
ପୁରୀ: ସେଲଫି ନେବା ମହଙ୍ଗା ପଡିଲା । କୋଣାର୍କ ସୂର୍ଯ୍ୟମନ୍ଦିର ନାଟ୍ୟମଣ୍ଡପରୁ ଖସି ଯାଇ ମହିଳା ଗୁରୁତର । ଭୁବନେଶ୍ୱର ୯ ନମ୍ବର ଅଞ୍ଚଳର ଜଣେ ମହିଳା ପର୍ଯ୍ୟଟକ ସେଲଫି ନେବା ବେଳେ ସୂର୍ଯ୍ୟମନ୍ଦିର ନାଟ୍ୟମଣ୍ଡପରୁ ଉପରୁ ଖସି ପଡ଼ି ଗୁରୁତର ହୋଇଛନ୍ତି । ଶୁଭାସିନ ମଲିକ ନାମକ ମହିଳା ଗୁରୁତର ହୋଇଛନ୍ତି ।
ବିଶ୍ଵ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ବୁଲିବାକୁ ଆସିଥିବାବେଳେ ସେଲଫି ଉଠାଉଥିବାବେଳେ ସମୟରେ ମନ୍ଦିରର ନାଟ୍ୟ ମଣ୍ଡପରୁ ଖସିପଡିବା ପରେ ଗୁରୁତର ହୋଇଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ଗୋପ ଡାକ୍ତରଖାନାରେ ତାଙ୍କୁ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ମାତ୍ର ମହିଳା ପର୍ଯ୍ୟଟକଙ୍କ ଛାତି, ମୁଣ୍ଡ ସହିତ ଅନେକ ସ୍ଥାନରେ ଆଘାତ ଲାଗିଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ମନ୍ଦିର ପରିସରରେ ବିପଦ ପୂର୍ଣ୍ଣ ଅବସ୍ଥାରେ ସେଲଫି ନେବାକୁ ବାରଣ କରାଯାଇଥିବା ବେଳେ ସଚେତନତା ଅଭାବରୁ ଅନେକ ସମୟରେ ବିଭିନ୍ନ ଦୁର୍ଘଟଣା ଘଟିବାର ନଜରକୁ ଆସୁଛି ।ପ୍ରଶ୍ନ ଉଠୁଛି କେବେ ସଚେତନ ହେବେ ପର୍ଯ୍ୟଟକ । ଦିନକୁ ଦିନ ଲୋକମାନେ ସେଲ୍ଫିକୁ ନେଇ ଏତେ ଉତ୍କୁଣ୍ଠା ରହୁଛନ୍ତି ଯେ ସ୍ଥାନ, କାଳ, ପାତ୍ର କିଛି ବି ଦେଖୁନାହାନ୍ତି । ଯେଉଁଠି ପାଉଛନ୍ତି ସେଠି ସେଲ୍ଫି ନେଉଛନ୍ତି । ଆଉ ବିପଦର ସମ୍ମୁଖୀନ ହେଉଛନ୍ତି ।
