭାବ ଆଉ ଆବେଗରେ କଳଙ୍କ ଲାଗିବା ଆଗରୁ ସବୁ ଠିକ୍ ହେଇଗଲା।
ନନାଙ୍କ ମଗଜ କୁଲ୍ ହେଇଗଲା। ସେତିକି ବଳେକୁ ବଡଦାଣ୍ଡରେ କିଏ ଗୋଟାଏ ଗୋରୀ ଝିଅ ବଡ଼ ପାଟିରେ ଡାକୁଥିଲା, ‘ଜିଜୁ ଶିଘ୍ର ଆସ, ଦେଇ ଫୋନ୍ କଲାଣି ପା।’
ଥିଲେ ଥିଲେ ସମସ୍ତେ ଠୋ ଠୋ ହସିଲେ।