ଅର୍ଗସ ବ୍ୟୁରୋ: ବର୍ତ୍ତମାନ ବାତ୍ୟା ମିଚୋଁଗ୍ ପୁଡୁଚେରୀରୁ ପ୍ରାୟ ୨୧୦ ଓ ଚେନ୍ନାଇରୁ ୧୫୦ କିଲୋମିଟର ଦୂରରେ ରହିଛି । ସମୁଦ୍ର ମଧ୍ୟରେ ବଳ ଗୋଟାଇବା ସହ ଘଣ୍ଟାକୁ ପ୍ରାୟ ୮ କିଲୋମିଟର ବେଗରେ ଗତି କରୁଛି ବାତ୍ୟା 'ମିଚୋଁଗ୍' । ପ୍ରଭାବରେ ଗତକାଲିଠି ତାମିଲନାଡୁର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଚେନ୍ନାଇରେ ଜୋରରେ ପବନ ମଧ୍ୟ ବହିବା ଆରମ୍ଭ ହୋଇଗଲାଣି । ଫଳରେ ବଡ ବଡ ଗଛ ରାସ୍ତାରେ ଭାଙ୍ଗି ପଡିଥିବା ଦେଖିବାକୁ ମିଳୁଛି । ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି । ବସ ଷ୍ଟପ୍, ରେଳଷ୍ଟେସନ ସବୁଠି ଜଳ ମଗ୍ନ । ସମୟ ଯେତେ ବଢୁଛି ଲୋକଙ୍କ ମନରେ ଛନକା ସେତେ ବଢୁଛି ।
କାଲି ମଧ୍ୟାହ୍ନ ସମୟରେ ଆନ୍ଧ୍ରର ନେଲୋର୍ ଓ ମଚ୍ଛଲିପଟ୍ଟନମ ମଧ୍ୟରେ ଲ୍ୟାଣ୍ଡଫଲ ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଓଡ଼ିଶାରେ ମଧ୍ୟ ରହିବ ବାତ୍ୟାର ପ୍ରଭାବ । ଆଜିଠୁ ବର୍ଷା ଆରମ୍ଭ ହେବ ଏବଂ ୫ ତାରିଖରେ ପ୍ରବଳ ବର୍ଷିବ । ୭ ତାରିଖ ଯାଏ ର୍ଷା ହେବାର ସମ୍ଭାବନା ରହିଛି । ତେବେ ବେଶି ପ୍ରଭାବିତ ହେବ ଦକ୍ଷିଣ ଓଡ଼ିଶା । ପବନର ଭୟ ନଥିଲେ ବି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।
ଚାଷ ନଷ୍ଟ ହେବାର ଆଶଙ୍କା ଥିବାରୁ କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ସଚେତନ କରାଇଛି । ଧାର କରଜ କରି ଏକର ଏକର ଜମିରେ ଧାନ ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ । ସେପଟେ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ଅଛନ୍ତି NDRF ଟିମ୍ । ଓଡ଼ିଶା, ମଧ୍ୟପ୍ରଦେଶ, ତାମିଲନାଡୁ ଓ ପୁଡୁଚେରୀ ପାଇଁ ୧୮ଟି ଟିମ୍ ନିଯୁକ୍ତ କରାଯାଇଛି । ଆଉ ୧୦ଟି ଟିମକୁ ଆଲର୍ଟ ମୋଡରେ ରଖାଯାଇଛି ।
ସ୍ଥଳଭାଗକୁ ମାଡି ଆସୁଛି ବାତ୍ୟା 'ମିଚୋଁଗ୍' ; ୯୦ରୁ ୧୦୦ କିମି ବେଗରେ ବହିବ ପବନ